ନୂଆଦିଲ୍ଲୀ: ଅହମଦାବାଦ ଏୟାର ବିମାନ ଦୁର୍ଘଟଣାରେ ପାଇଲଟକୁ ଦାୟୀ କରି ପଶ୍ଚିମ ଦେଶର ମିଡିଆ ପ୍ରକାଶ କରିଥିବା ମନଗଢା ରିପୋର୍ଟକୁ ଭାରତ ସରକାରଙ୍କୁ ପକ୍ଷରୁ ସମାଲୋଚନା କରାଯାଇଛି। ଆମେରିକା ବିମାନ କମ୍ପାନୀ ବୋଇଁକୁ ସୁରକ୍ଷା ଦେବା ପାଇଁ ଆମେରିକା ଗଣମାଧ୍ୟମ ବାରମ୍ବାର ପାଇଲଟଙ୍କୁ ଦୋଷାରୋପ କରି ଏଭଳି ରିପୋର୍ଟ ପ୍ରକାଶ କରୁଛି। ଯାହାକୁ କେନ୍ଦ୍ର ସରକାର ନିନ୍ଦା କରିଛନ୍ତି।
କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ରବିବାର ପୁଣି ଥରେ ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ସହିତ ଜଡିତ ବରିଷ୍ଠ ପାଇଲଟଙ୍କ ଉପରେ ଦୋଷ ଲଦିବାକୁ ଚାହୁଁଥିବା ପାଶ୍ଚାତ୍ୟ ଗଣମାଧ୍ୟମର ରିପୋର୍ଟକୁ ନିନ୍ଦା କରିଛନ୍ତି। ବିମାନ ଦୁର୍ଘଟଣା ତଦନ୍ତ ଶାଖା (AAIB) ଉପରେ ତାଙ୍କର ପୂରା ଭରସା ଅଛି। ଏହି କେନ୍ଦ୍ରୀୟ ସଂସ୍ଥା ବିମାନ ଦୁର୍ଘଟଣା ତଦନ୍ତ ରିପୋର୍ଟ ଦେବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।
ମନ୍ତ୍ରୀ କହିଛନ୍ତି “ମୁଁ ଏଏଆଇବିରେ ବିଶ୍ୱାସ କରେ। ମୁଁ ଏଏଆଇବି ଦ୍ୱାରା କରାଯାଉଥିବା କାମରେ ବିଶ୍ୱାସ କରେ। ସେମାନେ ଭାରତରେ ତଥ୍ୟ ଡିକୋଡ୍ କରିବାରେ ଏକ ଚମତ୍କାର କାମ କରିଛନ୍ତି। ଏହା ଏକ ବଡ଼ ସଫଳତା ଥିଲା।” କେନ୍ଦ୍ର ମନ୍ତ୍ରୀ ଏଜେନ୍ସିକୁ ଏହାର ପ୍ରାରମ୍ଭିକ ଫଳାଫଳ ପାଇଁ ପ୍ରଶଂସା କରି କହିଛନ୍ତି।
ପାଇଲଟ୍ ତ୍ରୁଟି ସୂଚାଉଥିବା ରିପୋର୍ଟ ପାଇଁ ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ଏବଂ ରଏଟର୍ସଙ୍କୁ ଟାର୍ଗେଟ କରି ନାଇଡୁ କହିଛନ୍ତି, ଏଏଆଇବି ସମସ୍ତଙ୍କୁ, ବିଶେଷକରି ପାଶ୍ଚାତ୍ୟ ଗଣମାଧ୍ୟମ ସଂସ୍ଥାଗୁଡ଼ିକୁ, ଯେଉଁମାନଙ୍କର ଏଭଳି ଖବର ଛାପିବା ପଛରେ ସ୍ୱାର୍ଥ ଥାଇପାରେ, ସେମାନଙ୍କୁ ଏଭଲି ନ କରିବାକୁ କହିଛି। ଚୂଡ଼ାନ୍ତ ରିପୋର୍ଟ ପ୍ରକାଶିତ ହେବା ପୂର୍ବରୁ ଭିତ୍ତିହୀନ ରିପୋର୍ଟ ପ୍ରଚାର କରିବା ବିରୁଦ୍ଧରେ ନାଇଡୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି "ଚୂଡ଼ାନ୍ତ ରିପୋର୍ଟ ଆସିବା ପୂର୍ବରୁ କୌଣସି ମତାମତ ଦେବା କାହାରି ପକ୍ଷରୁ ଭଲ ଅଭ୍ୟାସ ନୁହେଁ। ଆମେ ସତର୍କ ଅଛୁ...ଘଟଣା ଏବଂ ତଦନ୍ତ ସମ୍ପର୍କରେ ଆମକୁ ଚୂଡ଼ାନ୍ତ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ।" ସେ କହିଛନ୍ତି।
ସେ ଆହୁରି କହିଛନ୍ତି ଯେ ଚୂଡ଼ାନ୍ତ ରିପୋର୍ଟ ପୂର୍ବରୁ କୌଣସି ନିଷ୍କର୍ଷରେ ପହଞ୍ଚିବା ଏକ ଠିକ ହେବ ନାହିଁ। ଏଥିରେ0 ସତର୍କତା ଅବଲମ୍ବନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ରିପୋର୍ଟକୁ ଅପେକ୍ଷା କରାଯାଉ। ରିପୋର୍ଟ ଯାହା କହିବ ତାହା ଶେଷ ରିପୋର୍ଟ ହେବ। ପ୍ରାରମ୍ଭିକ ରିପୋର୍ଟ ପ୍ରକାଶ ପାଇଛି। ତେବେ ତଦନ୍ତ ପାଇଁ ଟିମ୍କୁ ସମୟ ଆବଶ୍ୟକ। ବହୁତ ତଥ୍ୟକୁ ପ୍ରମାଣିତ କରିବାକୁ ପଡିବ। ସେମାନଙ୍କୁ ସମୟ ଦେବା ଆବଶ୍ୟକ ବୋଲି ମନ୍ତ୍ରୀ କହିଛନ୍ତି।