ନିବେଶ ନିମନ୍ତେ ଭିଏତନାମର ପସନ୍ଦ ଓଡିଶା, ସୁଯୋଗ ସନ୍ଧାନରେ ରାଜ୍ୟ ପରିଦର୍ଶନରେ ୨୨ ଜଣିଆ ପ୍ରତିନିଧି

Published By : Prameya-News7 Bureau | November 16, 2023 IST

ଭୁବନେଶ୍ୱର ୧୬।୧୧: ଅନ୍ତର୍ଜାତୀୟ ସହଯୋଗ ଓ ଅର୍ଥନୈତିକ ଅଭିବୃଦ୍ଧି ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ଓଡ଼ିଶା ସରକାର। ଏହିକ୍ରମରେ ଭିଏତନାମ ଭିନଲାଙ୍ଗ ପ୍ରଦେଶର ୨୨ ଜଣିଆ ପ୍ରତିନିଧି ଦଳ ଓଡିଶା ଗସ୍ତରେ ଆସି ବୟନଶିଳ୍ପ, କୃଷି, ଇଞ୍ଜିନିୟରିଂ, ରସାୟନିକ ପଦାର୍ଥ ଓ ପ୍ଲାଷ୍ଟିକ୍ ଆଦି ବ୍ୟବସାୟରେ ପୁଞ୍ଜି ବିନିଯୋଗର ସୁଯୋଗ ବିଷୟରେ ଅନୁସନ୍ଧାନ କରିଛନ୍ତି।  ଏ ନେଇ ଭିଏତନାମ ପ୍ରତିନିଧି ଏବଂ ଓଡ଼ିଶା ସରକାରଙ୍କ ଅଧିକାରୀଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଯାଇଛି।

ଭିଏତନାମ ପ୍ରତିନିଧିଙ୍କ ପ୍ରାଥମିକ ଉଦ୍ଦେଶ୍ୟ ଉଦ୍ୟୋଗ ଗଠନ ଏବଂ ଅର୍ଥନୈତିକ ପୁଞ୍ଜି ବିନିଯୋଗର ସୁଯୋଗ ଚିହ୍ନଟ କରିବା ଓ ଏହା ସହିତ ବାଣିଜ୍ୟ ଓ ନିବେଶକୁ ପ୍ରୋତ୍ସାହିତ କରିବା। ମଧ୍ୟମ ଓ ଉଚ୍ଚ ପ୍ରଯୁକ୍ତି ବିଦ୍ୟାର ପ୍ରମୁଖ ସ୍ଥଳ ଭାବେ ଭିଏତନାମର ଭିନଲଙ୍ଗ ପ୍ରଦେଶର ମାନ୍ୟତା ରହିଛି। ଏଣୁ ଉଚ୍ଚଶିକ୍ଷା, ସ୍ୱାସ୍ଥ୍ୟସେବା, ତାଲିମ, ଆଇଟି ଓ ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗର ବିକାଶ ଉପରେ ପ୍ରତିନିଧିମାନେ ବିଶେଷ ଧ୍ୟାନ ଦେଇଛନ୍ତି। ତେବେ ପାରସ୍ପାରିକ ଅର୍ଥନୈତିକ ଅଭିବୃଦ୍ଧି ନିମନ୍ତେ ଓଡ଼ିଶାରେ ଥିବା ସୁଯୋଗ ସବୁକୁ ଉପଯୋଗ କରିବାକୁ ଚେଷ୍ଟା କରିଛି ଭିଏତନାମ।

{"id":870669,"sizeSlug":"large","linkDestination":"none"}

ଦ୍ୱିପାକ୍ଷୀକ ବାଣିଜ୍ୟ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା ସହ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିବିନିଯୋଗକୁ ରାଜ୍ୟପ୍ରତି ଆକର୍ଷିତ କରିବା ପାଇଁ ଏହି ପ୍ରତିନିଧି ଦଳ ବିଭିନ୍ନ ଲାଭଜନକ କ୍ଷେତ୍ର ପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି। ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗ ମୁଖ୍ୟ ଶଚିବ ହେମନ୍ତ ଶର୍ମା ଭିନ୍‌ଲଙ୍ଗ ପ୍ରଦେଶର ପ୍ରତିନିଧି ଦଳଙ୍କୁ ସ୍ୱାଗତ କରିବା ସହ ଓଡ଼ିଶାର ଶିଳ୍ପ ଇକୋ ସିଷ୍ଟମ ଉପରେ ଏକ ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ। ଏଥି ସହ ସେ ରାଜ୍ୟର ଶକ୍ତି, ସହଯୋଗ ପାଇଁ ସାମ୍ଭବ୍ୟ କ୍ଷେତ୍ର ଓ ପୁଞ୍ଜି ବିନିଯୋଗ ଏବଂ ବ୍ୟବସାୟ ବିକାଶ ନିମନ୍ତେ ଅନୁକୂଳ ପରିବେଶ ଉପରେ ଆଲୋକପାତ କରିଥିଲେ।

କେନ୍ଦ୍ରୀୟ ଷ୍ଟାଣ୍ଡିଂ କମିଟି ସଦସ୍ୟ ତଥା ଭିଏତନାମ ପ୍ରାଦେଶିକ ପାର୍ଟି କମିଟିର ଗଣଜାଗୃତି ବିଭାଗ ଉପସଭାପତି ନଗୁଏନ ଥି ମିନି ହାନ୍‌ ସମ୍ବୋଧିତ କରି ଓଡ଼ିଶା ଗସ୍ତରେ ତାଙ୍କ ଅନୁଭୂତି, ଉଦ୍ଦେଶ୍ୟ ତଥା ଭିନଲାଙ୍ଗ ପ୍ରଦେଶ ପ୍ରତିନିଧିଙ୍କ ଲକ୍ଷ  ଏବଂ ନିବେଶ ସୁଯୋଗ ସମ୍ପର୍କରେ ଏକ ବିସ୍ତୃତ ଭାଷଣ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଶିଳ୍ପ ଏମଏସଏମଇ ଏବଂ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ଇଡକୋ ଓ ଇପିକଲର ପରିଚାଳନା ନିର୍ଦ୍ଦେଶକ ଭୂପିନ୍ଦର ସିଂହ ପୁନିଆ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଗସ୍ତର ସଫଳତା ଭିଏତନାମ ଏବଂ ଓଡ଼ିଶା ମଧ୍ୟରେ ଗଭୀର ସହଯୋଗ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ସୂଚିତ କରୁଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.