ଲୋକାୟୁକ୍ତଙ୍କ ଫଇସଲା: ପ୍ରଦୀପ ପାଣିଗ୍ରାହୀଙ୍କ ମାମଲାର ତଦନ୍ତ କରିବ ଭିଜିଲାନ୍ସ, ଦୁଇ ମାସରେ ଦେବ ରିପୋର୍ଟ

Published By : Prameya-News7 Bureau | December 11, 2020 IST

ଭୁବନେଶ୍ଵର ୧୧।୧୨: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମୁସ୍କିଲ ବଢିବାରେ ଲାଗିଛି। ଜାମିନ ନପାଇ ଝାରପଡା  ଜେଲ୍‌ରେ ଥିବା ବିଧାୟକଙ୍କ ଦୁର୍ନୀତି ମାମଲାର ଏବେ ତଦନ୍ତ କରିବ ଭିଜିଲାନ୍ସ। ତଦନ୍ତ ଲାଗି ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଦୁଇ ମାସ ଭିତରେ ଅର୍ଥାତ ଫେବୃଆରୀ ୧୨ ସୁଦ୍ଧା ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ହୋଇଛି। ଆସନ୍ତା ଫେବୃଆରୀ ୨୧ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ମୁଖ୍ୟମନ୍ତ୍ରୀଙ୍କ ସୁପାରିସ୍‌କୁ ଗ୍ରହଣ କରି ଲୋକାୟୁକ୍ତ ଏହି ନିର୍ଦ୍ଦେଶ ଦେଇଛନ୍ତି। ଗତ ୭ ତାରିଖରେ ଲୋକାୟୁକ୍ତଙ୍କୁ ସୁପାରିସ୍ କରିଥିଲେ ମୁଖ୍ୟମନ୍ତ୍ରୀ।

ରାଜ୍ୟ ସରକାରଙ୍କ ପକ୍ଷରୁ ଜଣେ ଲୋକପ୍ରତିନିଧିଙ୍କ ବିରୋଧରେ ଲୋକାୟୁକ୍ତ ତଦନ୍ତର ଏହା ହେଉଛି ପ୍ରଥମ ଘଟଣା। ଲୋକାୟୁକ୍ତ ଜଷ୍ଟିସ ଅଜିତ ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ବିଧାୟକଙ୍କ ଦୁର୍ନୀତି ମାମଲାର ତଦନ୍ତ କରିବାକୁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଛନ୍ତି। ଲୋକାୟୁକ୍ତ ଏହି ମାମଲାର ବିଚାର ପାଇଁ ରାଜ୍ୟ ସରକାରଙ୍କ ସୁପାରିସ୍‌କୁ ଗ୍ରହଣ କରି ଆଜି ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରିଥିଲେ। ପାଠକ ବାପପୁଅଙ୍କ ସହ ଦୁର୍ନୀତିରେ ସଂପୃକ୍ତି ମିଳିବା ପରେ ପ୍ରଦୀପ ପାଣିଗ୍ରାହୀଙ୍କର ଅଡୁଆରେ ଫସିଛନ୍ତି।

ଦୁର୍ନୀତିଗ୍ରସ୍ତ ଓ ଜନ ପ୍ରତିନିଧି ହୋଇ ସୁଦ୍ଧା କ୍ଷମତାର ଅପବ୍ୟବହାର କରି ଜନତାଙ୍କୁ ଶୋଷଣ କରୁଥିବା ଜନନେତାଙ୍କୁ ରୋକିବା ପାଇଁ ଗଠିତ ହୋଇଥିଲା ଲୋକାୟୁକ୍ତ । ଲୋକାୟୁକ୍ତ ଗଠନ କ୍ଷେତ୍ରରେ ଓଡିଶା ଏକ ମାଇଲଖୁଣ୍ଟ ହୋଇଥିବା ବେଳେ ଶାସକ ଦଳର ଦୁର୍ନିତି ଗ୍ରସ୍ତ ବିଧାୟକଙ୍କୁ ଦଳରୁ ବହିଷ୍କାର କରି ତାଙ୍କ ଦୁର୍ନୀତି ସଂକ୍ରାନ୍ତୀୟ ମାମଲାର ତଦନ୍ତ ଲୋକାୟୁକ୍ତଙ୍କୁ ଦେବାରେ ମଧ୍ୟ ଓଡିଶା ଉଦାହରଣ ସୃଷ୍ଟି କରିଛି।

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମାମଲା ପ୍ରଥମ ମାମଲା ଭାବେ ତଦନ୍ତ କରିବେ ଲୋକାୟୁକ୍ତ । ଅଧ୍ୟକ୍ଷଙ୍କ ସମେତ ଅନ୍ୟ ୩ଜଣ ସଦସ୍ୟଙ୍କୁ ନେଇ ଗଠିତ ଲୋକାୟୁକ୍ତ । ସାମ୍ବିଧାନିକ ନିରପେକ୍ଷ ସଂସ୍ଥା ଲୋକାୟୁକ୍ତ ଏହି ମାମଲାରେ ପୂର୍ବରୁ ଚାଲିଥିବା ବିଭିନ୍ନ ତଦନ୍ତକାରୀ ସଂସ୍ଥାଙ୍କ ରିପୋର୍ଟ ତଲବ କରି ଅନୁଧ୍ୟାନ କରିବେ । ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ ଏଭଳି କଡା ଆଭିମୁଖ୍ୟକୁ ବୁଦ୍ଧିଜୀବୀମାନେ ସ୍ୱାଗତ କରିଛନ୍ତି ।

ଗତ ୭ ତାରିଖରେ ଏଡିଜେ-୩ କୋର୍ଟରେ ଜାମିନ ନାମଞ୍ଜୁର ହେବା ପରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବର୍ତ୍ତମାନ ଝାରପଡା ଜେଲ୍‌ରେ ଅଛନ୍ତି। ଜାଲିଆତି, ଠକେଇ ଓ ଅପରାଧିକ ଷଡ଼ଯନ୍ତ୍ର ଅଭିଯୋଗ ମାମଲାରେ ଭିଜିଲାନ୍ସ ପ୍ରଦୀପଙ୍କୁ ଗିରଫ କରିଥିଲା। ଟାଟା କମ୍ପାନୀରେ ଚାକିରି କରାଇ ଦେବା ପ୍ରତିଶ୍ରୁତି ଦେଇ ପ୍ରଦୀପ ଆକାଶ ପାଠକଙ୍କ ପକ୍ଷରୁ ଆଶାୟୀ ଯୁବକ ଏବଂ ଯୁବତୀଙ୍କଠୁ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ପ୍ରଦୀପଙ୍କ ବିରୋଧରେ ଦଫା ୪୧୯, ୪୨୦, ୪୬୭, ୪୬୮,  ୪୬୯, ୪୭୧ ଓ ୧୨୦(ଖ)ରେ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.