ରାଜସ୍ଥାନ ବିଜେପିରେ କଳହ ! ଭାଷଣ ଦେଲେନି ବସୁନ୍ଧରା, ବୈଠକ ଅଧାରୁ ଉଠି ଚାଲିଗଲେ

Published By : Prameya-News7 Bureau | June 15, 2022 IST

ଜୟପୁର: ରାଜସ୍ଥାନ ବିଜେପିରେ କଳହ ଧିରେ ଧିରେ ମୁଣ୍ଡ ଟେକିବାରେ ଲାଗିଛି। ଏହାର ଦୃଶ୍ୟ ବୁଧବାର କୋଟାରେ ବିଜେପି  ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଦେଖିବାକୁ ମିିଳିଛି। ଏହି ସମୟରେ ଖୁବ୍ ହଙ୍ଗାମା ହୋଇଛି ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପାର୍ଟିର ବରିଷ୍ଠ ନେତା ବସୁନ୍ଧରା ରାଜେ ଅସନ୍ତୁଷ୍ଟ ନଜର ଆସିଛନ୍ତି। ଏପରିକି ବୈଠକ ଛାଡି ବାହାରକୁ ଚାଲି ଆସିଛନ୍ତି ରାଜେ।

ବୈଠକରେ ସତୀଶ ପୁନିଆଙ୍କଠୁ ନେଇ ପ୍ରଭାରୀ ଅରୁଣ ସିଂହଙ୍କ ସହିତ ବସୁନ୍ଧରା ରାଜେ ଉପସ୍ଥିତ ଥିଲେ। ବୈଠକ ମୋଟ୍ ତିନୋଟି ଭାଗରେ ଆୟୋଜନ ହେବାର ଥିଲା। ତୃତୀୟ ଭାଗରେ ବସୁନ୍ଧରା ରାଜେଙ୍କ ସମ୍ବୋଧନ କାର୍ଯ୍ୟକ୍ରମ ଥିଲା। ବିଜେପିର ବରିଷ୍ଠ ନେତାଙ୍କୁ ଚାରି ରାଜ୍ୟରେ ପାର୍ଟିର ବିଜୟ ଏବଂ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ୧୦ ଲକ୍ଷ ଯୁବକଙ୍କୁ ରୋଜଗାର ଦେବା ଘୋଷଣା ଉପରେ ଭାଷଣ ଦେବାର ଥିଲା।

ବସୁନ୍ଧରାଙ୍କ ଭାଷଣ ପାଇଁ ୨୫ ମିନିଟ୍ ସମୟ ନିର୍ଦ୍ଧାରିତ କରାଯାଇଥିଲା। ହେଲେ ବସୁନ୍ଧରା ଭାଷଣ ନଦେଇ ବୈଠକ ଅଧାରୁ ଉଠି ଚାଲି ଆସିଛନ୍ତି। ଏହି ପରି ବସୁନ୍ଧରା ରାଜେ ବୈଠକ ଛାଡି ଚାଲି ଆସିବା ରାଜନୀତି ମାହୋଲକୁ ସରଗରମ କରିଛି। ରାଜସ୍ଥାନ ବିଜେପିର କଳହ ଏବେ ଖୋଲାଖୋଲି ସାମ୍ନାକୁ ଆସିବାରେ ଲାଗିଛି।

ସୂଚନା ଅନୁଯାୟୀ, ପ୍ରଦେଶ କାର୍ଯ୍ୟକାରିଣୀରେ ଯୋଗ ଦେବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ କୋଟା ପହଞ୍ଚିଥିଲେ। ବୈଠକରେ ବସୁନ୍ଧରା ରାଜେଙ୍କ ଗଣମାଧ୍ୟମ ପରାମର୍ଶଦାତା ଏବଂ ବ୍ୟକ୍ତିଗତ ସୁରକ୍ଷାଗାର୍ଡଙ୍କୁ ଭିତରକୁ ଯିବାକୁ ଅନୁମତି ଦିଆଯାଇନଥିଲା। ସେଠାରେ ପ୍ରବେଶକୁ ନେଇ ବିଜେପି ନେତା- କାର୍ଯ୍ୟକର୍ତ୍ତା ପରସ୍ପର ବିରୋଧରେ ଆଶାଳୀନ ଭାଷା ପ୍ରୟୋଗ କରୁଥିବା ଶୁଣିବାକୁ ମିଳିଥିଲା। ଏପରିକି ବସୁନ୍ଧରାଙ୍କ ସମର୍ଥକ ପୂର୍ବତନ ବିଧାୟକ ଭବାନୀ ସିଂହ ରାଜାଓ୍ଵତଙ୍କୁ ମଧ୍ୟ ବୈଠକରେ ପ୍ରବେଶ ଅନୁମତି ଦିଆଯାଇନଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.