ପୁସ୍ତକ ବିବାଦକୁ ନେଇ ଉପାଧ୍ୟକ୍ଷ ଆଦ୍ଧବ ଅର୍ଜୁନଙ୍କୁ ନିଲମ୍ବିତ କଲା VCK

Published By : Prameya-News7 Bureau | December 09, 2024 IST

ଚେନ୍ନାଇ ୯।୧୨: ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମକୁ ନେଇ ବିବାଦ ଯୋଗୁ ଭିଦୁଥଲାଇ ଚେରୁଥେଗଲ କାଚୀ (ଭିସିକେ) ଉପାଧ୍ୟକ୍ଷ ଅଦ୍ଧବ ଅର୍ଜୁନଙ୍କୁ ୯ ଡିସେମ୍ବର ସୋମବାର ଦଳରୁ ୬ ମାସ ନିମନ୍ତେ ନିଲମ୍ବିତ କରିଛି। ତାଙ୍କର ବିଦ୍ରୋହୀ ଗତିବିଦ୍ଧି ଯୋଗୁ ଏହି ନିଷ୍ପତ୍ତି ନିଆଯାଇଥିବା ପାର୍ଟି ଏକ ଘୋଷଣାରେ କହିଛି। ଡ.ବି.ଆର.ଆମ୍ବେଦକରଙ୍କ ଉପରେ ରଚିତ ଏକ ପୁସ୍ତକର ଉନ୍ମୋଚନ କାର୍ଯ୍ୟକ୍ରମରେ ଆଦ୍ଧବ ପାର୍ଟିର ସହଯୋଗୀ ଡିଏମକେକୁ ‘ବଂଶବାଦ ରାଜନୀତି’ ପାଇଁ ସମୋଲୋଚନା କରିଥିଲେ। 

ଏହି ବିବାଦ ‘ଏଲୋଋକ୍କୁମାନା ଥଲାଇଭର ଆମ୍ବେଦକର’ (ଆମ୍ବେଦକର ଏ ଲିଡର ଫର ଅଲ) ପୁସ୍ତକ ପାଇଁ ଉପୁଜିଛି। ଯାହାକୁ ଭିକଟନ ଓ ଆଦ୍ଧବଙ୍କ ରାଜନୈତିକ ରଣନୀତି ଫାର୍ମ ‘ଭୟସ ଅଫ କମନସ୍’ ମିଳିତ ପ୍ରକାଶନ କରିଛନ୍ତି।  ଏହି ପୁସ୍ତକକୁ ଡିସେମ୍ବର ୬ ତାରିଖ ଦିନ ଡ. ଆମ୍ବେଦକରଙ୍କ ଶ୍ରାଦ୍ଧ ଦିବସ ଅବସରରେ ତମିଲଗା ଭେନ୍ନି କଝଗମ(ଟିବିକେ) ଅଧ୍ୟକ୍ଷ ବିଜୟଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା। ଏହି ଅବସରରେ ବିଜୟ ଶାସକ ଡିଏମକେକୁ ତାଙ୍କ ପାର୍ଟିର ଶତ୍ରୁ ବୋଲି ଖୋଲାଖୋଲି ଘୋଷଣା କରିଥିଲେ। 

ଏହି ଘଟଣା ଯୋଗୁ ଭିସିକେ ଓ ଡିଏମକେ ମେଣ୍ଟରେ ଫାଟ ସୃଷ୍ଟି ହୋଇଥିବା ଆକଳନ କରାଯାଉଛି। ଏ ନେଇ ଭିସିକେ ଏକ ବୟାନ ଜାରି କରିଥିବା ବେଳେ ପାର୍ଟି ନେତାଙ୍କ ବାରମ୍ବାର ପରାମର୍ଶ ସତ୍ତ୍ୱେ କିଛି କାର୍ଯ୍ୟକର୍ତ୍ତାଙ୍କ ବିଦ୍ରୋହୀ ଗତିବିଦ୍ଧି ସ୍ୱତଃ ସାମ୍ନାକୁ ଆସିଥିବା କୁହାଯାଇଛି। ଏଣୁ ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନରେ ଆଦ୍ଧବ ଅର୍ଜୁନଙ୍କୁ ୬ ମାସ ନିମନ୍ତେ ପାର୍ଟିରୁ ନିଲମ୍ବିତ କରାଯାଇଥିବା ବୟାନରେ କୁହାଯାଇଛି। ୬ ଡିସେମ୍ବର ଭାଷଣରେ ଆଦ୍ଧବ ଦେଶରେ ବଂଶବାଦ ରାଜନୀତିକୁ ଟାର୍ଗେଟ କରିଥିଲେ। ବିଶେଷ କରି ତାମିଲନାଡୁରେ ଡିଏମକେ ଉପରେ ରାଜତନ୍ତ୍ର ଶାସନକୁ ପ୍ରୋତ୍ସାହନ ଦେଉଥିବାର ଅଭିଯୋଗ କରିଥିଲେ। 

ସେ କହିଥିଲେ ଯେ ତାମିଲନାଡୁରେ ଏବେ ରାଜତନ୍ତ୍ର ପରମ୍ପରାକୁ ଆଉ ଚଳାଇ ଦିଆଯିବନି। ରାଜତନ୍ତ୍ର ସମାପ୍ତ କରିବାକୁ ହେଲେ ଆଜି ଆମକୁ ଆମ୍ବେଦକରଙ୍କ ବିଚାରଧାରାର ଆବଶ୍ୟକତା ରହିଛି। ସେ କହିଥିଲେ ଯେ ୨୦୨୬ ବିଧାନସଭା ନିର୍ବାଚନ ପ୍ରସ୍ତୁତିରେ ବଂଶବାଦ ରାଜନୀତିକୁ ସମାପ୍ତ କରିବା ପାଇଁ ଧ୍ୟାନ କେନ୍ଦ୍ରିତ କରିବାର ଆବଶ୍ୟକତା ରହିଛି। ଆମ୍ବେଦକର ଆମକୁ ଶିଖାଇଛନ୍ତି ଆମେ ସବୁ ସମାନ ଜନ୍ମ ହୋଇଛେ। ଜନ୍ମ ଆଧାରରେ କାହାରିକୁ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରାଯିବା ଉଚିତ ନୁହେଁ। କେବଳ ଜଣେ ଆଦର୍ଶବାଦୀ ନେତାଙ୍କୁ କ୍ଷମତାର କେନ୍ଦ୍ର  କରାଯିବା ଦରକାର। 

ଚଳିତବର୍ଷ ପ୍ରାରମ୍ଭରେ ଆଦ୍ଧବ ଉଦୟନିଧି ଷ୍ଟାଲିନଙ୍କୁ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତିକୁ ସମାଲୋଚନା କରି ରାଜନୈତିକ ବିତର୍କ ସୃଷ୍ଟି କରିଥିଲେ। ସେ ପ୍ରଶ୍ନ କରିଥିଲେ ଯେ ଥିରୁମାଭଲଭନଙ୍କ ଭଳି ଅଭିଜ୍ଞ ରାଜନେତାଙ୍କୁ ଏହି ପଦବୀ କାହିଁକି ଦିଆଗଲା ନାହିଁ। ଆଦ୍ଧବ ଭିସିକେ ସହିତ ଅସମାନ କ୍ଷମତା ଭାଗିଦାରୀ ଲାଗି ମଧ୍ୟ ଡିଏମକେର ସମାଲୋଚନା କରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.