ଲକ୍ଷ୍ନୌ: ୧୬ ବର୍ଷ ପୁରୁଣା ବାରାଣସୀ ବିସ୍ଫୋରଣ ମାମଲାରେ ଅଭିଯୁକ୍ତ ୱାଲିଉଲ୍ଲାହ ଦୋଷୀ ସାବ୍ୟସ୍ତ । ସିରିଏଲ ବିସ୍ଫୋରଣର ଦୁଇଟି ମାମଲାରେ ଜିଲ୍ଲା ଜଜ ଆତଙ୍କୀ ୱାଲିଉଲ୍ଲାହକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତେବେ ଅନ୍ୟ ଏକ ମାମଲାରେ ତାକୁ ଖଲାସ କରିଛନ୍ତି । ଏହି ମାମଲାରେ ଅଭିଯୁକ୍ତି ୱାଲିଉଲ୍ଲାହକୁ ଶନିବାର ଅପରାହ୍ମରେ ଜିଲ୍ଲା ଅଦାଲତରେ ହାଜର କରାଯାଇଥିଲା। ଜିଲ୍ଲା ଜଜ ଜିତେନ୍ଦ୍ର କୁମାର ସିହ୍ନା ବାରାଣସୀର ସଂକଟମୋଚନ ମନ୍ଦିରରେ ହୋଇଥିବା ସିରିଏଲ ବିସ୍ଫୋରଣରେ ବଲିଉଲ୍ଲାହ ଦୋଷୀ ଥିବା ଘୋଷଣା କରିଥିଲେ। ଏହି ବିସ୍ଫୋରଣରେ ମୋଟ ୭ ଜଣଙ୍କ ମୃତ୍ୟୁ ହୋଇଥିଲା।
ସେହିପରି ଦଶାଶ୍ୱମେଘ ଘାଟରେ କୁକର ବୋମା ମିଳିବା ଘଟଣାରେ ମଧ୍ୟ ୱାଲିଉଲ୍ଲାହ ଦୋଷୀ ସାବ୍ୟସ୍ତ ହୋଇଛି। ଏଠାରେ ବିସ୍ଫୋରଣ ହେବା ପୂର୍ବରୁ ବୋମାକୁ ଉଦ୍ଧାର କରାଯାଇଥିଲା। ତୃତୀୟ ମାମଲାରେ ରେଲୱେ କ୍ୟାଣ୍ଟ ନିକଟରେ ବିସ୍ଫୋରଣ ହୋଇଥିଲା। ଏଠାରେ ୯ ଜଣଙ୍କ ମୃତ୍ୟୁ ହୋଇଥିଲା। ତେବେ ସାକ୍ଷୀ ଅଭାବ ଯୋଗୁଁ ୱାଲିଉଲ୍ଲାହକୁ କୋର୍ଟ ଏହି ମାମଲାରୁ ମୁକ୍ତ କରିଛନ୍ତି।
୨୦୦୬ ମସିହାରେ ବାରାଣସୀରେ ସଂକଟମୋଚନ ମନ୍ଦିର ଏବଂ କ୍ୟାଣ୍ଟ ରେଲୱ ଷ୍ଟେସନରେ ବୋମା ବିସ୍ଫୋରଣ ହୋଇଥିଲେ। ଏହାଛଡା ଦଶାଶ୍ୱମେଘ ଘାଟ ନିକଟରେ କୁକର ବୋମା ମିଳିଥିଲା। ବୋମା ବିସ୍ଫୋରଣରେ ଅନେକଙ୍କ ଜୀବନ ଯାଇଥିବାବେଳେ, ଡର୍ଜନରୁ ଅଧିକ ଲୋକେ ଆହତ ହୋଇଥିଲେ। ସିରିଏଲ ବ୍ଲାଷ୍ଟ ମାମଲାରେ ୟୁପି ପୋଲିସ ୨୦୦୬ ଏପ୍ରିଲ ୫ ତାରିଖରେ ପ୍ରୟାଗରାଜ ଜିଲ୍ଲାର ଫୁଲପୁର ଗାଁର ୱାଲିଉଲ୍ଲାହକୁ ଗିରଫ କରିଥିଲା।