ଜୁନ୍‌ରେ ୧୦ ପ୍ରତିଶତ ବଢ଼ିଲା ନିରାମିଷ ଥାଳି ମୂଲ୍ୟ: ପିଆଜ, ଟମାଟୋ ଦାମ୍‌ରେ ବୃଦ୍ଧି ପ୍ରମୁଖ କାରଣ

Published By : Prameya-News7 Bureau | July 05, 2024 IST

ନୂଆଦିଲ୍ଲୀ: ଖାଉଟିଙ୍କ ଉପରେ ମହଙ୍ଗା ମାଡ଼। ଜୁନ୍‌ରେ ବଢ଼ିଲା ନିରାମିଷ ଥାଳି ଦାମ୍‌। ମାର୍କେଟ୍‌ ଆନାଲିଟିକ୍ସ CRISIL ଜାରି କରିଛି ଏହାର ମାସିକ ରିପୋର୍ଟ ‘ରୋଟି ରାଇସ ରେଟ୍‌’ । ଏହି ରିପୋର୍ଟ ଅନୁଯାୟୀ, ଜୁନ୍‌ରେ ନିରାମିଷ ଥାଳି ଦାମ୍‌ରେ ହାରାହାରି ୧୦ ପ୍ରତିଶତ ବୃଦ୍ଧି ହୋଇଛି। ଆଉ ଏହି ମୂଲ୍ୟ ବୃଦ୍ଧିର କାରଣ ହେଉଛି ପିଆଜ, ଟମାଟୋ ଏବଂ ଆଳୁର ଦାମ୍‌ରେ ହୋଇଥିବା ବୃଦ୍ଧି।

ରିପୋର୍ଟ ଅନୁଯାୟୀ, ଜୁନ୍‌ରେ ୧୦ ପ୍ରତିଶତ ବଢ଼ି ନିରାମିଷ ଥାଳି ପିଛା ଦାମ୍‌ ୨୯.୪ ଟଙ୍କା ହୋଇଛି। ଯାହା ଗତ ବର୍ଷ ଜୁନ୍‌ରେ ୨୬.୭ ଟଙ୍କା ରହିଥିଲା ଏବଂ ୨୦୨୪ ମେ ମାସରେ ୨୭.୮ ଟଙ୍କା ରହିଥିଲା। ନିରାମିଷ ଥାଳିରେ ରୁଟି, ପିଆଜ, ଟମାଟୋ ତଥା ଆଳୁ, ଚାଉଳ, ଡାଲି, ଦହି ଏବଂ ସାଲାଡ ଆଦି ଖାଦ୍ୟ ସାମିଲ ରହିଛି।ତେବେ ଟମାଟୋ ଦାମ୍‌ରେ ୩୦ ପ୍ରତିଶତ, ଆଳୁ ୫୯ ପ୍ରତିଶତ ଏବଂ ପିଆଜରେ ୪୬ ପ୍ରତିଶତ ବୃଦ୍ଧି ହୋଇଥିବା ରିପୋର୍ଟରେ କୁହାଯାଇଛି।

ସେହିଭଳି ଆମିଷ ଥାଳିର ମୂଲ୍ୟରେ କିନ୍ତୁ ଜୁନ୍‌ ମାସରେ ହ୍ରାସ ଦେଖିବାକୁ ମିଳିଛି। ଜୁନ୍‌ରେ ଆମିଷ ଥାଳିର ଦାମ୍‌ ହାରାହାରି ୫୮ ଟଙ୍କା ହୋଇଛି। ଯେତେବେଳେକି ୨୦୨୩ ଜୁନ୍‌ରେ ଆମିଷ ଥାଳିର ଦାମ୍‌ ହାରହାରି ୬୦.୫ ଟଙ୍କା ଥିଲା। 

ଆମିଷ ଥାଳି ମୂଲ୍ୟ ହ୍ରାସର କାରଣ

ରିପୋର୍ଟ ଅନୁଯାୟୀ, ଗତ ବର୍ଷ ତୁଳନାରେ ବ୍ରଏଲର କୁକୁଡ଼ାର ଦାମ୍‌ରେ ପ୍ରାୟ ୧୪ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି। ଏହା ସହ ପର୍ଯ୍ୟାପ୍ତ ପରିମାଣ ଏବଂ କମ୍ ଚାରା ଖର୍ଚ୍ଚ କାରଣର ମାଂସାହାରୀ ଥାଳି ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି। ଫଳରେ ଆମିଷ ଥାଳି ମୂଲ୍ୟରେ ହ୍ରାସ ହୋଇଛି।

ନିରାମିଷ ଥାଳି ମୂଲ୍ୟ ବୃଦ୍ଧିର କାରଣ 

ରିପୋର୍ଟ ଅନୁଯାୟୀ, ନିରାମିଷ ଥାଳି ମୂଲ୍ୟ ବୃଦ୍ଧିର ପ୍ରମୁଖ କାରଣ ମଧ୍ୟରେ ରହିଛି, ରବି ଫସଲରେ ହ୍ରାସ ଯୋଗୁଁ ପିଆଜର ଦାମ୍‌ ବୃଦ୍ଧି, ମାର୍ଚ୍ଚରେ ଅସ୍ବାଭାବିକ ବର୍ଷା କାରଣରେ ଆଳୁ ଉତ୍ପାଦନ କମ୍ ଇତ୍ୟାଦି। ଆହୁରି ମଧ୍ୟ କର୍ଣ୍ଣାଟକ ତଥା ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟରେ ଅତ୍ୟଧିକ ତାପମାତ୍ରା କାରଣରୁ ଖରାଦିନିଆ ଫସଲରେ ସଂକ୍ରମଣ ଫଳରେ ଟମାଟୋ ଉତ୍ପାଦନ ଗତ ବର୍ଷ ତୁଳନାରେ ୩୫ ପ୍ରତିଶତ କମ୍‌ ହୋଇଛି। ସେହିଭଳି ଚାଉଳର ଦାମ୍‌ରେ ମଧ୍ୟ ୧୩ ପ୍ରତିଶତ ବୃଦ୍ଧି ହୋଇଛି। ଖରିଫ ମାସରେ ପ୍ରବଳ ଖରା କାରଣରୁ ଡାଲି ଫସଲରେ ୨୨ ପ୍ରତିଶତର ବୃଦ୍ଧି ହୋଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.