ପାଠ୍ୟକ୍ରମରେ ସାମିଲ ହେବ ବୈଦିକ ଶିକ୍ଷା, କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରସ୍ତାବର ସମୀକ୍ଷା କଲେ, ଖୁବ୍ ଶୀଘ୍ର ନିଷ୍ପତ୍ତି

Published By : Prameya-News7 Bureau | February 18, 2021 IST

ନୂଆଦିଲ୍ଲୀ,୧୮/୦୨: ଭାରତ ସରକାର ଦେଶରେ ବୈଦିକ ଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ବୈଦିକ ଶିକ୍ଷା ବୋର୍ଡ ଗଠନ କରିବା ଦିଗରେ କାମ କରିବା ଆରମ୍ଭ କରିଦେଲେଣି । ଏହି ବୋର୍ଡ ସିବିଏସଇରୁ ଭିନ୍ନ ହେବ । ଏହାସହ ସରକାର ସ୍କୁଲର ପାଠ୍ୟକ୍ରମରେ ବୈଦିକ ଶିକ୍ଷାକୁ ସାମିଲ କରିବା ପାଇଁ ମଧ୍ୟ ବିଚାର କରୁଛନ୍ତି ।

କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ବାସ୍ତବରେ ବାବା ରାମଦେବଙ୍କ ପତଞ୍ଜଳି ଗ୍ରୁପରୁ ଭାରତୀୟ ଶିକ୍ଷା ବୋର୍ଡର ଆରମ୍ଭ ପାଇଁ ମଞ୍ଜୁରି ପ୍ରଦାନ କରିସାରିଛନ୍ତି । ଏହା ଭାରତୀୟ ଜ୍ଞାନ ପଦ୍ଧତି ଉପରେ ଆଧାରିତ ଏକ ବୋର୍ଡ ହେବ । ସରକାରଙ୍କ ନୂଆ ଯୋଜନା ଅନୁସାରେ ବୈଦିକ ବୋର୍ଡର ସ୍ଥାପନା କରିବା ପ୍ରସ୍ତାବ ଆରଏସଏସ ପକ୍ଷରୁ ଆସି ଥାଇପାରେ । ଗତ କିଛି ମାସ ଧରି ଏପରି ପ୍ରସ୍ତାବକୁ ନେଇ ମନ୍ତ୍ରାଳୟରେ ଆଲୋଚନା ଓ ପର୍ଯ୍ୟାଲୋଚନା ଲାଗି ରହିଛି । ଶିକ୍ଷା ମନ୍ତ୍ରାଳୟର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବୈଦିକ ପାଠ୍ୟକ୍ରମ ପ୍ରସ୍ତାବ ଦେଇଛି । ଏହା ମହର୍ଷି ସନ୍ଦିପନୀ ରାଷ୍ଟ୍ରୀୟ ବେଦବୀୟ ପ୍ରତିଷ୍ଠାନ ରୂପରେ ସାମ୍ନାକୁ ଆସିପାରେ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରୀଆଲ ଏ ବାବଦରେ ସମୀକ୍ଷା ମଧ୍ୟ କରିସାରିଛନ୍ତି ।

ଶିକ୍ଷା ବିଭାଗ କହିଛି ଯେ, ସିବିଏସଇ ଓ ଏନଆଇଓଏସ  ପୂର୍ବରୁ ଦେଶରେ କାମ କରୁଛନ୍ତି । ତେଣୁ ଆଉ ଏକ ବୋର୍ଡ ଗଠନ କରିବାର ଆବଶ୍ୟକତା ନାହିଁ । ପୁରୁଣା ବୋର୍ଡର ପାଠ୍ୟକ୍ରମରେ ଶିକ୍ଷଣୀୟ ବିଷୟ ଜରିଆରେ ବୈଦିକ ଶିକ୍ଷାକୁ ସାମିଲ କରାଯାଉପାରେ । ଏହି ଉଦ୍ଦେଶ୍ୟ ପାଇଁ ଭିନ୍ନ ଏକ ବୋର୍ଡ ଗଠନ ଅନାବଶ୍ୟକ । ୨୦୦୯ ଶିକ୍ଷା ଅଧିକାର ଆଇନ ବଳରେ ବୈଦିକ ପାଠଶାଳାକୁ ସେକ୍ସନ ୨୯ ଓ ମାଦ୍ରାସାକୁ ସେକ୍ସନ ୩୦ରେ ସାମିଲ କରାଯାଇଛି ।

ମହର୍ଷି ସନ୍ଦିପନୀ ରାଷ୍ଟ୍ରୀୟ ବେଦବୀୟ ପ୍ରତିଷ୍ଠାନ ନିଜର ମାନଦଣ୍ଡ ହିସାବରେ ସ୍କୁଲ ଓ କୋର୍ସ କିପରି ଚଳାଇବ ବୋଲି ପ୍ରଶ୍ନ ଉଠିଛି । ସମସ୍ୟା ସିବିଏସଇ ଭଳି ଆଉ ଏକ ବୋର୍ଡ କିପରି ସମାନ୍ତରାଳ ଭାବେ କାର୍ଯ୍ୟ କରିବ ବୋଲି ସମସ୍ୟା ମଧ୍ୟ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.