ରାମଚରିତମାନସ ବିବାଦ; ଏସପି ଏବଂ ଆରଜେଡିର ମାନ୍ୟତା ରଦ୍ଦ ପାଇଁ ଦାବି କଲା VHP
2/02/2023 at 7:29 PM

ନୂଆଦିଲ୍ଲୀ: ବିଶ୍ୱ ହିନ୍ଦୁ ପରିଷଦ ଗୁରୁବାର ରାମଚରିତମାନସ ବିବାଦକୁ ନେଇ ସମାଜବାଦୀ ପାର୍ଟି ଏବଂ ଆରଜେଡିର ମାନ୍ୟତା ରଦ୍ଦ କରିବା ପାଇଁ ନିର୍ବାଚନ ଆୟୋଗଙ୍କ ନିକଟରେ ଦାବି କରିଛି । ଏହି ବିଷୟରେ ନିର୍ବାଚନ ଆୟୋଗଙ୍କୁ ଭେଟିବା ପାଇଁ ସମୟ ମାଗିଛି ବିଶ୍ୱ ହିନ୍ଦୁ ପରିଷଦ । ବିଶ୍ୱ ହିନ୍ଦୁ ପରିଷଦ କହିଛି ଯେ ନିର୍ବାଚନ ଆୟୋଗ ଏସପି ଏବଂ ଆରଜେଡିର ମାନ୍ୟତା ରଦ୍ଦ କରିବା ଦରକାର ।
ବିଶ୍ୱ ହିନ୍ଦୁ ପରିଷଦ କହିଛି ଯେ ଏହି ଦୁଇ ପାର୍ଟି ରାମଚରିତମାନସ ବିରୋଧରେ ନିଜ ନେତାଙ୍କ ଦ୍ୱାରା ଦିଆଯାଇଥିବା ବିବାଦୀୟ ଟିପ୍ପଣୀ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି । ଯେଉଁ ଅଧିନିୟମରେ ସେମାନଙ୍କୁ ରାଜନୈତିକ ଦଳ ଭାବେ ପଞ୍ଜିକୃତ କରାଯାଇଛି, ସେହି ନିୟମର ଏହା ଉଲ୍ଲଂଘନ କରୁଛି । ଭିଏଚପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଆଲୋକ କୁମାର ଏହି ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାରଙ୍କୁ ସମୟ ମାଗିଛନ୍ତି ।
Press Statement :
— Vishva Hindu Parishad -VHP (@VHPDigital) February 2, 2023
VHP to meet CEC for de-recognising SP & RJD pic.twitter.com/uTm0LSViF8
ଭିଏଚପିର ଅଭିଯୋଗ ସମାଜବାଦୀ ପାର୍ଟି ନେତା ସ୍ୱାମୀ ପ୍ରସାଦ ମୌର୍ଯ୍ୟ ନିଜ ବୟାନରେ ‘ରାମଚରିତମାନସ’ର ଅପମାନ କରିବା ଏବଂ ଏହା ପୃଷ୍ଠା ଜଳାଇ ଦେଶର ନାଗରିକଙ୍କ ଏକ ବର୍ଗର ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଛନ୍ତି । ଏହା ଜାଣିଶୁଣି କରିଥିବା ଏକ ଦୁର୍ଭାଗ୍ୟପୂର୍ଣ୍ଣ କାର୍ଯ୍ୟ ଅଟେ । ଏହାସହ ଦାବି କରାଯାଉଛି ଯେ ମୌର୍ଯ୍ୟଙ୍କ ଟିପ୍ପଣୀ ଉପରେ ତାଙ୍କୁ ମହାସଚିବ ପଦକୁ ପଦୋନ୍ନତି ଦିଆଯାଇଥିଲା, ଏହା ପ୍ରମାଣିତ କରୁଛି ଯେ ତାଙ୍କ ବୟାନକୁ ଦଳ ସମର୍ଥନ କରୁଛି ।
ଅନ୍ୟପଟେ ଆରଜେଡିକୁ ନେଇ ଭିଏଚପି କହିଛି, ଆରଜେଡି ନେତା ଚନ୍ଦ୍ରଶେଖର ମଧ୍ୟ ରାମଚରିତମାନସ ଏବଂ ଅନ୍ୟ ପବିତ୍ର ଗ୍ରନ୍ଥକୁ ଜାଣିଶୁଣି ସମାଲୋଚନା କରିଛନ୍ତି ଯାହା ଦୁର୍ଭାଗ୍ୟଜନକ ଅଟେ । ଏହାଦ୍ୱାରା ହିନ୍ଦୁ ସମାଜ ମଧ୍ୟରେ ଆକ୍ରୋଶ ଏବଂ ଅବିଶ୍ୱାସ ସୃଷ୍ଟି ହୋଇଛି । ଚନ୍ଦ୍ରଶେଖରଙ୍କ ବିରୋଧରେ ଆରଜେଡି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ, ଯାହା ସ୍ପଷ୍ଟ କରୁଛି ତାଙ୍କ ବୟାନକୁ ଦଳର ସମର୍ଥନ ରହିଛି ।