ହଜାରେ ବର୍ଷ ପରେ ଆକାଶରେ ଦେଖାଯିବ ଦୁର୍ଲଭ ଦୃଶ୍ୟ, ଗୋଟିଏ ଧାଡିରେ ରହିବେ ୪ଟି ଗ୍ରହ

Published By : Prameya-News7 Bureau | April 27, 2022 IST

ନୂଆଦିଲ୍ଲୀ ୨୭।୪: ଚଳିତ ସପ୍ତାହରେ ଆକାଶରେ ଏକ ଦୁର୍ଲଭ ଦୃଶ୍ୟ ଦେଖିବାକୁ ମିଳିବ । ପ୍ରାୟ ହଜାରେ ବର୍ଷ ପରେ ସୌରମଣ୍ଡଳର ୪ଟି ଗ୍ରହ ଆକାଶରେ ପରେଡ୍ କରିବେ । ଅର୍ଥାତ୍ ଶନି, ମଙ୍ଗଳ, ଶୁକ୍ର ଏବଂ ବୃହସ୍ପତ୍ତି ଏକ ସିଧା ଲାଇନ୍‌ରେ ଦେଖାଯିବେ । ଯଦି ଆକାଶ ସଫା ରୁହେ ତେବେ ଏହାକୁ ଖାଲି ଆଖିରେ ଭାରତରେ ମଧ୍ୟ ଦେଖାଯାଇପାରିବ । ସୂର୍ଯ୍ୟୋଦୟର ଏକ ଘଣ୍ଟା ପୂର୍ବରୁ ଏହି ଦୁର୍ଲଭ ଦୃଶ୍ୟ ଦେଖିବାକୁ ମିଳିବ । ଜ୍ୟୋତିର୍ବିଜ୍ଞାନୀଙ୍କ ଅନୁସାରେ ଏହା ପୂର୍ବରୁ ଏଭଳି ଦୃଶ୍ୟ ୯୪୭ ଖ୍ରୀଷ୍ଟାବ୍ଦରେ ଦେଖିବାକୁ ମିଳିଥିଲା ।

ଭୁବନେଶ୍ବର ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍‌ର ଡେପୁଟି ଡାଇରେକ୍ଟର ଶୁଭେନ୍ଦୁ ପଟ୍ଟନାୟକଙ୍କ ସୂଚନା ଅନୁସାରେ ୨୦୨୨ ଅପ୍ରେଲ ଶେଷ ସପ୍ତାହରେ ଶୁକ୍ର, ମଙ୍ଗଳ, ବୃହସ୍ପତ୍ତି ଏବଂ ଶନିଙ୍କର ଆକାଶରେ ପୂର୍ବ ଆଡକୁ ଏକ ଦୁର୍ଲଭ ଏବଂ ଅନନ୍ୟ ପରେଡ୍ ହେବ । ସୂର୍ଯ୍ୟୋଦୟର ପ୍ରାୟ ୧ ଘଣ୍ଟା ପୂର୍ବରୁ ଏହା ଆକାଶରେ ଦେଖାଯିବ । ଏହି ଗ୍ରହମାନଙ୍କର ଏଭଳି ପରେଡ୍ ପ୍ରାୟ ୧୦୦୦ ବର୍ଷ ପୂର୍ବେ ୯୪୭ ଶ୍ରୀଷ୍ଟାବ୍ଦରେ ହୋଇଥିଲା ।

ସେ କହିଛନ୍ତି ଯେ, ସୂର୍ଯ୍ୟୋଦୟର ଏକ ଘଣ୍ଟା ପୂର୍ବରୁ ବୃହସ୍ପତି, ଶୁକ୍ର, ମଙ୍ଗଳ ଏବଂ ଶନି ଗ୍ରହ ସହ ସହ ଚନ୍ଦ୍ର ପୂର୍ବରେ ୩୦ଡିଗ୍ରୀ ମଧ୍ୟରେ ଏକ ସିଧା ଲାଇନରେ ଦେଖାଯିବେ । ଏହାକୁ ଦୂରବୀକ୍ଷଣରେ କିମ୍ବା ଖାଲି ଆଖିରେ ଦେଖାଯାଇପାରିବ । ଅପ୍ରେଲ ୩୦ରେ ସବୁଠୁ ଉଜ୍ଜଳ ଗ୍ରହ ଶୁକ୍ର ଏବଂ ବୃହସ୍ପତି ଏକତ୍ର ଅତି ନିକଟରେ ଦେଖାଯିବେ । ଶୁକ୍ର ଗ୍ରବ ବୃହସ୍ପତିର ୦.୨ ଡିଗ୍ରୀ ଦକ୍ଷିଣରେ ଦୃଶ୍ୟମାନ ହେବ ।

ଉତ୍ତର ଗୋଲାର୍ଦ୍ଧ ଅର୍ଥାତ ଇକ୍ୟୁଏଟର ଲାଇନର ଉପର ଅଂଶ ଦେଶଗୁଡିକ ଏହି ଦୁର୍ଲଭ ଦୃଶ୍ୟ ଦେଖିପାରିବେ । ଭାରତରେ ମଧ୍ୟ ସହଜରେ ଏହି ଦୃଶ୍ୟ ଦେଖିପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.