ଶ୍ରଦ୍ଧା ଓ୍ଵାକରଙ୍କ ପରି ଅବସ୍ଥା କେହି ନଭୋଗନ୍ତୁ, ଭିଏଚପି ଏବଂ ବଜରଙ୍ଗ ଦଳ ଲଞ୍ଚ୍ କଲେ ଲଭ୍ ଜିହାଦ ହେଲ୍ପଲାଇନ୍

Published By : Prameya-News7 Bureau | January 05, 2023 IST

ମାଙ୍ଗାଲୋର:  ଲଭ୍ ଜିହାଦ୍ ମାମଲାରେ ସୂଚନା ଦେବା ପାଇଁ ବଜରଙ୍ଗ ଦଳ ଏବଂ ବିଶ୍ଵ ହିନ୍ଦୁ ପରିଷଦ ଏକ ହେଲ୍ପ ଲାଇନ୍‌ ନମ୍ବର ଆରମ୍ଭ କରିଛନ୍ତି। ଭିଏଚପି ନେତା ଶରଣ ପମ୍ପଓ୍ଵେଲ୍ କହିଛନ୍ତି ହେଲ୍ପଲାଇନ୍‌ ଏଥିପାଇଁ ଆରମ୍ଭ କରାଯାଇଛି ଯଦ୍ଵାରା ଦକ୍ଷିଣ କନ୍ନଡରେ କୌଣସି ମହିଳାଙ୍କ ସ୍ଥିତି ଶ୍ରଦ୍ଧା ଓ୍ଵାକରଙ୍କ ପରି ନହେଉ। ଉଲ୍ଲେଖନୀୟ ଶ୍ରଦ୍ଧା ଓ୍ଵାକରଙ୍କ ଲିଭ୍ ଇନ୍ ପାର୍ଟନର ଅଫତାବ ପୁନାଓ୍ଵାଲା ଶ୍ରଦ୍ଧାଙ୍କୁ ହତ୍ୟା କରି ୩୫ ଖଣ୍ଡ କରିଥିଲା।

ବଜରଙ୍ଗ ଦଳ ଏବଂ ବିଶ୍ଵ ହିନ୍ଦୁ ପରିଷଦ ଦ୍ଵାରା ଆରମ୍ଭ କରାଯାଇଥିବା ହେଲ୍ପ ଲାଇନ୍‌ରେ ୨୦ ଜଣ କାମ କରୁଛନ୍ତି। ଏଠାରେ ସବୁ ପ୍ରକାରର ସହାୟତା ଯୋଗାଇ ଦିଆଯାଉଛି। ଏପରିକି ଆଇନଗତ ଏବଂ ମେଡିକାଲ୍ ସଂପର୍କିତ ସହାୟତା ମଧ୍ୟ ଉପଲବ୍ଧ କରାଯାଉଛି। ଯିଏ ବି ଲଭ୍ ଜିହାଦ ସଂପର୍କରେ ସୂଚନା ଦେବ ତାଙ୍କ ନାମ ସଂପୂର୍ଣ୍ଣ ଭାବେ ଗୋପନ ରଖାଯିବ ଏବଂ ତାଙ୍କ ପରିଚୟ ଉଜାଗର କରାଯିବ ନାହିଁ।

ହେଲ୍ପଲାଇନ୍ ବିଷୟରେ ପ୍ରତିକ୍ରିୟା ଦେଇ ମାଙ୍ଗାଲୋର ପୋଲିସ୍ କମିଶନର ଶଶି କୁମାର କହିଛନ୍ତି, ସମଗ୍ର ରାଜ୍ୟରେ ୧୧୨ ହେଲ୍ପଲାଇନ୍‌ ନମ୍ବର ରହିଛି ଏବଂ ଯେ କୌଣସି ପ୍ରକାରର ସମସ୍ୟା ପାଇଁ ଲୋକେ କଲ୍ କରି ପାରିବେ। ଲୋକଙ୍କ ଅଭିଯୋଗର ନିବାରଣ ପାଇଁ ପର୍ଯ୍ୟାପ୍ତ କର୍ମଚାରୀ ଅଛନ୍ତି। ଏ ପର୍ଯ୍ୟନ୍ତ ଆମକୁ ଏହି ବିଷୟରେ କୌଣସି ସୂଚନା ମିଳିନାହିଁ। କର୍ଣ୍ଣାଟକ ଗୃହ ମନ୍ତ୍ରୀ ଅରାଗା ଜ୍ଞାନେନ୍ଦ୍ର କହିଛନ୍ତି, ଯଦି କିଛି କାର୍ଯ୍ୟ ସରକାରଙ୍କ ସୀମା ବାହାରେ କରାଯାଏ କିମ୍ବା ଅବୈଧ ହୁଏ ତେବେ ପୋଲିସ୍ ଉଚିତ୍ କାର୍ଯ୍ୟାନୁଷ୍ଠାନ ନେବ।

ଅନ୍ୟପଟେ ବିଜେପି ବିଧାୟକ ଭରତ ସେଟ୍ଟୀ କହିଛନ୍ତି, ଭିଏଚପି ଏବଂ ବଜରଙ୍ଗ ଦଳର ଏମିତି ପଦକ୍ଷେପରେ କାହାରି କୌଣସି ସମସ୍ୟା ହେବା ଉଚିତ୍ ନୁହେଁ। ଏମିତି ବହୁତ ଲୋକ ଅଛନ୍ତି, ଯେଉଁମାନେ ନିଜର ସମ୍ମାନ ଭୟରେ ବାହାରକୁ ଆସି ଅଭିଯୋଗ କରିବାକୁ ଉଚିତ୍ ମଣନ୍ତି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.