ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଅମୀୟ ପଟ୍ଟନାୟକଙ୍କ ପରଲୋକ

Published By : Prameya-News7 Bureau | October 19, 2018 IST

ଭୁବନେଶ୍ୱର ୧୯/୧୦ : ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଅମୀୟ ପଟ୍ଟନାୟକ ଆଉ ନାହାନ୍ତି | ନୂଆଦିଲ୍ଲୀର ମେଦାନ୍ତ ହସ୍ପିଟାଲରେ ଆଜି ସକାଳ ୮ଟା ସମୟରେ ତାଙ୍କର ପରଲୋକ ହୋଇଛି | ଓଲିଉଡରେ ଅନେକ ଲୋକପ୍ରିୟ ସିନେମା ନିର୍ମାଣ କରିଛନ୍ତି ଅମୀୟ ପଟ୍ଟନାୟକ | ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଭାଇ ଅମୀୟ | ତାଙ୍କ ପରଲୋକରେ ଓଲିଉଡରେ ଶୋକର ଛାୟା ଖେଳିଯାଇଛି । ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀରେ ପ୍ରଯୋଜକ ଭାବେ ଅମୀୟ ପଟ୍ଟନାୟକ ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଥିଲେ । ଅନେକ ସୁପରହିଟ୍ ଓଡିଆ ଚଳଚ୍ଚିତ୍ର ନିର୍ମାଣ କରିବା ସହ କିଛି ଫିଲ୍ମରେ ନିର୍ଦ୍ଦେଶନା କ୍ଷେତ୍ରରେ ମଧ୍ୟ ସେ ପାଦ ରଖିଛନ୍ତି । ୧୯୮୫ ମସିହାରେ ପ୍ରଥମେ ଫିଲ୍ମ ‘ମମତା ମାଗେ ମୂଲ’ର ପ୍ରଯୋଜନା କରିବା ସହ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ ଅମୀୟ । ଏହା ପରେ ସେହି ବର୍ଷ ‘ହାକିମ ବାବୁ’ ଫିଲ୍ମର ମଧ୍ୟ ପ୍ରଯୋଜନା ମଧ୍ୟ କରିଥିଲେ । ଏହାର ନିର୍ଦ୍ଦେଶନା ଦେଇଥିଲେ ଜଣାଶୁଣା ନିର୍ଦ୍ଦେଶକ ପ୍ରଣବ ଦାସ । ଏଥିରେ ଅଜିତ ଦାସ, ଜୟା ଡଲି ଜେନା, ହେମନ୍ତ ଦାସ, ସାମୁଏଲ ସାହୁ, ପ୍ରସନ୍ନ ମିଶ୍ର, ଦୁଃଖୀରାମ ସ୍ୱାଇଁ, ଜୟୀ ଏବଂ ଅସିତ ପତି ପ୍ରମୁଖ ଅଭିନୟ କରିଥିଲେ । ଏହାକୁ ରାଜ୍ୟ ଏବଂ ରାଷ୍ଟ୍ରୀୟ ପୁରସ୍କାର ବି ମିଳିଥିଲା । ପରେ ପରେ ଚକା ଆଖି ସବୁ ଦେଖୁଛି, ପୁଅ ମୋର କଳାଠାକୁର, ରାଜା ରାଣୀ, ଆସୁଛି ମୋ କାଳିଆ ସୁନା, ଚକାଡୋଳା କରୁଛି ଲୀଳା, ପରଦେଶୀ ବାବୁ, ପରୀ ମହଲ, ବାବୁ ଆଇ ଲଭ୍ ୟୁ, କିଏ ସେ ଡାକୁଛି କୋଉଠି ମତେ ଇତ୍ୟାଦି ଫିଲ୍ମର ପ୍ରଯୋଜନା କରିଥିଲେ ଅମୀୟ ପଟ୍ଟନାୟକ । ତାଙ୍କ ଦ୍ୱାରା ନିର୍ମିତ ଫିଲ୍ମ ମଧ୍ୟରୁ ଅଧିକାଂଶ ଫିଲ୍ମ ସୁପରହିଟ୍ ମାନ୍ୟତା ଲାଭ କରି ଓଡିଆ ଦର୍ଶକଙ୍କ ମନ ଜିତିବାରେ ସଫଳ ହୋଇଛି । ଏହା ସହ ପରୀ ମହଲ ଓ ପରଦେଶୀ ବାବୁ ଫିଲ୍ମର କାହାଣୀ ମଧ୍ୟ ରଚନା କରିଛନ୍ତି ଅମୀୟ ପଟ୍ଟନାୟକ । ଅମୀୟ ପଟ୍ଟନାୟକଙ୍କ ପରଲୋକରେ ଓଲିଉଡ଼ରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ବିୟୋଗରେ ଓଡ଼ିଆ ସିନେ ଜଗତରେ ଏକ ଶୂନ୍ୟସ୍ଥାନ ସୃ୍ଷ୍ଟି କରିବ ବୋଲି କହିଛନ୍ତି ମିହିର ଦାସ । ସେ ଜଣେ ବିରଳ ବ୍ୟକ୍ତିତ୍ୱ, ତାଙ୍କ ସ୍ଥାନ କେହି ପୂରଣ କରିାପରିବେ ନାହିଁ ବୋଲି କହିଛନ୍ତି ମିହିର ଦାସ । ସେପଟେ ଅଭିନେତା ରାୟମୋହନ ମଧ୍ୟ ଅମୀୟ ପଟ୍ଟନାୟକଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି । ତାଙ୍କ ଅଭିନୟ ଜୀବନ ଗଢ଼ିବାରେ ଅମୀୟ ପଟ୍ଟନାୟକଙ୍କ ବଡ଼ ହାତ ଥିଲା ବୋଲି ସେ କହିଛନ୍ତି । ତାଙ୍କର ପ୍ରଥମ ଫିଲ୍ମ ଥିଲା ‘ହାକିମବାବୁ’। ଏହା ଓଡ଼ିଆ ଫିଲ୍ମ ବର୍ଗରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା। ତାଙ୍କର ଅନ୍ୟ ଫିଲ୍ମ ଗୁଡ଼ିକ ମଧ୍ୟରେ ରହିଛି ‘ମମତା ମାଗେ ମୂଲ’, ‘ପୁଅ ମୋର କଳା ଠାକୁର’ ଓ ‘ଚକା ଆଖି ସବୁ ଦେଖୁଛି’ ଭଳି ଫିଲ୍ମ ତିଆରି କରିଥିଲେ। ଏଗୁଡ଼ିକ ବହୁତ ହିଟ୍ ହୋଇଥିଲା। ବହୁ ଦିନ ପରେ ସେ ବିଶିଷ୍ଟ ସମାଜସେବୀ ତଥା ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ଉପରେ ଗୋଟିଏ ଫିଲ୍ମ ତିଆରି କରିଥିଲେ। ଏହାର ନାଁ ଥିଲା ‘ତୁଳସୀ ଅପା’।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.