Vijay Hazare Trophy 2022: ଋତୁରାଜଙ୍କ ଉପରେ ଭାରି ପଡିଲା ଜ୍ୟାକ୍ସନଙ୍କ ଶତକ, ମହାରାଷ୍ଟ୍ରକୁ ହରାଇ ସୌରାଷ୍ଟ୍ର ଚାମ୍ପିଅନ
2/12/2022 at 6:46 PM

ନୂଆଦିଲ୍ଲୀ: ଋତୁରାଜଙ୍କ ଉପରେ ଭାରି ପଡିଲା ଜ୍ୟାକ୍ସନଙ୍କ ଶତକ। ବିଜୟ ହଜାରେ ଟ୍ରଫିକୁ ମିଳିଲା ନିଜର ୨୧ତମ ଚାମ୍ପିଅନ। ଶୁକ୍ରବାର ଡିସେମ୍ବର ୨ରେ ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ରେ ସୌରାଷ୍ଟ୍ର ମହାରାଷ୍ଟ୍ରକୁ ୫ ଓ୍ଵିକେଟ୍ରେ ହରାଇ ଦ୍ଵିତୀୟ ଥର ଟାଇଟଲ୍ ଜିତିବାରେ ସଫଳ ହୋଇଛି। ପ୍ରଥମେ ବ୍ୟାଟିଂ କରି ମହାରାଷ୍ଟ୍ର ଋତୁରାଜ ଗାଏକଓ୍ଵାଡଙ୍କ ଶତକ ବଳରେ ୯ ଓ୍ଵିକେଟ୍ ହରାଇ ୨୪୮ ରନ ସ୍କୋର କରିଥିଲା। ଜବାବରେ ସେଲଡନ ଜ୍ୟାକ୍ସନଙ୍କ ୧୩୩ ରନ ଇନିଂସ ଦମରେ ସୌରାଷ୍ଟ୍ର ୪୬.୩ ଓଭରରେ ୫ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି।
ପ୍ରଥମେ ବ୍ୟାଟିଂ କରି ଋତୁରାଜ ମହାରାଷ୍ଟ୍ର ପାଇଁ ମୁସ୍କିଲ ସ୍ଥିତିରେ ଦମଦାର ଶତକୀୟ ଇନିଂସ ଖେଳିଥିଲେ। ଅଧିନାୟକ ଗାଏକଓ୍ଵାଡ ୧୩୧ ବଲ୍ରେ ୭ ଚୌକା ଏବଂ ୬ ଛକା ବଳରେ ୧୦୮ ରନର ଚମତ୍କାର ଇନିଂସ ଖେଳିଥିଲେ। ସୌରାଷ୍ଟ୍ରର ସେଲଡନ ଜ୍ୟାକ୍ସନ ୧୩୬ ବଲ୍ରେ ୧୨ ଚୌକା ଏବଂ ୫ ଛଜା ବଳରେ ୧୩୩ ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ। ସେ ପ୍ରଥମ ଓ୍ଵିକଟ୍ରେ ହାର୍ବିକ ଦେସାଇଙ୍କ ସହ ମିଶି ୧୨୫ ରନ ଯୋଡିଥିଲେ। ଏହା ହିଁ ଦଳର ବିଜୟରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।
ବିଜୟ ହଜାରେ ଟ୍ରଫିର ଫାଇନାଲ୍ରେ ୩୩ ବର୍ଷୀୟ ଚିରାଗ ଜାନି ହ୍ୟାଟ୍ରିକ ନେଇ ମ୍ୟାଚ୍କୁ ଆହୁରି ସ୍ମରଣୀୟ କରିଥିଲେ। ମହାରାଷ୍ଟ୍ରକୁ ୫ ଓ୍ଵିକେଟ୍ରେ ହରାଇ ସୌରାଷ୍ଟ୍ର ଦଳ ଦ୍ଵିତୀୟ ଥର ବିଜୟ ହଜାରେ ଟ୍ରଫି ଜିତିବାରେ ସଫଳ ହୋଇଛି। ଏହା ପୂର୍ବରୁ ଦଳ ୨୦୦୭ରେ ପଶ୍ଚିମବଙ୍ଗକୁ ହରାଇ ପ୍ରଥମ ଥର ଚାମ୍ପିଅନ ହୋଇଥିଲା। ତାମିଲନାଡୁ ସର୍ବାଧିକ ପାଞ୍ଚ ଥର ଟ୍ରଫି ଜିତିବାରେ ସଫଳ ହୋଇଛି।