ରାଜ୍ୟସଭା ରେସ୍: ବିଜେଡି ସୁପ୍ରିମୋଙ୍କ ପ୍ରତିଶ୍ରୁତି ଭରସାରେ ପୁରୁଖା ନେତା, ପଶ୍ଚିମ ଓଡ଼ିଶା ସହ ଓବିସି, ଆଦିବାସୀ ଏବଂ ମହିଳା କାର୍ଡ ନଜରରେ ଆଶାୟୀ
4/03/2020 at 7:08 PM

ଭବନେଶ୍ବର୪/୩: ମାର୍ଚ୍ଚ ୨୬ରେ ରାଜ୍ୟସଭା ନିର୍ବାଚନ। ଓଡ଼ିଶା ଭାଗରେ ଥିବା ୧୦ଟି ଆସନରୁ ୪ ଆସନ ପାଇଁ ନିର୍ବାଚନ ହେବ। ରାଜ୍ୟସଭା ପ୍ରତିଶ୍ରୁତି ପାଇଥିବା ପୁରୁଖା ନେତାମାନେ ଆଶା ରଖିଛନ୍ତି ଯେ ବିଜେଡି ସୁପ୍ରିମୋ ତାଙ୍କ କଥା ରଖିବେ ସେମାନଙ୍କୁ ହିଁ ଟିକେଟ ଦେବେ। ସେପଟେ ପଶ୍ଚିମ ଓଡ଼ିଶା, ଓବିସି, ଆଦିବାସୀ ଓ ମହିଳା କାର୍ଡରେ ଲାଭବାନ ହେବାର ସ୍ବପ୍ନ ଦେଖୁଛନ୍ତି ଆଉ କିଛି ଦଳୀୟ ନେତା।

ରାଜ୍ୟସଭା ନିର୍ବାଚନ ପାଇଁ ଆସନ୍ତା ୬ ତାରିଖରୁ ନାମାଙ୍କନ ପ୍ରକ୍ରିୟା। ଗତ ନିର୍ବାଚନ ସମୟରେ ଟିକେଟରୁ ବଞ୍ଚିତ ହୋଇଥିବା କିଛି ନେତା ରାଜ୍ୟସଭା ଯିବାକୁ ଆଶା ବାନ୍ଧି ବସିଛନ୍ତି। ସେମାନଙ୍କ ଭିତରୁ ପ୍ରସନ୍ନ ପାଟ୍ଟଶାଣୀ ଓ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ କହୁଛନ୍ତି ରାଜ୍ୟସଭା ପଠାଇବାକୁ ସେମାନଙ୍କୁ ବିଜେଡି ମୁଖିଆ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଥିଲେ। ତେଣୁ ସେମାନେ ଗୋଡ଼ ଟେକି ବସିଛନ୍ତି। ବୁଧବାରରେ ଲୋକସେବା ଭବନରେ ଚ୍ୟାଉ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବା କହିଛନ୍ତି।

ଶାସକ ଦଳର ଆଶାୟୀଙ୍କ ମଧ୍ୟରେ ଅଛନ୍ତି ବଲାଙ୍ଗିରରୁ ଅନଙ୍ଗ ଉଦୟ ସିଂହଦେଓ ଏବଂ ତାଙ୍କ ପୁଅ କଳିକେଶ ସିଂହଦେଓ, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ, ପୂର୍ବତନ ପୂର୍ତ୍ତ ସଚିବ ନଳୀନିକାନ୍ତ ପ୍ରଧାନ। ଏ.ୟୁ. ସିଂଦେଓ ବୁଧବାରରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ସେହିପରି ପୂର୍ବତନ ସାଂସଦ ନଗେନ୍ଦ୍ର ପ୍ରଧାନ, ରବୀନ୍ଦ୍ର ଜେନା, ମହେଶ୍ବର ମହାନ୍ତି, ଦେବାଶିଷ ସାମନ୍ତରାୟ, ସିନେ ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି। ପୁଷ୍ପେନ୍ଦ୍ର ସିଂହଦେଓ ଏବଂ ମହେଶ୍ବର ମହାନ୍ତିଙ୍କୁ ନିକଟରେ ଜିଲ୍ଲା ସଭାପତି ଦାୟିତ୍ବ ଦିଆଯାଇଥିଲେ ମଧ୍ୟ ରାଜ୍ୟସଭା ଦୌଡ଼ରେ ଉଭୟ ଅଛନ୍ତି।

ସେପଟେ ଅନୁସୂଚିତ ଜାତି ଓ ଜନଜାତି, ଓବିସି ଏବଂ ମହିଳାଙ୍କ କଥା ବିଜେଡି ବିଚାର କରିବ ବୋଲି କଥା ଉଠୁଛି। ତେଣୁ ସରୋଜିନୀ ହେମ୍ବ୍ରମ୍ ପୁଣି ଥରେ ସୁଯୋଗ ପାଇବା ଆଶାରେ ଅଛନ୍ତି। ରାଜ୍ୟସଭା ନିର୍ବାଚନ ପାଇଁ ଆସନ୍ତା ୬ ତାରିଖରୁ ୧୩ ତାରିଖ ଯାଏଁ ନାମାଙ୍କନ ଦାଖଲ ହେବ । ମାର୍ଚ୍ଚ ୧୮ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଏବଂ ମାର୍ଚ୍ଚ ୩୦ ସୁଦ୍ଧା ସରିବ ନିର୍ବାଚନ ପ୍ରକ୍ରିୟା । ତେବେ ଚତୁର୍ଥ ଆସନ ହିଁ ଚର୍ଚ୍ଚାର କେନ୍ଦ୍ରରେ ରହିଛି।