ବଜାରରେ ପଡିଲା ବନ୍ୟା ଇଫେକ୍ଟ, ୬୦ ଉପରେ ସବୁ ପରିବା ଦର

Published By : Prameya-News7 Bureau | August 17, 2022 IST

ଭୁବନେଶ୍ୱର ୧୭/୦୮: ଗତ ୧୦ ତାରିଖ ପରଠାରୁ ଲଘୁଚାପ ଜନିତ ଲଗାଣ ବର୍ଷା ଏବଂ ବନ୍ୟା ସ୍ଥିତି ଉପୁଜିଛି । ଏହାର ପ୍ରଭାବ ପଡ଼ିଛି ରାଜ୍ୟର ପରିବା ବଜାର ଉପରେ । ୨ ଦିନ ହେବ ପରିବା ଦରରେ ଏକ ପ୍ରକାର ନିଆଁ ଲାଗିଛି । ପ୍ରାୟ ସବୁ ପରିବା ଦର ୬୦ ଟଙ୍କା ଉପରେ । ଏହା ଖାଉଟିଙ୍କ ଚିନ୍ତା ବଢ଼ାଇ ଦେଇଛି । ବନ୍ୟା ଯୋଗୁ ଫସଲ ହାନି ହେବା ଆଶଙ୍କା ରହିଛି । ତେଣୁ ଆଗକୁ ଦର ଆହୁରି ବଢ଼ିପାରେ ବୋଲି ଚିନ୍ତା ପ୍ରକାଶ କରିଛନ୍ତି ବଜାର ବିଶେଷଜ୍ଞ ।

ଭୁବନେଶ୍ୱରର ୧ ନମ୍ବର ହାଟରେ ମଙ୍ଗଳବାର ଟମାଟୋ ଦର ୪୦ ଟଙ୍କା ରହିଥିବା ବେଳେ ଭୁବନେଶ୍ୱରର ଅନ୍ୟ ପ୍ରାନ୍ତଗୁଡିକରେ ଏହି ଦର ପ୍ରାୟ ୬୦ ଟଙ୍କା ରହିଛି । ସେହିଭଳି ପୋଟଳ ୩୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଅନ୍ୟ ସ୍ଥାନଗୁଡିକରେ ୫୦ ଟଙ୍କାରେ ବିକ୍ରି ହେଉଛି । ଏଠାରେ ବନ୍ଧାକୋବି ୪୦ ଟଙ୍କା, ବାଇଗଣ ୪୦ ଟଙ୍କା, ଭେଣ୍ଡି ୪୦ ଟଙ୍କା ଟଙ୍କା ରହିଛି । ତେବେ ୧ ନମ୍ବର ବାଦ ଅନ୍ୟ ସ୍ଥାନଗୁଡିକରେ ଏହାର ଦର ୬୦ରୁ ୮୦ ଟଙ୍କା ଯାଏ ବିକ୍ରି ହେଉଛି । ଅଧିକାଂଶ ପରିବା ଦର ଏବେ ଆକାଶ ଛୁଆଁ ।

ପ୍ରାୟ ୪ ଦିନ ତଳେ ଯାହାର ଦର ୨୦ରୁ ୨୫ ଟଙ୍କା ରହିଥିଲା ତାହା ଏବେ କିଲୋ ପିଛା ୮୦ ଟଙ୍କା ଯାଏ ବିକ୍ରି ହେଉଛି । ତେବେ ଆଳୁ ଦର ୨୫ ଟଙ୍କାରେ ଅପରିବର୍ତ୍ତିତ ଥିବା ବେଳେ ଖାଉଟିଙ୍କୁ କିଛିଟା ଆଶ୍ୱସ୍ତି ମିଳିଛି । ପିଆଜ ଦରରେ ମଧ୍ୟ ପରିବର୍ତ୍ତନ ହୋଇନାହିଁ । ପନିପରିବା ଦର ବୃଦ୍ଧି ଆହୁରି ତେଜିବ କି ନାହିଁ ତାହା ବନ୍ୟା ପାଣି ଛାଡ଼ିଲେ ଜଣାପଡିବ ବୋଲି ବଜାର ପକ୍ଷରୁ ସୂଚନା ମିଳିଛି । ଦର ବୃଦ୍ଧି ପାଇଁ ଏବେ ଯୋଗାଣ ଏକ ପ୍ରମୁଖ ସମସ୍ୟା ବୋଲି ଜଣାପଡିଛି ।

ଜହ୍ନି, ଝୁଡଙ୍ଗ, ପୋଟଳ,ଭେଣ୍ଡି, ବାଇଗଣ, ଲଙ୍କା, କାକୁଡି, କାଙ୍କଡ, କଲରା ଭଳି କଞ୍ଚା ପରିବା ପାଇଁ ସ୍ଥାନୀୟ ଉତ୍ପାଦନ ଉପରେ ନିର୍ଭର କରିବାକୁ ପଡିଥାଏ । ଏବେ ଫସଲ ଉତ୍ପାଦନ ହେଉଥିବା ସ୍ଥାନଗୁଡିକରେ ପାଣି ଜମିବା ସହ ଲଗାଣ ବର୍ଷା ଯୋଗୁ ପ୍ରଚୁର କ୍ଷତି ହୋଇଛି । ଫଳରେ ବଜାରରୁ ଆବଶ୍ୟକ ମୁତାବକ ସ୍ଥାନୀୟ ପରିବା ଆସିପାରୁନାହିଁ । ବଜାରରେ ଉପଲବ୍ଧତା କମ୍‌ ଯୋଗୁ ଦର ବୃଦ୍ଧି ତେଜିଛି ।

ଏପଟେ ରାଜ୍ୟ କଞ୍ଚାପରିବା ଉତ୍ପାଦନରେ ସମ୍ପୂର୍ଣ୍ଣ ସ୍ୱଂୟ ସମ୍ପୂର୍ଣ୍ଣ ହୋଇ ନ ଥିବା ବେଳେ ମହାରାଷ୍ଟ୍ରର ନାସିକ, କର୍ଣ୍ଣାଟକର ବାଙ୍ଗାଲୋର, ଇନ୍ଦୋର, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟଗୁଡିକ ଉପରେ ନିର୍ଭର କରିବାକୁ ପଡୁଛି । କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରେ ମଧ୍ୟ ବର୍ଷା ଯୋଗୁ ସ୍ଥିତି ପ୍ରଭାବିତ ହୋଇଛି ।

ରାଜଧାନୀ କଞ୍ଚା ପରିବା ସଂଘର ସଭାପତି କହିଛନ୍ତି ଯେ, ବର୍ଷା ଯୋଗୁ ଏବେ ବଜାରରେ କଞ୍ଚା ପରିବା ଦର ବୃଦ୍ଧି ଚାପ ଲୋକଙ୍କ ଉପରେ ରହିଛି । ବାହାରୁ ଯେତେ ପରିମାଣର ପରିବା ଆସୁଥିଲା ଏବେ ତା’ଠାରୁ ୪୦% କମ୍‌ ପରିବା ଆସୁଛି । ଯାହାର ସିଧାସଳଖ ପ୍ରଭାବ ଖୁଚୁରା ବଜାର ଉପରେ ପଡିଛି । ତେବେ ବନ୍ୟା ଛାଡିବା ପରେ ଦରରେ କିଛିଟା ହ୍ରାସ ହେବ ।

ରାଜ୍ୟ ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି ଯେ, ଦର ବୃଦ୍ଧିର ପ୍ରଭାବ ଆଳୁ, ପିଆଜ, ଟମାଟୋ, ବିଟ୍‌ ଏବଂ ଗାଜର ଉପରେ ନାହିଁ । ଜହ୍ନି, ଭେଣ୍ଡି, ଭାଇଗଣ ଭଳି ରାଜ୍ୟ ମଧ୍ୟରେ ଉତ୍ପାଦିତ ପରିବା ଦର ଏବେ ବଢ଼ିଛି । ଲଗାଣ ବର୍ଷା ଏବଂ ବନ୍ୟା ପାଣି ଯୋଗୁ ଫସଲ ନଷ୍ଟ ହୋଇଛି । ଫସଲ ବୁଡି ରହିବା ଯୋଗୁ ଉତ୍ପାଦନ କ୍ଷତିଗ୍ରସ୍ତ । ପାଣି ଛାଡିବା ପରେ ସ୍ଥିତି କିଛିଟା ସୁଧୁରି ପାରେ ।

ମାତ୍ର ଆଗାମୀ ଦେଢ଼ ମାସ ଯାଏ କଞ୍ଚାପରିବା ବଜାର ଉପରେ ଚାପ ରହିପାରେ । କୁବେରପୁରୀ ବ୍ୟବସାୟୀ ସଂଘର ସଭାପତି ଶକ୍ତି ଶଙ୍କର ମିଶ୍ର କହିଛନ୍ତି ଯେ, ଆଳୁ ଏବଂ ପିଆଜ ଦର ଏଯାଏ ବୃଦ୍ଧି ହୋଇନାହିଁ । ରାଜପଥ ପରିବହନ ଉପରେ କୌଣସି ପ୍ରଭାବ ନ ଥିବାରୁ ଏହାର ଦର ସ୍ୱାଭାବିକ ରହିଛି ।
ମାତ୍ର ବନ୍ୟା ଯୋଗୁ ପରିବହନ ଏବଂ ଯୋଗାଣ ବାଧାପ୍ରାପ୍ତ ହେଲେ ଏହାର ପ୍ରଭାବ ଖାଉଟିଙ୍କ ଉପରେ ପଡିବ ।

ଉପଲବ୍ଧତା କାରଣରୁ ପର୍ଯ୍ୟାପ୍ତ ପରିମାଣର ପରିବା ଆସିପାରୁନାହିଁ । ଯେଉଁ ପରିବା ରହିଛି ତାକୁ ଚଢ଼ା ଦରରେ ମଧ୍ୟ ବ୍ୟବସାୟୀ ବିକ୍ରି କରୁଥିବା ଦେଖାଯାଉଛି । ଲୋକଙ୍କ ପାଖରେ ଏହାର ବିକଳ୍ପ ନ ଥିବାରୁ ବାଧ୍ୟ ହୋଇ ଚଢ଼ା ଦରରେ ଲୋକମାନେ କଞ୍ଚା ପରିବା କିଣୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.