ବେଆଇନ ଭାବେ ଅଟକ ରଖିଲେ ଏଥର ପୋଲିସ୍ ନିଜ ଦରମାରୁ ଗଣିବ ୨ଲକ୍ଷ ଟଙ୍କା କ୍ଷତିପୂରଣ

Published By : Prameya-News7 Bureau | January 12, 2019 IST

  ବାରଣାସୀ ୧୨/୧: ଅବୈଧ ଭାବେ ପୋଲିସ୍ କାହାକୁ ଅଟକ ରଖିବା କ୍ଷେତ୍ରରେ ମାନବାଧିକାର ଆୟୋଗ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ବିନା କାରଣରେ କାହାକୁ ଅଟକ ରଖିଲେ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ଦେବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। କ୍ଷତିପୂରଣ ବେଆଇନ ଅଟକ ରଖିଥିବା ପୋଲିସ ଅଧିକାରୀ ତାଙ୍କ ଦରମାରୁ ଭରଣା କରିବେ ବୋଲି ମଧ୍ୟ ଆୟୋଗ କହିଛନ୍ତି । ୨୦୧୫ମସିହାର ଏ ସମ୍ପର୍କିତ ମାମଲାର ବିଚାର କରି ଆୟୋଗ ଏହି ଐତିହାସିକ ନିଷ୍ପତ୍ତି ଶୁଣାଇଛନ୍ତି  ।

ସୂଚନାଯୋଗ୍ୟ ଯେ, ୨୦୧୫ ମସିହାରେ ବାରାଣାସୀର ବରୁଣା ପୁଲ ଅଞ୍ଚଳରେ ରହୁଥିବା ଦୁଇ ଭାଇ ଶଙ୍କର ଯାଦବ ଏବଂ ବଳରାମ ଯାଦବଙ୍କୁ କେଣ୍ଟ ଥାନା ମୁଖ୍ୟ ଡିଏସପି ରତନ ସିଂହ ଯାଦବ ୧୪ଦିନ ଯାଏଁ ବେଆଇନ୍ ଭାବେ ଜେଲରେ ଅଟକ କରି ରଖିଥିଲେ।  ସେମାନଙ୍କ ଜମି ହାତେଇବା ପାଇଁ ସଂପୃକ୍ତ ଡିଏସପି ଦୁଇ ଭାଇଙ୍କ ଉପରେ ଚାପ ପକାଇବା ପାଇଁ ଏଭଳି କରୁଥିଲେ । ଜମି ତାଙ୍କୁ ବିକ୍ରୀ ନକଲେ ମିଛ ଠକେଇ ମାମଲାରେ ଫସାଇଦେବାକୁ ମଧ୍ୟ ଧମକ ଦେଇଥିଲେ । ହ୍ବାଟସଆପରୁ ଭାଇରାଲ ହୋଇଥିବା ମ୍ୟାସେଜରୁ ମାମଲା ସମସ୍ତଙ୍କୁ ଜଣା ପଡ଼ିବାରୁ ଏସଏସପି ଦୁଇ ଭାଇଙ୍କୁ କ୍ୟାଣ୍ଟ ଥାନାରୁ ବାହାର କରି ଘରକୁ ପଠାଇଥିଲେ।

ଏହି ଅଭିଯୋଗ ରାଷ୍ଟ୍ରୀୟ ମାନବାଧିକାର ଆୟୋଗକୁ ଯାଇଥିଲା। ଏହାପରେ ଡିଏସପି ରତନ ସିଂହ ଯାଦବଦୁଇ ଜଣ ଭାଇଙ୍କୁ ବେଆଇନ୍ ଭାବେ ବନ୍ଦୀ ରଖିବା ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏଥିପାଇଁ ତାଙ୍କ ଚରିତ୍ର ପଞ୍ଜିକାରେ କଡା ଟିପ୍ପଣୀ ଦିଆଯିବା ସହ ତାଙ୍କୁ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯାଇଥିଲା ।  ଦୁଇ ଭାଇଙ୍କ ମାନବାଧିକାର ଉଲ୍ଲଙ୍ଘନ ନିମନ୍ତେ କ୍ଷତିପୂରଣ ବାବଦକୁ ୨ ଲକ୍ଷ ଟଙ୍କା ଡିଏସପିଙ୍କ ଦରମାରୁ ପ୍ରଦାନ ପାଇଁ ଆୟୋଗ ନିର୍ଦ୍ଦେଶ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.