ପାରିଶ୍ରମିକରେ ଖୁସି ଅଛନ୍ତି ବିଦ୍ୟା ବାଲାନ, କହିଲେ-ଅଭିନତାଙ୍କ ତୁଳନାରେ ଅଭିନେତ୍ରୀଙ୍କୁ…
17/12/2022 at 8:23 AM

ମୁମ୍ଵାଇ ୧୭।୧୨: ବଲିଉଡ୍ରେ ସମାନ ପାରିଶ୍ରମିକ ଉପରେ ଅନେକ ଅଭିନେତ୍ରୀ ଖୋଲାଖୋଲି କଥା ହୋଇଛନ୍ତି । ଅଭିନେତାଙ୍କ ତୁଳନାରେ ଅଭିନେତ୍ରୀଙ୍କୁ ଖୁବ୍ କମ୍ ପାରିଶ୍ରମିକ ପ୍ରଦାନ କରାଯାଉଥିବାରୁ ସେମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ପରଦାରେ ମୁଖ୍ୟ ଅଭିନେତାଙ୍କ ଭଳି ସେମାନଙ୍କ ଭୂମିକାର ସମାନ ଗୁରୁତ୍ୱ ରହିଥିଲେ ମଧ୍ୟ ବଲିଉଡ୍ ସେମାନଙ୍କୁ କମ୍ ପାରିଶ୍ରମିକ ଦେଉଛି ବୋଲି ଅନେକ ଅଭିନେତ୍ରୀ ଅଭିଯୋଗ ଉଠାଇଛନ୍ତି ।
ଏବେ ବିଦ୍ୟା ବାଲନ୍ ଏ ବିଷୟରେ ଆଲୋଚନା କରି ଚର୍ଚ୍ଚାକୁ ଆସିଛନ୍ତି । ସେ କହିଛନ୍ତି, କାମ ପାଇଁ ଯାହା ପାରିଶ୍ରମିକ ପାଉଛନ୍ତି, ସେଥିରେ ସେ ଖୁସି ।ଇଣ୍ଡଷ୍ଟ୍ରିର ଆଗଧାଡ଼ିର ନାୟକଙ୍କ ସହ ସେ କ୍ୱଚିତ୍ କାମ କରିଥିବାରୁ ପାରିଶ୍ରମିକ ତାରତମ୍ୟ ବିଷୟରେ ବେଶି ଧାରଣା ନାହିଁ ବୋଲି ବିଦ୍ୟା କହିଛନ୍ତି । ଯାହା ସେ ପାଉଛନ୍ତି, ଆଗଧାଡ଼ିର ଫିଲ୍ମମାନଙ୍କରେ ବଡ଼ କଳାକାରମାନେ ତା’ଠୁ ୧୦ ଗୁଣ ପାରିଶ୍ରମିକ ଦାବି କରୁଛନ୍ତି ସତ ।
କିନ୍ତୁ ଯେତେ ପ୍ରୋଜେକ୍ଟରେ ସେ କାମ କରିଛନ୍ତି, ଉଚିତ୍ ପାରିଶ୍ରମିକ ପାଇଛନ୍ତି ବୋଲି ସେ ଭାବନ୍ତି । ଖୁବ୍ଶୀଘ୍ର ପ୍ରତୀକ ଗାନ୍ଧିଙ୍କ ସହ ଏକ ଫିଲ୍ମରେ ନଜର ଆସିବେ ବିଦ୍ୟା । ଏଥିରେ ତାଙ୍କ ସହ ଇଲିଆନା ଡିକ୍ରୁଜ୍ ଓ ସେନ୍ଧିଲ ରାମମୂର୍ତ୍ତି ମଧ୍ୟ ଅଭିନୟ କରିଛନ୍ତି । ‘ନୋ ୱାନ୍ କିଲ୍ଡ ଜେସିକା’, ‘ଡାର୍ଟି ପିକ୍ଚର’, ‘କାହାନୀ’ ଭଳି ଚଳଚ୍ଚିତ୍ର ପାଇଁ ବଲିଉଡ୍ରେ ବିଦ୍ୟା ସ୍ୱତନ୍ତ୍ର ପରିଚିତି ପାଇଛନ୍ତି ।