ରୋହିତ ଶର୍ମାଙ୍କୁ ଭେଟିବା ପାଇଁ ପଡିଆ ଭିତରକୁ ପଶି ଆସିଲେ 'ଜବ୍ରା ଫ୍ୟାନ୍', ପଡିଲା ମହଙ୍ଗା

Published By : Prameya-News7 Bureau | November 06, 2022 IST

ମେଲବର୍ଣ୍ଣ: 'ଜବ୍ରା ଫ୍ୟାନ୍' ନିଜ ପ୍ରିୟ ଖେଳାଳିଙ୍କୁ ଭେଟିବା ପାଇଁ ସମସ୍ତ ସୀମା ଲାଙ୍ଘୁଥିବାର ଦୃଶ୍ୟ କ୍ରିକେଟ୍ ପଡିଆରେ ସର୍ବଦା ଦେଖିବାକୁ ମିଳିଛି। ଟି-୨୦ ବିଶ୍ଵ କପ୍ ୨୦୨୨ରେ ଭାରତ ବନାମ ଜିମ୍ବାଓ୍ଵେ ମ୍ୟାଚ୍‌ ସମୟରେ ବି ଏମିତି ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ଭାରତୀୟ ପ୍ରଶଂସକ ସୁରକ୍ଷାକୁ ଲାଙ୍ଘି ରୋହିତ ଶର୍ମାଙ୍କୁ ଭେଟିବା ପାଇଁ ପଡିଆ ଭିତରକୁ ପଶି ଆସିଥିଲେ। ହେଲେ ତାଙ୍କୁ  ଜଣାନଥିଲା ଯେ, ଏହାର ପରିଣାମ ତାଙ୍କୁ ଭୋଗିବାକୁ ପଡିବ। ପ୍ରଶଂସକଙ୍କ ଉପରେ ଲକ୍ଷାଧିକ ଟଙ୍କାର ଜରିମାନା ଲାଗିଛି।

ଖବର ଅନୁଯାୟୀ, ମ୍ୟାଚ୍ ସମୟରେ ପଡିଆ ଭିତରକୁ ପଶିବା ଅପରାଧରେ ଉକ୍ତ ପ୍ରଶଂସକଙ୍କ ଉପରେ ୬ ଲକ୍ଷ ୫୦ ହଜାର ଟଙ୍କାର ଜରିମାନା ଲାଗୁ କରାଯାଇଛି। ଏହି ଘଟଣା ଜିମ୍ବାଓ୍ଵେ ଇନିଂସର ୧୭ତମ ଓଭରରେ ଘଟିଛି। ପଡିଆ ଭିତରକୁ ପଶିବା ମାତ୍ରେ ସୁରକ୍ଷା କର୍ମୀ ପ୍ରଶଂସକଙ୍କ ଧରିବା ପାଇଁ ଉଦ୍ୟମ କରିଥିଲେ  ହେଁ, ସେ ଚକମା ଦେଇ ରୋହିତ ଶର୍ମାଙ୍କ ଆଡକୁ ଦୌଡିବାରେ ଲାଗିଥିଲେ।

wp:html /wp:html

ଏହି ସମୟରେ ଜଣେ ଗାର୍ଡ ଚମତ୍କାର ଡ୍ରାଇଭ ମାରି ଏହି ଜବ୍ରା ଫ୍ୟାନଙ୍କୁ କାବୁ କରିବାରେ ସଫଳ   ହୋଇଥିଲେ। ଯେବେ ସୁରକ୍ଷାକର୍ମୀ ତାଙ୍କୁ ଧରିଲେ ରୋହିତ ଶର୍ମା ତୁରନ୍ତ ନିକଟକୁ ଆସି ପ୍ରଶଂସକଙ୍କୁ ଆରାମରେ ବାହାରକୁ ନେଇ ଯିବାକୁ କହିଥିଲେ। ବାହାରକୁ  ଯିବା ସମୟରେ ଏହି ପ୍ରଶଂସକଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା।

wp:html /wp:html

ଟି-୨୦ ବିଶ୍ଵ କପ୍ ୨୦୨୨ର ଶେଷ ମ୍ୟାଚ୍‌ରେ ଜିମ୍ବାଓ୍ଵେକୁ ୭୧ ରନରେ ହରାଇ ଭାରତ ଗ୍ରୁପ -୨ର ଶୀର୍ଷ ସ୍ଥାନ ହାସଲ କରିଛି। ଏବେ ଭାରତ ସେମି ଫାଇନାଲ୍‌ରେ ଗ୍ରୁପ-୧ର ଦ୍ଵିତୀୟ ସ୍ଥାନରେ ଥିବା ଇଂଲଣ୍ଡକୁ ଭେଟିବ। ସୁର୍ଯ୍ୟକୁମାର ଯାଦବଙ୍କ ୬୧ ରନର ବିସ୍ଫୋରକ ଇନିଂସ ଏବଂ କେଏଲ ରାହୁଲଙ୍କ ୫୧ ରନ ବଳରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୮୬ ରନ କରିଥିଲା। ଜବାବରେ ଜିମ୍ବାଓ୍ଵେ ଭାରତୀୟ ବୋଲରଙ୍କ ଉଚିତ୍ ମୁକାବିଲା କରିନପାରି ୧୭.୨ ଓଭରରେ ୧୧୫ ରନରେ ଅଲଆଉଟ୍ ହୋଇଛି। ଦଳ ପକ୍ଷରୁ ରବି ଚନ୍ଦ୍ରନ ଅଶ୍ଵିନ ସର୍ବାଧିକ ୩ଟି ଓ୍ଵିକେଟ୍ ନେଇଥିବା ବେଳେ ମହମ୍ମଦ ଶାମି ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.