ସଂସଦୀୟ କମିଟିମାନଙ୍କରେ କର୍ମଚାରୀ ନିଯୁକ୍ତି କରି ଘେରିଲେ ଉପରାଷ୍ଟ୍ରପତି ଜଗଦ୍ଦୀପ ଧନଖଡ
9/03/2023 at 7:50 PM

ନୂଆଦିଲ୍ଲୀ ୯।୩ : ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦ୍ଦୀପ ଧନଖଡ ତାଙ୍କ ବ୍ୟକ୍ତିଗତ କର୍ମଚାରୀ ସମ୍ବଦ୍ଧିତ ୮ ଅଧିକାରୀଙ୍କୁ ୧୨ ସ୍ଥାୟୀ କମିଟି ଓ ୮ ବିଭାଗ ସମ୍ପର୍କିତ ସ୍ଥାୟୀ କମିଟିରେ ନିଯୁକ୍ତ କରିଦେଇଛନ୍ତି। ଯାହାକୁ ନେଇ ବିରୋଧୀ ଏବେ ଉପରାଷ୍ଟ୍ରପତିଙ୍କୁ ଟାର୍ଗେଟ୍ କରିଛନ୍ତି। କଂଗ୍ରେସ ସାଂସଦ ମନିଷ ତିୱାରୀ ସଂସଦୀୟ ସ୍ଥାୟୀ କମିଟି ମାନଙ୍କରେ ଘରୋଇ କର୍ମଚାରୀଙ୍କ ନିଯୁକ୍ତି କିପରି ହୋଇ ପାରିବ ବୋଲି ପ୍ରଶ୍ନ କରିଛନ୍ତି। ଏହା ସଂସ୍ଥାମାନଙ୍କୁ ନଷ୍ଟ କରିବା ଭଳି ନୁହେଁ କି ବୋଲି ସେ ପଚାରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ରାଜ୍ୟସଭା ସଚିବାଳୟ ପକ୍ଷରୁ ମଙ୍ଗଳବାର ଏକ ଆଦେଶ ଜାରି ହୋଇଥିଲା। ଏଥିରେ କମିଟି ମାନଙ୍କରେ ଅଧିକାରୀମାନଙ୍କୁ ତତ୍କାଳ ପ୍ରଭାବରେ ନିଯୁକ୍ତି ଆଦେଶ ଦିଆଯାଇଥିଲା। ଆଦେଶ ଅନୁସାରେ ଉପରାଷ୍ଟ୍ରପତି ଜଗଦ୍ଦୀପ ଧନଖଡଙ୍କ ୮ ବ୍ୟକ୍ତିଗତ ଅଧିକାରୀମାନଙ୍କୁ ୨୦ଟି ସଂସଦୀୟ କମିଟିରେ ନିଯୁକ୍ତି କରାଯାଇଥିଲା। ଏଥିରୁ ୪ କର୍ମଚାରୀ ଉପରାଷ୍ଟ୍ରପତିଙ୍କ ସଚିବାଳୟ ଅନ୍ତର୍ଗତ ହୋଇଥିବା ବେଳେ ୪ ଜଣ ରାଜ୍ୟସଭା ଅଧ୍ୟକ୍ଷଙ୍କ ଅଧୀନରେ କାମ କରନ୍ତି। ତେବେ ଉପରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ କର୍ମଚାରୀମାନଙ୍କୁ ସଂସଦୀୟ ସ୍ଥାୟୀ କମିଟିରେ ନିଯୁକ୍ତିକୁ ଏବେ ଏହି କମିଟି ମାନଙ୍କ କାମଦାମରେ ସିଧା ଦଖଲ ଦେବା ଭଳି ଦେଖା ଯାଉଛି।
ଏହି ସବୁ ସଂସଦୀୟ କମିଟିମାନଙ୍କର କାର୍ଯ୍ୟାନୁଷ୍ଠାନ ଗୁପ୍ତ ହୋଇଥାଏ। ତେବେ ଉପରାଷ୍ଟ୍ରପତି ଏହି ସବୁଥିରେ ତାଙ୍କ ବ୍ୟକ୍ତିଗତ କର୍ମଚାରୀଙ୍କୁ ନିଯୁକ୍ତ କରି ସେମାନଙ୍କ କାର୍ଯ୍ୟରେ ଦଖଲ ଦେବା ଭଳି କାମ କରିଛନ୍ତି। ଏଥିରେ ଉପରାଷ୍ଟ୍ରପତିଙ୍କ ଓଏସଡି ରାଜେଶ ଏନ. ନାୟକଙ୍କୁ ବିଜନେସ୍ ଆଡଭାଇଜରି କମିଟି, ଜେନେରାଲ ପରପଜ କମିଟି ଓ ଗୃହମନ୍ତ୍ରାଳୟ ସମ୍ପର୍କିତ କମିଟିରେ ନିଯୁକ୍ତ କରାଯାଇଛି। ସେହିପରି ଉପରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ସଚିବ ସୁଜିତ କୁମାର ରାଜ୍ୟସଭାରେ ସୂଚନା ଓ ସଞ୍ଚାର ବୈଷୟିକ ପ୍ରବନ୍ଧନ କମିଟି, ବାଣିଜ୍ୟ କମିଟି, ବିଜ୍ଞାନ, ବୈଷୟିକ, ପରିବେଷ ବନ ଓ ପାଣିପାଗ ପରିବର୍ତ୍ତନ ମନ୍ତ୍ରାଳୟ କମିଟିରେ ନିଯୁକ୍ତ ହୋଇଛନ୍ତି।
ଏହା ଛଡା ରାଜ୍ୟସଭା ଅଧ୍ୟକ୍ଷଙ୍କ ଓଏସଡି ଅଖିଳ ଚୌଧୁରୀଙ୍କୁ ଏଥିକ୍ସ, ପେପର୍ସ ଲେଡ ଅନ ଟେବୁଲ ଓ ଉଦ୍ୟୋଗମନ୍ତ୍ରାଳୟଙ୍କ କମିଟିରେ ନିଯୁକ୍ତ କରାଯାଇଛି। ଉପରାଷ୍ଟ୍ରପତିଙ୍କ ଏପିଏସ୍ ସଞ୍ଜୟ ବର୍ମା ଗଭର୍ଣ୍ଣମେଣ୍ଟ ଆସ୍ୟୋରାନ୍ସରେ ନିଯୁକ୍ତ ହୋଇଛନ୍ତି। ଉପରାଷ୍ଟ୍ରପତିଙ୍କ ଏପିଏସ୍ ଅଭ୍ୟୁଦୟ ସିଂହ ଶେଖାୱତ ହାଉସ୍ କମିଟି, ପିଟିସନ କମିଟି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ କମିଟିମାନଙ୍କରେ ନିଯୁକ୍ତ ହୋଇଛନ୍ତି।
ସ୍ଥାୟୀ କମିଟି ମାନଙ୍କରେ ନିଯୁକ୍ତି ଲାଗି ରାଜ୍ୟସଭା ଅଧ୍ୟକ୍ଷ ଓ ଉପରାଷ୍ଟ୍ରପତିଙ୍କ ଅଧିକାର ଥାଏ। ଏଥିଲାଗି ସାଧାରଣତଃ ଯୁଗ୍ମ ସଚିବ ସ୍ତରୀୟ ସରକାରୀ ଅଧିକାରୀମାନେ ସଂସଦୀୟ କମିଟି ମାନଙ୍କରେ କାମ ଦେଖରେଖ କରିଥାନ୍ତି ଓ ସିଧାଶଳଖ ରାଜ୍ୟସଭା ଜେନେରାଲ ସେକ୍ରେଟାରୀଙ୍କୁ ରିପୋର୍ଟ କରିଥାନ୍ତି। ଜେନେରାଲ ସେକ୍ରେଟାରୀ ସଂସଦୀୟ କମିଟିମାନଙ୍କରେ କାର୍ଯ୍ୟ ସମ୍ପର୍କରେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଚ୍ରପତିଙ୍କୁ ସୂଚିତ କରିଥାନ୍ତି। ସଂସଦୀୟ କମିଟି ଅଧ୍ୟକ୍ଷ ସଂସଦ ପ୍ରତି ଉତ୍ତରଦାୟୀ ଥାନ୍ତି।
ତେବେ ରାଜ୍ୟସଭା ଓ ଲୋକସଭାର କେତେକ କମିଟି ଅଲଗା ପ୍ରକାରର ହୋଇଥାନ୍ତି ଓ ଆଉ କେତେକ ଉଭୟ ସଦନର ମିଳିତ କମିଟି ହୋଇଥାନ୍ତି। ଏହି ସବୁ କମିଟି ମାନଙ୍କରେ ରାଜ୍ୟସଭା ଅଧ୍ୟକ୍ଷ ସଦସ୍ୟଙ୍କୁ ନିଯୁକ୍ତି କରିଥାନ୍ତି। ଏହା ଛଡା ପିଟିସନ କମିଟି ଓ ପ୍ରିଭିଲେଜ କମିଟି ଏପରି କମିଟିରେ ଏପରି ଅଧିକାରୀଙ୍କୁ ନିଯୁକ୍ତ କରାଯାଏ ଯେଉଁମାନେ ପ୍ରସଙ୍ଗରେ ଅଭିଜ୍ଞ। ଏଥିରେ ଆସ୍ୟୋରାନ୍ସ କମିଟି ଏକ ଏପରି କମିଟି ଯାହା ଯାହା ସରକାରଙ୍କ କାମଧନ୍ଦା ଉପରେ ନଜର ରଖନ୍ତି।
ତେବେ ଉପରାଷ୍ଟ୍ରପତିଙ୍କ କର୍ମଚାରୀମାନେ ତାଙ୍କ ସମ୍ପର୍କିତ ସାଧାରଣ କାମଧନ୍ଦା ଯେପରିକି ଉପରାଷ୍ଟ୍ରପତିଙ୍କ ସହ ଲୋକଙ୍କୁ ଭେଟ କରାଇବା, ଲୋକଙ୍କ ଚିଠିପତ୍ରର ଉତ୍ତର ଦେବା, ବିଦେଶ ଗସ୍ତ କାଳରେ ଉପରାଷ୍ଟ୍ରପତିଙ୍କୁ ସହଯୋଗ କରିବା ଆଦି କାମ କରିଥାନ୍ତି। ତେବେ ଏପରି କର୍ମଚାରୀମାନେ ସଂସଦୀୟ କମିଟିର କାର୍ଯ୍ୟଧାରା ବିଷୟରେ ଜାଣନ୍ତି ନାହିଁ କି ଏପରି କାମର ସେମାନଙ୍କର ଅଭିଜ୍ଞତା ବି ନାହିଁ। ତେବେ ଏପରି କର୍ମଚାରୀଙ୍କୁ କମିଟି ମାନଙ୍କରେ ନିଯୁକ୍ତି ଦ୍ୱାରା କମିଟି ମାନଙ୍କର ଗୋପନୀୟତା ଉଲ୍ଲଂଘନ ହେବାର ସମ୍ଭାବନା ରହିଛି। ଏଣୁ ଏପର୍ଯ୍ୟନ୍ତ ଏପରି କର୍ମଚାରୀଙ୍କୁ କମିଟିରେ କେବେ ନିଯୁକ୍ତ କରାଯାଇନି।