ଆରମ୍ଭ ହେଲା ବୈଶାଖ ମାସ, ଜାଣନ୍ତୁ ସ୍ନାନ, ଦାନ ଓ ପୂଣ୍ୟର ମହତ୍ୱ
6/04/2023 at 8:06 PM

ଚୈତ୍ର ଶୁକ୍ଳ ପୂର୍ଣ୍ଣିମା ଗୁରୁବାର ବୈଶାଖ ମାସ ପ୍ରବେଶ କରିଛି। ଏହା ସହ ଆଜିଠାରୁ ବୈଶାଖ ସ୍ନାନ ମଧ୍ୟ ଆରମ୍ଭ ହୋଇଯାଇଛି। ଏହି ସ୍ନାନ ବୈଶାଖ ମାସ ତମାମ ଚାଲିଥାଏ। ସ୍କନ୍ଦ ପୂରାଣରେ ବୈଶାଖ ମାସକୁ ସବୁ ମାସଠାରୁ ଉତ୍ତମ ମାସ ଭାବେ ବର୍ଣ୍ଣନା କରାଯାଇଛି। ପୂରାଣରେ ବୈଶାଖ ମାସ ସୂର୍ଯ୍ୟୋଦୟ ପୂର୍ବରୁ ଯେଉଁ ବ୍ୟକ୍ତି ସ୍ନାନ କରି ବ୍ରତ ରଖେ ସେ ଭଗବାନ ବିଷ୍ଣୁଙ୍କ କୃପାପାତ୍ର ହୋଇଥାନ୍ତି ବୋଲି ବର୍ଣ୍ଣନା ରହିଛି। ସ୍କନ୍ଦ ପୂରଣାରେ ମହିରଥ ନାମକ ଜନୈକ ରାଜାଙ୍କ ଉଲ୍ଲେଖ ରହିଛି। ଏହି ରାଜା କେବଳ ବୈଶାଖ ସ୍ନାନ ଯୋଗୁ ବୈକୁଣ୍ଠ ପ୍ରାପ୍ତ କରିଥିଲେ।

ଯେଉଁମାନେ ବୈଶାଖ ବ୍ରତ ରଖିବାକୁ ଆଗ୍ରହୀ ବ୍ରତୀଙ୍କୁ ପ୍ରତିଦିନ ପ୍ରାତଃ କାଳ ସୂର୍ଯ୍ୟୋଦୟରେ କୌଣସି ତୀର୍ଥ ସ୍ଥାନ, ସରୋବର, ନଦୀ ଅଥବା କୂଅରେ ସ୍ନାନ କରିବାକୁ ପଡିଥାଏ। ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କରି ସୂର୍ଯ୍ୟଙ୍କୁ ନିମ୍ନ ପ୍ରଦତ୍ତ ମନ୍ତ୍ର ବୋଲି ଜଳ ଅର୍ଘ୍ୟ ଦେବାକୁ ହୋଇଥାଏ। ଏଥିରେ ବ୍ରତି ସ୍ନାନ କରି
ବୈଶାଖେ ମେଷଗେ ଭାନୌ ପ୍ରାତଃ ସ୍ନାନ ପରାୟଣଃ
ଅର୍ଘ୍ୟଂ ତେହଂ ପ୍ରଦାସ୍ୟାମୀ ଗୃହାଣ ମଧୁସୂଦନ ।।
ଉଚ୍ଚାରଣ କରି ଜଳ ଅର୍ଘ୍ୟ ଦେବାକୁ ହୋଇଥାଏ। ଏଥିରେ ବ୍ରତୀଙ୍କୁ ବୈଶାଖ ବ୍ରତ ମାହତ୍ମ୍ୟ ଶୁଣିବାକୁ ହୋଇଥାଏ । ଏହା ଛଡା ବ୍ରତି ଦିନରେ ଯଥା ସମ୍ଭବ ‘ଓଁ ନମଃ ଭଗବତେ ବାସୁଦେବାୟ’ ଜପ କରିବାକୁ ହୋଇଥାଏ। ବୈଶାଖ ମାସ ସାରା ବ୍ରତୀଙ୍କୁ ହବିଷ୍ୟାନ୍ନରେ ରହିବାକୁ ହୋଇଥାଏ।

ଏହି ମାସରେ ଜଳଦାନର ବିଶେଷ ମହତ୍ୱ ରହିଛି। ଏଣୁ ଏହି ମାସରେ ପଥ ପ୍ରାନ୍ତରେ ଶୋଷିଙ୍କ ଲାଗି ମାଠିଆରେ ଜଳ ଭରି ରଖିବାକୁ ହୋଇଥାଏ। ଏହା ଛଡା ଲୋକଙ୍କୁ ପଙ୍ଖା, ତରଭୁଜ ଓ ଅନ୍ୟ ଫଳ ବିତରଣ କଲେ ମଧ୍ୟ ଅଶେଷ ପୂଣ୍ୟ ପ୍ରାପ୍ତି ହୋଇଥାଏ। ବୈଶାଖ ମାସର ଦେବତା ଭଗବାନ ମଧୁସୂଦନ ଅଟନ୍ତି। ଏମୁ ସ୍କନ୍ଦ ପୂରଣା ଅନୁସାରେ ଏହି ମାସରେ ତେଲ ଲଗାଇବା, ଦିନରେ ଶୋଇବା, କାଂସ୍ୟ ବାସନରେ ଭୋଜନ କରିବା, ଦିନରେ ଦୁଇ ଓଳା ଖାଇବା ଓ ରାତ୍ରି ଭୋଜନ ଆଦି ବର୍ଜିତ କରାଯାଏ।