ନୂଆଦିଲ୍ଲୀ : ୟେମେନର ରାଜଧାନୀ ସନାରେ ଜୀବନ ଓ ମୃତ୍ୟୁର ଲଢେଇ ଲଢୁଥିବା କେରଳର ନର୍ସ ନିମିଷା ପ୍ରିୟାଙ୍କୁ ଲାଗିଛି ବଡ଼ ଝଟକା। ତଲାଲ ଅବ୍ଦୋ ମହଦୀଙ୍କ ଭାଇ ନିମିଷାଙ୍କୁ ବ୍ଲଡ୍ ମନି ନେଇ କ୍ଷମା ଦେବାକୁ ମନା କରି ଦେଇଛନ୍ତି। ହେଲେ ଏବେ ବି ନିମିଷାଙ୍କର ଜୀବନ ବଞ୍ଚାଇବା ପାଇଁ ପରିବାର ଓ ସରକାରଙ୍କ ପକ୍ଷରୁ ଅନେକ ଚେଷ୍ଟା ଜାରି ରହିଛି ଏବଂ କିଛି ବି ଶେଷ ନିଷ୍ପତ୍ତି ସ୍ଥିର ହୋଇ ନାହିଁ।
ନିମିଷାଙ୍କୁ ପ୍ରଥମେ ୧୬ ଜୁଲାଇରେ ଫାଶୀ ଦିଆଯିବାର ଥିଲା , କିନ୍ତୁ ଭାରତ ସରକାର ତାଙ୍କୁ ବଞ୍ଚାଇବାକୁ ଜୋରସୋରରେ ପ୍ରୟାସ କରୁଛନ୍ତି ଏବଂ ଫଳରେ କିଛି ଦିନ ପାଇଁ ଫାଶୀକୁ ସ୍ଥଗିତ ରଖାଯାଇଛି। ନର୍ସଙ୍କ ପରିବାର ତଲାଲଙ୍କ ଭାଇଙ୍କୁ ସଂପର୍କ କରିଛନ୍ତି ଏବଂ ବ୍ଲଡ ମନି ମାଧ୍ୟମରେ ତାଙ୍କର ଜୀବନ ବଞ୍ଚାଇବାର ଚେଷ୍ଟାରେ ଲାଗି ପଡ଼ିଛନ୍ତି। ବ୍ଲଡ ମନି ପାଇଁ ନିମିଷାଙ୍କ ପକ୍ଷରୁ ସାଢେ ଆଠ କୋଟି ଟଙ୍କା ତଲାଲଙ୍କ ଭାଇଙ୍କୁ ଅଫର କରାଯାଇଛି।
ହେଲେ, ଏହା ସତ୍ତ୍ୱେ ମଧ୍ୟ ତଲାଲଙ୍କ ପରିବାର ସ୍ପଷ୍ଟ କରିଦେଇଛି ଯେ, ନ୍ୟାୟ ମିଳିବ ହେଲେ ମଧ୍ୟ ମିଳିବ। ତଲାଲଙ୍କ ଭାଇ ଅବଦୁଲ ଫତାହ ମହଦି ବିବିସି ଆରବୀକୁ କହିଛନ୍ତି ଯେ, ପରିବାର କିସାସର ଦାବି କରୁଛନ୍ତି। ଏହା ଏକ ଇସଲାମୀ ଆଇନ ଶବ୍ଦ, ଯାହା ପ୍ରତିଶୋଧ କିମ୍ୱା ପ୍ରତିଶୋଧମୂଳକ ନ୍ୟାୟର ନୀତିକୁ ଦର୍ଶାଇ ଥାଏ। ଅବଦୁଲ କହିଛନ୍ତି ଯେ, ପ୍ରିୟାଙ୍କୁ ଫାଶୀ ଦିଆଯିବା ଉଚିତ୍। ସେ ଆହୁରି କହିଛନ୍ତି , ପରିବାର ନିମିଷା ପ୍ରିୟାଙ୍କ ଜୀବନ ବଞ୍ଚାଇବା ପାଇଁ କ୍ଷମା କରିବ ନାହିଁ କି ବ୍ଲଡ୍ ମନି ସ୍ୱୀକାର କରିବ ନାହିଁ।
ଅନ୍ୟପଟେ, ଗତ ପାଞ୍ଚ ବର୍ଷ ହେବ ନିମିଷାଙ୍କ ଜୀବନ ରକ୍ଷା କରିବାକୁ ପ୍ରୟାସରେ ଲାଗିଥିବା ସୋସିଆଲ ୱାର୍କର ସାମୁଏଲ ଜେରୋମ କହିଛନ୍ତି ଯେ, ୟେମେନ ସରକାର ସଂପୂର୍ଣ୍ଣ ରୂପେ ଦୟାଳୁ, କିନ୍ତୁ ଆମେ ତଲାଲଙ୍କ ପରିବାରର ଯନ୍ତ୍ରଣାକୁ ବୁଝିବାକୁ ହେବ। ତାଙ୍କର ବିଶ୍ୱାସ ଜିତିବା ପାଇଁ ଓ ନିମିଷା ପ୍ରିୟାଙ୍କୁ କ୍ଷମା ଦେବା ପାଇଁ ଭାରତ ଓ ୟେମେନ ସରକାର ସହ ଆଲୋଚନା ଜାରି ରଖିବାକୁ ହେବ।
ଏହା ପୂର୍ବରୁ, କେନ୍ଦ୍ର ଶୁକ୍ରବାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ, ୟେମେନରେ ହତ୍ୟା ଅପରାଧରେ ମୃତ୍ୟୁଦଣ୍ଡର ସମ୍ମୁଖୀନ ହେଉଥିବା ଭାରତୀୟ ନର୍ସ ନିମିଷା ପ୍ରିୟାଙ୍କ ସୁରକ୍ଷିତ ମୁକ୍ତି ସୁନିଶ୍ଚିତ କରିବାକୁ ସରକାର ଯଥା ସମ୍ଭବ ପ୍ରୟାସ କରୁଛନ୍ତି। ଜଷ୍ଟିସ୍ ବିକ୍ରମ ନାଥ ଓ ବିଚାରପତି ସନ୍ଦୀପ ମେହଟ୍ଟାଙ୍କର ପୀଠକୁ ସୂଚିତ କରାଯାଇଛି ଯେ, ପ୍ରିୟାଙ୍କ ଫାଶୀ ଉପରେ ରୋକ୍ ଲଗାଯାଇଛି। ତାଙ୍କୁ୧୬ଜୁଲାଇରେ ଫାଶି ଦିଆଯିବାର ଥିଲା। ଆବଦେନକାରୀ ସଙ୍ଗଠନ ‘ସେଭ୍ ନିମିଷା ପ୍ରିୟା- ଇଣ୍ଟରନ୍ୟାସନାଲ ଆକ୍ସନ କାଉନ୍ସିଲ‘ର ଓକିଲ ପୀଡ଼ିତଙ୍କ ପରିବାର ସହ କଥାବାର୍ତ୍ତା କରିବାକୁ ୟେମେନ ଯିବା ପାଇଁ ଏକ ପ୍ରତିନିଧିମଣ୍ଡଳ ଗଠନ କରିବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି। ପୀଠ କହିଛି ଯେ, ଆବେଦନକାରୀ ସରକାରଙ୍କ ସମ୍ମୁଖରେ ନିଜର ପକ୍ଷ ରଖିପାରେ।