ନର୍ଥ-ଇଷ୍ଟକୁ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ; ଗୌହାଟୀକୁ ପଶ୍ଚିମବଙ୍ଗ ସହିତ ଯୋଡ଼ିବ ଟ୍ରେନ୍
29/05/2023 at 1:41 PM

ଗୌହାଟୀ: ନର୍ଥ-ଇଷ୍ଟକୁ ମିଳିଲା ସେମି କଣ୍ଡକ୍ଟ ଟ୍ରେନ୍ । ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ନୀଳ ପତାକା ଦେଖାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପଶ୍ଚିମବଙ୍ଗର ନ୍ୟୁ ଜଲପାଇଗୁଡ଼ି ଷ୍ଟେସନରୁ ଆସାମର ଗୌହାଟୀକୁ ଦୌଡିଲା ଏହି ଟ୍ରେନ୍। ପ୍ରାୟ ୪୦୭ କିଲୋମିଟର ରାସ୍ତାକୁ ମାତ୍ର ସାଢ଼େ ୫ ଘଣ୍ଟାରେ ସମୟ ନେବ । ଏହି ରୁଟରେ ଚାଲୁଥିବା ଏହା ସବୁଠାରୁ ଦ୍ରୁତତମ ଟ୍ରେନ୍ । ଏହାଦ୍ବାର ପର୍ଯ୍ୟଟନ କ୍ଷେତ୍ରରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବା ସହିତ ପର୍ଯ୍ୟଟନ କ୍ଷେତ୍ର ଗୁଡ଼ିକର ମଧ୍ୟ ବିକାଶ ଘଟିବ ।
ଗୌହାଟୀ ବନ୍ଦେ ଭାରତ ଏକ୍ସପ୍ରେସ ଭାରତ ୧୮ତମ ଦ୍ରୁତ ଟ୍ରେନ୍ । ଏହା ନ୍ୟୁଜଲପାଇଗୁଡିରୁ ସକାଳ ୬.୧୦ ମିନିଟରେ ଯାତ୍ରା ଆରମ୍ଭ କରି ଦିନ ୧୧.୪୦ ମିନିଟରେ ଗୌହାଟୀରେ ପହଞ୍ଚିବ । ସେହିପରି ଅପରାହ୍ଣ ୪.୩୦ମିନିଟରେ ଗୌହାଟୀରୁ ଯାତ୍ରା ଆରମ୍ଭ କରି ରାତି ୧୦ଟାରେ ନ୍ୟୁଜଲପାଇଗୁଡିରେ ପହଞ୍ଚିବ । ମଙ୍ଗଳବାରକୁ ଛାଡ଼ି ସପ୍ତାହରେ 6ଦିନ ଗଡ଼ିବ ଏହି ଟ୍ରେନ୍ ।
ବନ୍ଦେ ଭାରତ ଏକ୍ସପ୍ରେସର ଉଦଘାଟନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଉତ୍ତର-ପୂର୍ବ ଭାରତ ପାଇଁ ଆଜି ମହତ୍ବପୂର୍ଣ୍ଣ ଦିନ । ପର୍ଯ୍ୟଟନ କ୍ଷେତ୍ରର ବିକାଶ ହେବା ସହିତ ଲୋକଙ୍କୁ ରୋଜଗାର ମିଳିବ । ସେହିପରି ପ୍ରଧାନମନ୍ତ୍ରୀ ଲାମାଣ୍ଡିଂରେ ନବନିର୍ମିତ ଡେମୋ ମେମୋ ସେଡକୁ ମଧ୍ୟ ଲୋକାର୍ପିତ କରିଛନ୍ତି । ଏହାଛଡ଼ା ଆସାମରୁ ମେଘାଳୟ ପ୍ରାୟ ସାଢେ ୪ଶହ କିଲୋମିଟର ରେଲଓ୍ବା ଟ୍ରାକର ବିଦ୍ୟୁତକରଣ କାମ ସମ୍ପୂର୍ଣ୍ଣ ହୋଇଯାଇଛି ବୋଲି ପିଏମ୍ କହିଛନ୍ତି ।