ନୂଆଦିଲ୍ଲୀ ୨୮।୦୨: ଟେଷ୍ଟ ସିରିଜ୍ ପରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ। ମାର୍ଚ୍ଚ ୧୨ରେ ସିରିଜ୍ର ପ୍ରଥମ ମ୍ୟାଚ୍ ଖେଳାଯିବ। ଭାରତୀୟ ଦଳ ଘୋଷଣା ମଧ୍ୟ ହୋଇ ସାରିଛି। ବରୁଣ ଚକ୍ରବର୍ତ୍ତୀ ଦଳରେ ସାମିଲ ଅଛନ୍ତି। ତେବେ ଖବର ଆସୁଛି ଯେ ଏହି ରହସ୍ୟମୟୀ ସ୍ପିନର ଟି-୨୦ ସିରିଜ୍ରୁ ବାଦ୍ ପଡି ପାରନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ବରୁଣ ଚକ୍ରବର୍ତ୍ତି ବିସିସିଆଇର ନୂତନ ଫିଟନେସ୍ ଟେଷ୍ଟରେ ଭଲ ପ୍ରଦର୍ଶନ କରି ପାରି ନାହାନ୍ତି। ଯେଉଁ କାରଣରୁ ତାଙ୍କୁ ବାହାରେ ବସିବାକୁ ପଡିପାରେ।
କ୍ରିକବଜ୍ ରିପୋର୍ଟ ଅନୁଯାୟୀ ବରୁଣ ଚକ୍ରବର୍ତ୍ତୀ ଉପରେ ଦଳରୁ ବାଦ୍ ପଡିବାର ସମ୍ଭାବନା ରହିଛି। କାରଣ ସେ ଫିଟନେସ୍ ଟେଷ୍ଟରେ ଭଲ ପ୍ରଦର୍ଶନ କରି ନାହାନ୍ତି। ବିସିସିଆଇର ନୂତନ ଟେଷ୍ଟରେ ଖେଳାଳିଙ୍କୁ ୮.୫ ମିନିଟ୍ରେ ୨ କିମି ଦୌଡିବାକୁ ପଡିବ। ଏଥିସହ ୟୋ ୟୋ ଟେଷ୍ଟରେ ଅତି କମରେ ୧୭.୧ ସ୍କୋର ଆଣିବାକୁ ହେବ। କ୍ରିକବଜ୍ ସହ ଆଲୋଚନା ବେଳେ ବରୁଣ କହିଛନ୍ତି ଯେ, ସେ ଏବେ ମଧ୍ୟ ବିସିସିଆଇର ଜବାବର ଅପେକ୍ଷାରେ ଅଛନ୍ତି। ତାଙ୍କ ଅନୁଯାୟୀ ଏ ପର୍ଯ୍ୟନ୍ତ ତାଙ୍କୁ କେହି କିଛି କହି ନାହାନ୍ତି।
ବରୁଣ ଚକ୍ରବର୍ତ୍ତୀ ପାଞ୍ଚ ମାସରେ ଦ୍ଵିତୀୟ ଥର ଦଳରୁ ବାଦ୍ ପଡି ପାରନ୍ତି। ଆହତ କାରଣରୁ ସେ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍ରୁ ବାଦ୍ ପଡିଥିଲେ। ଏହା ପୂର୍ବରୁ ଆଇପିଏଲରେ କେକେଆର ପକ୍ଷରୁ ସେ ଦମଦାର ପ୍ରଦର୍ଶନ କରିଥିଲେ। ଫଳସ୍ଵରୂପ ଦଳରେ ତାଙ୍କୁ ସ୍ଥାନ ମିଳିଥିଲା।