୮୧ ବର୍ଷ ବୟସରେ ପାଦ ଦେଲେ ବର୍ଷୀୟାନ ନେତା ଦାମୋଦର ରାଉତ, ପାଳିଲେ ଜନ୍ମଦିନ, କହିଲେ…
14/12/2022 at 5:14 PM

ଭୁବନେଶ୍ଵର: ୮୧ ବର୍ଷ ବୟସରେ ପଦାର୍ପଣ କଲେ ବରିଷ୍ଠ ରାଜନେତା ଦାମୋଦର ରାଉତ। ବୟସର ଅପରାହ୍ନରେ ଉପନ୍ନୀତ ଦାମ ବିଜେପିରେ ଥାଇ ମଧ୍ୟ ସଂପ୍ରତି ସକ୍ରିୟ ରାଜନୀତିରେ ଦୂରେଇ ରହିଛନ୍ତି। ଜନ୍ମଦିନ ଉପଲକ୍ଷେ ବିଜେଡିର ଏହି ପୂର୍ବତନ ନେତାଙ୍କ ନିକଟକୁ ବୁଧବାର ଛୁଟିଛି ଶୁଭେଚ୍ଛାର ସୂଅ। ବହୁ ବରିଷ୍ଠ ନେତା, ସାମ୍ବାଦିକ, ମାନ୍ୟ ଗଣ୍ୟ ବ୍ୟକ୍ତି ଦାମ ରାଉତଙ୍କୁ ତାଙ୍କ ବାସଭବନରେ ଭେଟି ଶୁଭେଚ୍ଛା ଜଣାଇଛନ୍ତି। ଦାମ ନିଜ ପରିବାର ସଦସ୍ୟଙ୍କ ସହ ମିଶି ବୁଧବାର ଧୂମଧାମରେ ଜନ୍ମଦିନ ପାଳନ କରିଛନ୍ତି।
ଦୀର୍ଘ ଦୁଇ ଦଶନ୍ଧି ଧରି ବରିଷ୍ଠ ରାଜନେତା ଦାମୋଦର ରାଉତ ବିଜେଡି ସରକାରରେ ଅନେକ ଗୁରୁତ୍ଵପୁର୍ଣ୍ଣ ମନ୍ତ୍ରଣାଳୟ ସମ୍ଭାଳିଛନ୍ତି। ସେ ବିଜେଡି ଦଳର ପ୍ରତିଷ୍ଠାତା ସଦସ୍ୟଙ୍କ ମଧ୍ୟରୁ ଜଣେ ଥିଲେ। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ମତାନ୍ତର ଏବଂ ଦଳ ବିରୋଧୀ ମନ୍ତବ୍ୟ କାରଣରୁ ଦାମ ରାଉତଙ୍କୁ ୨୦୧୮ରେ ଦଳ ବହିଷ୍କାର କରିଥିଲା। ଏହା ପରେ ସେ ୨୦୧୯ ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ। ସେ ବିଜେଡିର ନେତା ଭାବେ ସାତ ଥର ନିର୍ବାଚନ ଜିତି ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଏକଦା ତାଙ୍କୁ ବିଜେଡିର ତୁଣ୍ଡ ବୋଲି କୁହାଯାଏ। ସ୍ପଷ୍ଟବାଦୀ ଏବଂ ରୋକଠୋକ୍ ବୟାନ ଦେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି ଦାମୋଦର ରାଉତ। ତାଙ୍କର ବିବାଦୀୟ ବୟାନ ବେଳେ ବେଳେ ବିଜେଡି ନେତା ଏବଂ ସରକାରଙ୍କୁ ହରଡଘଣାରେ ପକାଇଛି।
ତେବେ ବିଜେପିରେ ଯୋଗଦାନ ପରଠୁ ଦାମୋଦର ରାଉତ ସକ୍ରିୟ ରାଜନୀତିରୁ ଦୂରେଇ ରହିଛନ୍ତି। ତାଙ୍କୁ ଆଉ ପୂର୍ବ ଭଳି ସାର୍ବଜନୀନ ମଞ୍ଚ କିମ୍ବା ରାଜନୈତିକ ଗତିବିଧିରେ ଦେଖିବାକୁ ମିଳୁନାହିଁ। ଗଣମାଧ୍ୟମରେ ବି ଆଉ ଦାମଙ୍କୁ ଦେଖିବାକୁ ମିଳୁନି। ସାଂପ୍ରତିକ ସ୍ଥିତିକୁ ଦେଖିଲେ ସେ ବିଜେପି ପାଇଁ ଅଲୋଡା ହୋଇଥିବା ପ୍ରତୀତମାନ ହୁଏ। ତେବେ ରାଜନୈତିକ ଜୀବନ ମଧ୍ୟରେ ଏହି ବର୍ଷିୟାନ ନେତା ଆଜି ୮୧ ବର୍ଷ ବୟସରେ ପଦାପର୍ଣ କରିଛନ୍ତି। ତାଙ୍କର ଶୁଭେଚ୍ଛୁ ଏବଂ ଶୁଭଚିନ୍ତକ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଦୀର୍ଘାୟୁ କାମନା କରିଛନ୍ତି।
ତେବେ ନିଜର ଜନ୍ମଦିନରେ ବି କଡା ଟିପ୍ପଣୀ ଦେବାକୁ ପଛାଇ ନାହାନ୍ତି ଦାମ। ଚାଲନ୍ତୁ କଣ କହୁଛନ୍ତି ଏହି ବରିଷ୍ଠ ରାଜନେତା।