ଭିଜିଲାନ୍ସ ହାତରେ ଧରାପଡିଲେ ଲାଞ୍ଚୁଆ ଡାକ୍ତର, ଏଲଆଇସି କ୍ଲେମ୍ କ୍ଲିୟରାନ୍ସ ପାଇଁ ନେଉଥିଲେ ଲାଞ୍ଚ

Published By : Prameya-News7 Bureau | July 19, 2022 IST

ଢେଙ୍କାନାଳ ୧୯।୭: ଭିଜିଲାନ୍ସ ହାତରେ ଧରାପଡିଲେ ଲାଞ୍ଚୁଆ ଡାକ୍ତର । ଲାଞ୍ଚ ନେବାବେଳେ ଡାକ୍ତରଙ୍କୁ କାବୁ କଲେ ଭିଜିଲାନ୍ସ ଟିମ୍ ।  ଧରାପଡିଥିବା ଡାକ୍ତର ଜଣଙ୍କ ହେଲେ ଭେଷଜ ବିଶେଷଜ୍ଞ ଉମାକାନ୍ତ ଖଜରିଆ । ଏଲଆଇସି କ୍ଲେମ୍ କ୍ଲିୟରାନ୍ସ ପାଇଁ ୧୧ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଲାଞ୍ଚ ଟଙ୍କା ସହ ଲାଞ୍ଚୁଆ ଡାକ୍ତରଙ୍କୁ ଏହା ଘରୋଇ କ୍ଲିନିକରୁ କାବୁ କରିଛି ଭିଜିଲାନ୍ସ । ସେ ଲାଞ୍ଚ ନେଇଥିବା ରାସାୟନିକ ବୋଳା ୧ ୧ହଜାର ଟଙ୍କା ତାଙ୍କଠାରୁ ଭିଜିଲାନ୍ସ ଜବତ କରିଛି । ଏହି କ୍ଲିନିକରୁ ଡାକ୍ତର ବାବୁଙ୍କ ସମେତ ତାଙ୍କର ଏକ ଇକୋ ସ୍ପୋର୍ଟ କାରକୁ ମଧ୍ୟ ଉଠାଇ ନେଇଛି ଭିଜିଲାନ୍ସ । ଡାକ୍ତର ଜଣଙ୍କ ଏବେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ କାର୍ଯ୍ୟରତ ଅଛନ୍ତି ।

ଡାକ୍ତର ବାବୁ ଜଣଙ୍କ ଏଲଆଇସି  ଡେଥ୍ କ୍ଲେମ୍ ସେଟଲ୍ ପାଇଁ ଆବଶ୍ୟକ ଡାକ୍ତରୀ ସାର୍ଟିଫିକେଟ ପାଇଁ ମୃତକ ପରିବାର ପାଇବାକୁ ଥିବା ମୋଟ ଟଙ୍କାର ଶତକଡା ୧୦ ପ୍ରତିଶତ ଲାଞ୍ଚ ନେଇଥାନ୍ତି ବୋଲି ଭିଜିଲାନ୍ସରେ ଅଭିଯୋଗ ଥିଲା । ତେବେ ଢେଙ୍କାନାଳ ସଦର ଥାନା ଚାଉଳିଆ ଗ୍ରାମର ମୃତା ନନ୍ଦିନୀ ନାୟକଙ୍କର ପରିବାର ଏଲଆଇସି ଡେଥ କ୍ଲେମ ବାବଦକୁ ପାଇବାକୁ ଥିବା ୧ ଲକ୍ଷ ୧୦ ହଜାର ଟଙ୍କାର ୧୦ ପ୍ରତିଶତ ଅର୍ଥାତ ୧୧ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ ଏହି ଲାଞ୍ଚୁଆ ଡାକ୍ତର ବାବୁ । ଅଭିଯୋଗ ପାଇ ମଙ୍ଗଳବାର କଟକ ଭିଜିଲାନ୍ସର ଏକ ଟିମ୍ ଯୋଜନବଦ୍ଧ ଭାବେ ଛକି ବସିଥିବା ବେଳେ ମୃତା ନନ୍ଦିନୀଙ୍କ ବୀମା କରିଥିବା ଏଜେଣ୍ଟ ବୈକୁଣ୍ଠ ଚରଣ ସାହୁଙ୍କଠାରୁ ଏହି ୧୧ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କାବୁ କରିଥିଲା ଭିଜିଲାନ୍ସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.