ସିବିଆଇର ବଡ ଦାବି, ଋଣ ପରିଶୋଧ ନକରି ବିଦେଶରେ ସମ୍ପତ୍ତି କିଣିଛନ୍ତି ପଳାତକ ବିଜୟ ମାଲ୍ୟା…

Published By : Prameya-News7 Bureau | March 23, 2023 IST

ନୂଆଦିଲ୍ଲୀ ୨୩।୦୩; ପଳାତକ ବିଜୟ ମାଲ୍ୟାଙ୍କୁ ନେଇ ସିବିଆଇର ବଡ ଦାବି । ଅଦାଲତ ନିକଟରେ ନିଜ ସପ୍ଲିମେଣ୍ଟାରୀ ଚାର୍ଜସିଟ ଜାରି କରିଛି ସିବିଆଇ । ଚାର୍ଜସିଟରେ କୁହାଯାଇଛି ଯେ ୨୦୦୮ରୁ ୨୦୧୭ ମଧ୍ୟରେ ମାଲ୍ଲ୍ୟାଙ୍କ ନିକଟରେ ଯଥେଷ୍ଟ ଅର୍ଥ ଥିଲା । କିନ୍ତୁ ସେ ବ୍ୟାଙ୍କ ଋଣ ପରିଶୋଧ ନକରି ଫ୍ରାନ୍ସ ଏବଂ ଇଂଲଣ୍ଡରେ ୩୩୦ କୋଟିର ସମ୍ପତ୍ତି କିଣିଥିଲେ । କିଙ୍ଗଫିସର ଏୟାରଲାଇନ୍ସ ଯେତେବେଳେ ଆର୍ଥିକ ସଙ୍କଟ ଦେଇ ଗତିକରୁଥିଲା ସେହି ସମୟରେ ବିଜୟ ମାଲ୍ୟାଙ୍କ ପାଖରେ ପର୍ଯ୍ୟାପ୍ତ ଟଙ୍କା ଥିଲା । ସେ ବ୍ୟାଙ୍କ ଋଣ ପରିଶୋଧ ନ କରି ସମଗ୍ର ୟୁରୋପରେ ବ୍ୟକ୍ତିଗତ ସମ୍ପତ୍ତି କ୍ରୟ କରିଥିଲେ । ଏମିତିକି ସ୍ବିଜର୍‌ଲାଣ୍ଡରେ ଥିବା ତାଙ୍କ ପିଲାଙ୍କ ଟ୍ରଷ୍ଟକୁ ଟ୍ରାନ୍ସଫର୍ କରିଥିଲେ ଟଙ୍କା ।

ସିବିଆଇ ଚାର୍ଜସଟରେ ଆହୁରି ମଧ୍ୟ କହିଛି କି ୨୦୧୫-୧୬ରେ କିଙ୍ଗଫିସର ଏୟାରଲାଇନ୍ସ ନଗଦ ଅଭାବର ସାମ୍ନା କରୁଥିଲା । ଯେଉଁ କାରଣରୁ ବ୍ୟାଙ୍କ କରଜ ସୁଝିପାରିନଥିଲା । ବିଜୟ ତଥାକଥିତ ଭାବେ ଆଇଡିବିଆଇ ବ୍ୟାଙ୍କ-କିଙ୍ଗଫିସର ଏୟାରଲାଇନ୍ସର ଦୁର୍ନୀତି ମାମଲାରେ ଅଭିଯୁକ୍ତ ରହିଛନ୍ତି । ବର୍ତ୍ତମାନ ଏହାର ଯାଞ୍ଚ ସିବିଆଇ ହାତରେ ରହିଛି । ତେଣୁ, ଅଦାଲତଙ୍କ ଅନୁମତି ଆଣି ‘ସିବିଆଇ’ ମାଲ୍ଲ୍ୟାଙ୍କ ଅର୍ଥ ଦେଣନେଣର ବିସ୍ତୃତ ବିବରଣୀ ପାଇବାକୁ ଏକାଧିକ ଦେଶକୁ ଚିଠି ପଠାଇଥିଲା ।

‘ସିବିଆଇ’କୁ ସୂଚନା ମିଳିଛି ଯେ, ୩୫ ନିୟୁତ ‘ୟୁରୋ’ ବିନିମୟରେ ମାଲ୍ଲ୍ୟା ଫ୍ରାନ୍ସରେ ରିୟଲ୍‌ ଇଷ୍ଟେଟ୍‌ କିଣିଛନ୍ତି । ଏଥିପାଇଁ ‘ଗିଜ୍‌ମୋ ହୋଲ୍‌ଡିଙ୍ଗ୍‌’ ନାମରେ ତାଙ୍କର ଅନ୍ୟତମ କମ୍ପାନିର ଏକ ଆକାଉଣ୍ଟରୁ ୮ ନିୟୁତ ‌‘ୟୁରୋ’ ପେମେଣ୍ଟ୍‌ କରାଯାଇଛି। ଖବର ଅନୁଯାୟୀ, ୨୦୧୬ରେ ମାଲ୍ଲ୍ୟା ଭାରତରୁ ଚାଲିଯାଇ ଇଂଲଣ୍ଡରେ ବାସ କରୁଛନ୍ତି । ଅଦାଲତରେ ବିଚାର ପାଇଁ ତାଙ୍କୁ ସେଠାରୁ ଫେରାଇ ଆଣିବା ଲାଗି ପ୍ରକ୍ରିୟା ଚାଲିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.