ବିମାନରେ ଯାତ୍ରୀ-କ୍ରୁ ମେମ୍ବରଙ୍କ ମଧ୍ୟରେ ଲାଗିଲା ଝଗଡ଼ା, ଭିଡିଓ ଭାଇରାଲ…
21/12/2022 at 10:59 PM

ନୂଆଦିଲ୍ଳୀ, ୨୧/୧୨: ବିମାନରେ ଯାତ୍ରୀ ଏବଂ କ୍ରୁ ମେମ୍ବରଙ୍କ ମଧ୍ୟରେ ଯୁକ୍ତିତର୍କ। ଖାଦ୍ୟକୁ ନେଇ ଯାତ୍ରୀ-କ୍ରୁ ମେମ୍ବରଙ୍କ ମଧ୍ୟରେ କଥା କଟାକଟି। ଇଣ୍ଟରନେଟ୍ରେ ଇଣ୍ଡିଗୋ ବିମାନର କ୍ରୁ ମେମ୍ବର ଏବଂ ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀଙ୍କ ମଧ୍ୟରେ ଝଗଡ଼ାର ଭିଡିଓ ଖୁବ୍ ଭାଇରାଲ ହେଉଛି। ଇଣ୍ଡିଗୋର ଏହି ବିମାନ ଇସ୍ତାନବୁଲରୁ ଦିଲ୍ଳୀ ଆସୁଥିଲା। ଏହି ଭିଡିଓରେ ଦେଖାଯାଉଛି କ୍ରୁ ମେମ୍ବର ଏବଂ ଜଣେ ଯାତ୍ରୀଙ୍କ ମଧ୍ୟରେ ଖୁବ୍ ଜୋରରେ ପାଟିତୁଣ୍ଡ ଦେଖାଯାଉଛି।
ଏବେ ଏହି ଘଟଣାରେ ପ୍ରତିକ୍ରିୟା ରଖି ଇଣ୍ଡିଗୋ କହିଛି ଯେଉଁ ଯାତ୍ରୀଙ୍କ ସହ କ୍ରୁ ମେମ୍ବରଙ୍କ ଝଗଡ଼ା ହୋଇଛି ସେ ବିମାନରେ ଖାଦ୍ୟକୁ ନେଇ ଖରାପ ବ୍ୟବହାର କରିଥିଲେ। ପରେ ଜଣେ ଏୟାରହୋଷ୍ଟେସଙ୍କ ସହ ଖରାପ ବ୍ୟବହାର କରିଥିଲେ। ଯେଉଁ କ୍ରୁ ମେମ୍ବରଙ୍କ ସହ ଯାତ୍ରୀଙ୍କ ଝଗଡ଼ା ହେଉଥିଲା ସେ ସେହି ଟିମ୍ର ଲିଡର ଥଲେ ତେଣୁ ସେ ମାମଲାରେ ହସ୍ତକ୍ଷେପ କରିଥିଲେ। ବିମାନ କମ୍ପାନୀ ଏକ ବୟାନରେ କହିଛି ଯେ ଆମେ ଏହି ମାମଲାରେ ଯାଞ୍ଚ କରୁଛି। ଆମ ପାଇଁ ଗ୍ରାହକଙ୍କ ସୁବିଧା ପ୍ରାଥମିକତା।
ସୂଚନାଥାଉ ଏଭଳି ଘଟଣା ପ୍ରଥମ ନୁହେଁ। ଏହା ପୂର୍ବରୁ ଇଣ୍ଡିଗୋର ଜଣେ ପାଇଲଟଙ୍କୁ ଡିଜିସିଏ ମହିଳା ଯାତ୍ରୀଙ୍କୁ ଦୁର୍ବବ୍ୟବହାର ଅଭିଯୋଗରେ ତିନିମାସ ପାଇଁ ସସପେଣ୍ଡ କରିଥିଲା। ଯେତେବେଳେ ଜଣେ ବ୍ୟକ୍ତି ନିଜର ଅସୁସ୍ଥ ମା’ ଙ୍କ ପାଇଁ ହ୍ବିଲଚେୟାର ମାଗିଥିଲେ ଆଉ ଏହାପରେ ପାଇଲଟ ମହିଳା ଯାତ୍ରୀଙ୍କୁ ଜେଲ ପଠାଇବାକୁ ଧମକ ଦେଇଥିଲେ। ଘଟଣା ପରେ ଏୟାରଲାଇନ୍ସ ପାଇଲଟଙ୍କୁ ଡ୍ୟୁଟିରୁ ହଟାଇଥିଲା। ଏବେ ଡିଜିସିଏ ପାଇଲଟ ଉପରେ କାର୍ଯ୍ୟାନୁଷ୍ଠାନ କରିଥିଲା। ଏହି ମାମଲା ଚେନ୍ନାଇରୁ ବାଙ୍ଗାଲୋର ଯାଉଥିବା ବିମାନରେ ଘଟିଥିଲା।