ଚାଲାଣ ବେଳେ ଅଫିମ ଚୋପା ବୋଝେଇ ଭ୍ୟାନ୍ ଜବତ; ଜଣେ ଗିରଫ
30/03/2023 at 6:18 PM

ଦେବଗଡ଼ ୩୦/୦୩: ଚାଲାଣ ବେଳେ ବେଆଇନ୍ ଅଫିମ ଚୋପା ବୋଝେଇ ଭ୍ୟାନ୍ ଜବତ। ଏହି ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଏପରି ଅପରାଧିକ ଘଟଣା ଦେବଗଡ଼ ବାରକୋଟ୍ ଥାନାର ବାସୁପାଲି ଛକରେ ଘଟିଛି। ଜବତ ବେଆଇନ ଅଫିମ ଚୋପାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି।
ଖବର ଅନୁସାରେ, ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ମିଳିତ ପେଟ୍ରୋଲିଂ ହେବା ବେଳେ ୪୯ ନମ୍ବର ଜାତୀୟ ରାଜପଥର ବାସୁପାଲି ପାଖରେ ଏକ ସନ୍ଦିଗ୍ଧ ଭ୍ୟାନକୁ ଯାଞ୍ଚ କରାଯାଇଥିଲା। ସେହି ସମୟରେ ଗାଡି ଭିତରେ ଓ ଉପରେ ଅଫିମ ଚୋପା ଭର୍ତ୍ତି ବସ୍ତା ଠାବ କରାଯାଇଥିଲା।ଏହି ନିଶା ଅଫିମ ଚୋପା ଝାଡଖଣ୍ଡରୁ ଅନୁଗୁଳକୁ ଅଣାଯାଉଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ଜବତ ଭ୍ୟାନ୍ର ଚାଳକ ଜୋହାନ ହାସାକୁ ଅବକାରୀ ଟିମ୍ ଗିରଫ କରି ଅଦାଲତ ଚାଲାଣ କରିଛି। ଗିରଫ ବ୍ୟକ୍ତିଙ୍କ କହିବା ଅନୁସାରେ ସେ ପ୍ରଥମ ଥର ଏଭଳି ନିଶା ଦ୍ରବ୍ୟ ଚାଲାଣ କରୁଥିଲେ। ଏହି ଅଫିମ ଚାଲାଣର ମୁଖ୍ୟ ଅପରାଧିକୁ ଚିହ୍ନଟ କରି ଧରିବାକୁ ଅବକାରୀ ବିଭାଗ ପକ୍ଷରୁ ତନାଘନା କରାଯାଉଛି।