ପାକିସ୍ତାନରେ ଟମାଟର କେଜି ୪୦୦, ଆକାଶ ଛୁଉଁଛି ଅନ୍ୟ ପନିପରିବା ଦର, ଭାରତରୁ ଆମଦାନୀ ଲାଗି ଦାବି କରୁଛନ୍ତି ଲୋକେ

Published By : Prameya-News7 Bureau | September 02, 2022 IST

ଇସ୍ଲାମାବାଦ ୨।୯: ବନ୍ୟା ଯୋଗୁ ପାକିସ୍ତାନ ପରିସ୍ଥିତି ଏବେ ଜଟିଳ। ଫସଲ ଉପରେ ବନ୍ୟା ପାଣି ମାଡି ରହିବା ଦେଶରେ ଖାଦ୍ୟ ଶସ୍ୟରୁ ଆରମ୍ଭ କରି ପନିପରିବା ଦର ଏବେ ଆକାଶ ଛୁଇଁଛି। ହଜାର ହଜାର ଏକର ଜମିରେ ଫସଲ ନଷ୍ଟ ହୋଇଯାଇଛି। ପରିସ୍ଥିତି ଏବେ ଏପରି ହୋଇଛି ଯେ ପିଆଜ ଓ ଟମାଟୋ ଭଳି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କେଜି ପିଛା ଦର ୪୦୦ରୁ ୫୦୦ ଟଙ୍କାକୁ ପହଞ୍ଚିଛି। ମୂଲ୍ୟ ବୃଦ୍ଧିରେ ବେହାଲ ଜନତା ସରକାରଙ୍କୁ ଜିଦ ଛାଡି ଭାରତ ସହ ବ୍ୟବସାୟ ମାର୍ଗ ଖୋଲିବାକୁ ଦାବି କରିଛନ୍ତି। ଯାହା ଦ୍ୱାରା ମୂଲ୍ୟ ବୃଦ୍ଧି ଜନିତ ପରିସ୍ଥିତିରୁ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିପାରିବ ବୋଲି କହିଛନ୍ତି।

ଅପରପଟେ ଭାରତରୁ ପନିପରିବା ଓ ଫଳ ଆଦି ଆମଦାନୀ ଲାଗି ଏପର୍ଯ୍ୟନ୍ତ ଶହବାଜ ସରିଫ ସରକାର ନିଷ୍ପତ୍ତିରେ ଉପନୀତ ହୋଇ ପାରି ନାହାନ୍ତି। ବ୍ୟବସାୟୀ ମଣ୍ଡଳୀ ଅନୁନ୍ୟ ଖାଉଟିଙ୍କ ଲାଗି ଭାରତରୁ ପିଆଜ ଓ ଟମାଟୋ ମଗାଇବାକୁ ସରକାରଙ୍କୁ ନିବେଦନ କରିଛନ୍ତି। ଦେଶରେ ପନିପରିବା ମୂଲ୍ୟ ବୃଦ୍ଧି ଦୃଷ୍ଟିରୁ ଭାରତରୁ ଖାଦ୍ୟ ସାମଗ୍ରୀ ଆମଦାନୀ ଲାଗି ପ୍ରଥମେ ଅର୍ଥମନ୍ତ୍ରୀ  ମିଫ୍ତା ଇସ୍ମାଇଲ ସୋମବାର କହିଥିଲେ।

{"id":679498,"sizeSlug":"full","linkDestination":"none"}

ତେବେ କାଶ୍ମୀରକୁ ନେଇ ଭାରତ ସହ ଉପୁଜିଥିବା ପରିସ୍ଥିତିରେ ମେଣ୍ଟ ସହଯୋଗୀଙ୍କ ସହ ପରାମର୍ଶ ପରେ ହିଁ ଯାହା ନିଷ୍ପତ୍ତି ନେଇ ହେବ ବୋଲି କୁହାଯାଇଛି। ଏଥିରେ ଫୈସଲାବାଦ ଚାମ୍ବର ଅଫ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ ଆତିଫ ମୁନିର ପନିପରିବା ଯୋଗାଣ ଶୃଙ୍ଖଳ କାୟମ ରଖିବା ପାଇଁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସରକାରଙ୍କୁ ନିବେଦନ କରିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ପରିବହନ ଶୁଳ୍କ ହ୍ରାସ ପାଇଁ ପଡୋଶୀ ଦେଶ ବିଶେଷ କରି ଭାରତ ସହ ବାଣିଜ୍ୟ ବ୍ୟବସାୟ ଏବେ ଜରୁରୀ ବୋଲି କହିଛନ୍ତି।

ଏହା ଦ୍ୱାରା ଖାଉଟିଙ୍କୁ ଶସ୍ତାରେ ଖାଦ୍ୟଶସ୍ୟ, ପନିପରିବା ଓ ଫଳ ଯୋଗାଇ ଦେଇ ହେବ ବୋଲି ମୁନିର କହିଛନ୍ତି। ସେହିପରି ଲାହୋର ମାର୍କେଟ କମିଟି ସାଧାରଣ ସମ୍ପାଦକ ଶହଜାଦ ଚିମା ଭାରତରୁ ଫଳ ଓ ପନିପରିବା ଆଣିବା ପାଇଁ ସରକାର ବିଚାର କରିବା ଦରକାର ବୋଲି କହିଛନ୍ତି। କାରଣ ବର୍ତ୍ତମାନ ଖାଉଟିଙ୍କୁ ରିହାତି ଦେବା ସମୟର ଦାବି ବୋଲି ସେ କହିଛନ୍ତି। ପାକିସ୍ତାନ ଏବେ ବଲୁଚିସ୍ତାନ ସୀମା ଦେଇ ଇରାନରୁ ପନିପରିବା ଓ ଫଳ ଆମଦାନୀ କରୁଛି। ଯାହା ବ୍ୟବହାରିକ ନୁହେଁ ବୋଲି ବ୍ୟବସାୟୀମାନେ କହିଛନ୍ତି। କାରଣ ଇରାନ ସରକାର ଆମଦାନୀ ଓ ରପ୍ତାନୀ ଉପରେ ଶୁଳ୍କ ବଢାଇ ଦେଇଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.