ପ୍ରେମ ପାଇଁ ଯୁବତୀଙ୍କୁ ଗୁଳି! ଭାଲେଣ୍ଟାଇନ୍ ଓ୍ବିକ୍ରେ ରାଜଧାନୀରେ ଗର୍ଜିଲା ବନ୍ଧୁକ- ପୁରୁଷ ବନ୍ଧୁ ଗିରଫ
10/02/2020 at 6:21 PM

ଭୁବନେଶ୍ୱର ୧୦।୦୨ ଭାଲେଣ୍ଟାଇନ୍ ଓ୍ବିକ୍ରେ ରାଜଧାନୀରେ ଗର୍ଜିଲା ବନ୍ଧୁକ । ଦିନ ଦ୍ବି ପହରେ ଜଣେ ଛାତ୍ରୀଙ୍କୁ ଗୁଳି କରି ଫେରାର୍ ହୋଇଗଲେ ଦୁର୍ବୃତ୍ତ। ପୁରୁଷ ବନ୍ଧୁ ଆଶିଷକୁ ଗିରଫ କରିଛି ପୁଲିସ । ଇମ୍ଫୋସିଟି ଥାନା ଅଂଚଳରେ ଘଟିଥିବା ଏହି ଗୁଳିକାଣ୍ଡରେ ଆହତ ଛାତ୍ରୀଙ୍କୁ କଳିଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପୁଣି ରାଜଧାନୀରେ ଗର୍ଜିଲା ବନ୍ଧୁକ, ଫୁଟିଲା ଗୁଳି । ଦିନ ଦ୍ବି ପହରେ ଇମ୍ଫୋସିଟି ଥାନା ଅଂଚଳରେ ଜଣେ ଯୁବତୀଙ୍କୁ ଅତିପାଖରୁ ଗୁଳି ମାରି ଚମ୍ପଟ ମାରିଛନ୍ତି କିଛି ଦୁର୍ବୃତ୍ତ । ଛାତ୍ରୀଙ୍କ ଜଙ୍ଘରେ ଗୁଳି ବାଜିଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ କଳିଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଛାତ୍ରୀଜଣକ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ବେଳେ କ୍ଲାସ୍ ସାରି ନିଜ ପୁରୁଷ ବନ୍ଧୁଙ୍କ ସହ ଘରକୁ ଫେରୁଥିଲେ । ତେବେ ଗୁଳିମାଡ଼ରେ ଆହତ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା କହିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ ।

ଭାଲେଣ୍ଟାଇନ୍ ଓ୍ବିକ୍ ଚାଲିଥିବା ବେଳେ ପ୍ରେମ ବ୍ୟାପାରକୁ ନେଇ ଏଭଳି ଗୁଳିକାଣ୍ଡ ହୋଇଥାଇପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଛି କମିଶନରେଟ୍ ପୋଲିସ । ଅଭିଯୁକ୍ତ ଚିହ୍ନଟ ହୋଇସାରିଛନ୍ତି ଏବଂ ସେମାନଙ୍କୁ ଧରାଯାଇଛି ବୋଲି ପୁଲିସ କମିଶନର ଟ୍ୱିଟ କରିଛନ୍ତି ।

ରାଜଧାନୀରେ ଅପରାଧୀଙ୍କ ଉତ୍ପାତ ବଢ଼ିଚାଲିଛି । ହାତରେ ବନ୍ଧୁକ ଧରି ଆତଙ୍କରାଜ ଚଳାଇଛନ୍ତି ଅସାମାଜିକ । ଗଳିକନ୍ଦିରେ ଜାଲ ବିଛାଇଛନ୍ତି ବ୍ରାଉନ୍ସୁଗାର ମାଫିଆ ।

ରାତିର ଅନ୍ଧକାର ଭିତରେ ନୁହେଁ ବରଂ ସ୍ପଷ୍ଟ ଦିବାଲୋକରେ ଖୁଲମ୍ ଖୁଲା ପୋଲିସକୁ ଚାଲେଂଜ ପରେ ଚାଲେଂଜ ଦେଉଛନ୍ତି ଦୁର୍ବୃତ୍ତ । ଦେଖିଲେ ଲାଗୁଛି ଯେମିତି ଏଠି କମିଶନରେଟ୍ ପୋଲିସ୍କୁ କାହାରି ଖାତିର୍ ନାହିଁ ।
