ବାଣ ଦୋକାନୀଙ୍କୁ କ୍ଷତିପୂରଣ ଦେବ କିଏ ? ଦିଲ୍ଲୀ ସରକାରଙ୍କ ବିରୋଧରେ ଗର୍ଜିଲେ ବିଜୟ ଗୋଏଲ ଓ ବ୍ୟବସାୟୀ
8/11/2020 at 5:09 PM

ନୂଆଦିଲ୍ଲୀ ୮/୧୧: ଏଥର ଜମିବନି ଦୀପାବଳି ବଜାର। ଫୁଟିବନି ବାଣ, ଶୁଭିବନି ଲୋକଙ୍କ କୋଳାହଳ । କରୋନା ମହାମାରି ପାଇଁ ଫିକା ପଡ଼ିବ ଦୀପାବଳି ମାହୋଲ। ଓଡ଼ିଶା, ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟ ସରକାର ଦୀପାବଳିରେ ବାଣ ଫୁଟାଇବା ଉପରେ ରୋକ ଲଗାଇଛନ୍ତି। ଏପରିକି ସବୁଜ ବାଣ ଉପରେ ବି କଟକଣା ଲାଗିଛି। କିନ୍ତୁ ଏବେ ପ୍ରଶ୍ନ ଉଠୁଛି ବାଣ ବ୍ୟବସାୟୀଙ୍କ ବ୍ୟବସାୟ ଠପ୍ ହେବାକୁ ଥିବା ବେଳେ ଏହି କ୍ଷତି ଭରଣା କରିବ କିଏ ?
ତେବେ ସରକାରଙ୍କ ଏଭଳି ନିଷ୍ପତ୍ତି ପାଇଁ ଦିଲ୍ଲୀ ସରକାରଙ୍କ ବିରୋଧରେ ବିଜେପି ନେତା ବିଜୟ ଗୋଏଲଙ୍କ ସମେତ ବାଣ ବ୍ୟବସାୟୀ ବିରୋଧ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି। ନଭେମ୍ବର ୭-୩୦ ପର୍ଯ୍ୟନ୍ତ ବାଣ ବ୍ୟବସାୟ ବନ୍ଦ ରଖିବାକୁ ସରକାର ଘୋଷଣା କରିଥିବା ବେଳେ ଏହାର ଭରଣା କିଏ କରିବ ବୋଲି ପଚାରିବା ସହ ରବିବାର ବିରୋଧ ପ୍ରଦର୍ଶନ କରିଛନ୍ତି ବିଜେପି ନେତା ଓ ବାଣ ବ୍ୟବସାୟୀ।
ଅନ୍ୟପଟେ ସବୁଜ ବାଣ ଉପରେ କେଜ୍ରିଓ୍ବାଲ ସରକାର ବ୍ୟାନ୍ ଲଗାଇଦେବା ଫଳରେ ବ୍ୟବସାୟୀଙ୍କୁ ଶକ୍ତ ଧକ୍କା ଲାଗିଥିବା ବିଜୟ ଗୋଏଲ କହିଛନ୍ତି। ଦୀପାବଳି ସମୟରେ ଏମାନେ ଦୁଇ ପଇସା ରୋଜଗାର କରିବାକୁ ଆଶା ରଖିଥିବା ବେଳେ ଏହାର ଭରଣା ରାଜ୍ୟ ସରକାର କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି।
ଏହାସହ ବ୍ୟବସାୟୀମାନଙ୍କୁ କ୍ଷତିପୂରଣ ଦିଅନ୍ତୁ ନଚେତ ସବୁ ବାଣ କ୍ରୟ କରନ୍ତୁ ବୋଲି ଦାବି କରିଛନ୍ତି ଅସ୍ଥାୟୀ ବାଣ ବ୍ୟବସାୟ ସଙ୍ଘର ସଭାପତି ଡିକେ ଜୈନ।