ନୂଆଦିଲ୍ଲୀ: ତାମିଲ ସୁପରଷ୍ଟାର ଥାଲାପତି ବିଜୟଙ୍କୁ ନେଇ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ କ୍ରେଜ୍ କହିଲେ ନସରେ । ଏହାରି ଭିତରେ ବିଜୟ ନାଁରେ ଯୋଡ଼ି ହୋଇଛି ଆଉ ଏକ ରେକର୍ଡ । ବିଜୟ ଗୋଟିଏ ଫିଲ୍ମ ପାଇଁ ସବୁଠୁ ଅଧିକ ଟଙ୍କା ନେଉଥିବା ଭାରତୀୟ ଅଭିନେତା ହୋଇଛନ୍ତି । ରିପୋର୍ଟ ଅନୁସାରେ 'ଥାଲାପତି 69' ଫିଲ୍ମ ପାଇଁ ବିଜୟ ୨୭୫ କୋଟି ଟଙ୍କା ଚାର୍ଜ କରୁଛନ୍ତି ।
ଲଗାତାର ବକ୍ସ ଅଫିସ୍ ହିଟ୍ ଦେଉଥିବା ବିଜୟ ତାଙ୍କ ଷ୍ଟାରଡମ୍ ଚରମରେ ରହିଛି । 'ଥାଲାପତି 69' ବିଜୟଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଆଣିବାକୁ ଯାଉଛି, କାରଣ ଏହା ତାଙ୍କ କ୍ୟାରିୟରର ଶେଷ ଫିଲ୍ମ ହେବାକୁ ଯାଉଛି । ଏହାପରେ ସେ ସକ୍ରିୟ ରାଜନୀତିକୁ ଆସିବା ସହ ଏହା ଉପରେ ସମ୍ପୂର୍ଣ୍ଣ ଧ୍ୟାନ କେନ୍ଦ୍ରୀତ କରିବେ । ରାଜନୀତିରେ ସମ୍ପୂର୍ଣ୍ଣ ସକ୍ରିୟ ହେବା ପୂର୍ବରୁ ଏହା ତାଙ୍କର ଶେଷ ଚଳଚ୍ଚିତ୍ର ହେବ ବୋଲି ଘୋଷଣା କରିସାରିଛନ୍ତି ।
'ଥାଲାପତି 69' ଔପଚାରିକ ଘୋଷଣା ପୂର୍ବରୁ ଏହି ଫିଲ୍ମକୁ ନେଇ ସିନେ ପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ରହିଛି । ଫିଲ୍ମଟିକୁ ଏକ ଲୋକପ୍ରିୟ ପ୍ରଡକ୍ସନ୍ ହାଉସ୍ ନିର୍ମାଣ କରିବାକୁ ଯାଉଛି । ପୂର୍ବରୁ ଏହି ଫ୍ରଡକ୍ସନ ହାଉସ୍ କନ୍ନଡ ଏବଂ ତେଲୁଗୁ ଭାଷାରେ ଅନେକ ବ୍ଲକବଷ୍ଟର ଫିଲ୍ମ ଦେଇସାରିଛି । ବର୍ତ୍ତମାନ ଏହି ଫିଲ୍ମ ଜରିଆରେ କୋଲିଉଡରେ ପ୍ରବେଶ କରିବାକୁ ଯାଉଛି । ଶାହରୁଖ ଖାନ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତର ସବୁଠୁ ଅଧିକ ଟଙ୍କା ଚାର୍ଜ କରୁଥିବା ଅଭିନେତା ଥିଲେ । ସେ ଗୋଟିଏ ଫିଲ୍ମ ପାଇଁ ୨୫୦ କୋଟି ଟଙ୍କା ନେଇଥିଲେ । ଏବେ ବିଜୟ ତାଙ୍କର ଏହି ରେକର୍ଡଙ୍କୁ ଭାଙ୍ଗିଛନ୍ତି । ବିଜୟଙ୍କ ନିକଟରେ ରିଲିଜ୍ ହୋଇଥିବା 'GOAT' ସିନେମା ହଲରେ ଧମାଲ କରୁଛି ।