ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମୈଦାନରେ ଧନ କୁବେର ! କଂଗ୍ରେସ ପ୍ରାର୍ଥୀ ଭେଙ୍କଟରମାନେ ସବୁଠୁ ଧନୀ

Published By : Prameya-News7 Bureau | April 17, 2024 IST

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ ୧୯ରେ ଲୋକସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ହେବ । ଏଥିପାଇଁ ବୁଧବାର ଏପ୍ରିଲ୍ ୧୭ ସଂଧ୍ୟାରୁ ପ୍ରଥମ ପର୍ଯ୍ୟାୟ ପ୍ରଚାର ଅଭିଯାନ ଶେଷ ହୋଇଛି । ଦ୍ୱିତୀୟ ପ୍ରର୍ଯ୍ୟାୟ ପାଇଁ ଏପ୍ରିଲ୍ ୨୬ରେ ମତଦାନ ହେବ । ଏହା ପୂର୍ବରୁ ଏହି ପର୍ଯ୍ୟାୟରେ ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ନିର୍ବାଚନୀ ସତ୍ୟପାଠରୁ ଅନେକ ଖୁଲାସା ହୋଇଛି । ସତ୍ୟପାଠରୁ ଏହା ମଧ୍ୟ ଜଣାପଡ଼ିଛି ଯେ ନିର୍ବାଚନରେ ଅନେକ ଧନ କୁବେର ମୈଦାନରେ ଅଛନ୍ତି ।

କର୍ଣ୍ଣାଟକର ମାଣ୍ଡ୍ୟା ସଂସଦୀୟ କ୍ଷେତ୍ରରୁ କଂଗ୍ରେସ ପ୍ରାର୍ଥୀ ଭେଙ୍କଟରମାନେ ଗୌଡ଼ା ପ୍ରାୟ ୬୨୨ କୋଟି ଟଙ୍କାର ଘୋଷିତ ସମ୍ପତ୍ତି ସହ ଲୋକସଭା ନିର୍ବାଚନରେ ଦ୍ୱିତୀୟ ପର୍ଯ୍ୟାୟର ଥିବା ସବୁଠୁ ଧନୀ ପ୍ରାର୍ଥୀ । ଏଡିଆର ଦ୍ୱାରା ୧୧୯୨ ଜଣ ପ୍ରାର୍ଥୀଙ୍କ ସତ୍ୟପାଠର ଅନୁଧ୍ୟାନରୁ ଏହି ଖୁଲାସା ହୋଇଛି । ବଲିଉଡ୍ ଅଭିନେତ୍ରୀ ଏବଂ ମଥୁରାରୁ ବିଜେପି ପ୍ରାର୍ଥୀ ହେମା ମାଳିନୀ ୨୭୮ କୋଟି ଟଙ୍କା ଘୋଷିତ ସମ୍ପତ୍ତି ସହ ତୃତୀୟ ସବୁଠୁ ଧନୀ ପ୍ରାର୍ଥୀ ।

ଭାରତୀୟ ରାଜନୀତିରେ ଧନବଳର ପ୍ରଭାବ ବଢିବାରେ ଲାଗିଛି । ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ତୁଳନାରେ ଦ୍ୱିତୀୟ ପର୍ଯ୍ୟାୟରେ ଅଧିକ ଧନୀ ପ୍ରାର୍ଥୀ ଅଛନ୍ତି । ଇନଲେକ୍ସନ ୱାଚ୍ ଏଡିଆର ଦ୍ୱାରା ଦ୍ୱିତୀୟ ପର୍ଯ୍ୟାୟରେ ୧୧୯୮ ପ୍ରାର୍ଥୀଙ୍କ ମଧ୍ୟରୁ ୧୧୯୨ ଜଣଙ୍କ ସତ୍ୟପାଠର ବିଶ୍ଲେଷଣରୁ ଏହି ଖୁଲାସା ହୋଇଛି ଯେ କର୍ଣ୍ଣାଟକର ମାଣ୍ଡ୍ୟା ସଂସଦୀୟ କ୍ଷେତ୍ରର କଂଗ୍ରେସ ପାର୍ଥୀ ଭେଙ୍କଟରମାନେ ୬୨୨ କୋଟିର ସମ୍ପତ୍ତି ସହ ସବୁଠୁ ଧନୀ ପ୍ରାର୍ଥୀ । 

ବେଙ୍ଗାଲୁରୁ ରୁରଲ ସଂସଦୀୟ କ୍ଷେତ୍ରରେ କଂଗ୍ରେସ ପ୍ରାର୍ଥୀ ଏବଂ କର୍ଣ୍ଣାଟକ ଉପ-ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ଭାଇ ଡିକେ ସୁରେଶ ୫୯୩ କୋଟି ଟଙ୍କା ସମ୍ପତ୍ତି ସହ ଦ୍ୱିତୀୟ ଧନୀ ପ୍ରାର୍ଥୀ । ତେବେ କୌତୁହଳର ବିଷୟ ଏହା ଯେ ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ନାମାଙ୍କନ ଦାଖଲ କରିଥିବା ୬ ପ୍ରାର୍ଥୀ ସତ୍ୟପାଠ ଦେଇଛନ୍ତି ଯେ ସେମାନଙ୍କ ପାଖରେ କୌଣସି ସମ୍ପତ୍ତି ନାହିଁ ।

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୧୧୯୨ ପ୍ରାର୍ଥୀଙ୍କ ହାରାହାରି ୫.୧୭ କୋଟି ଟଙ୍କାର ସମ୍ପତ୍ତି ଅଛି । ଏଥିରୁ ପ୍ରତି ତିନି ଜଣଙ୍କ ମଧ୍ୟରୁ ଜଣେ ପ୍ରାର୍ଥୀ କୋଟି ପତି ଅଛନ୍ତି । ସବୁଠୁ ଧନୀ ୧୦ ପ୍ରାର୍ଥୀଙ୍କ ମଧ୍ୟରୁ ୫ ଜଣ କର୍ଣ୍ଣାଟକରୁ ଲଢୁଛନ୍ତି । ରାଷ୍ଟ୍ରୀୟ ପାର୍ଟିରେ କଂଗ୍ରେସର ୬୮ ପ୍ରାର୍ଥୀ ହାରାହାରି ୩୯ କୋଟି ଟଙ୍କା ଏବଂ ବିଜେପିର ୬୯ ପ୍ରାର୍ଥୀ ହାରାହାରି ୨୪ କୋଟି ଟଙ୍କା ସମ୍ପତ୍ତି ଥିବା ନିର୍ବାଚନୀ ସତ୍ୟପାଠରେ କହିଛନ୍ତି ।

  • Lok Sabha Election 2024
  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.