ସବୁଠୁ ବଡ ଖୁସିର ଖବର, କୋଭିଡ୍ ଟିକା ହାସଲ ସଫଳତାର ଖୁବ୍ ନିକଟରେ ଭାରତ : ଖୋଦ ପ୍ରଧାନମନ୍ତ୍ରୀ ଦେଲେ ସୂଚନା

Published By : Prameya-News7 Bureau | December 04, 2020 IST

ନୂଆଦିଲ୍ଲୀ, ୦୪।୧୨:     ଭାରତକୁ କେବେ କରୋନା ଭାକସିନ୍ ଆସିବ ତାକୁ ନେଇ ଦୀର୍ଘ ଦିନ ହେବ ଚର୍ଚ୍ଚା ଲାଗି ରହିଛି । ଏହାମଧ୍ୟରେ ସର୍ବଦଳୀୟ ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାକସିନକୁ ନେଇ ଏକ ବଡ ପ୍ରତିକ୍ରିୟା ଦେଇଛନ୍ତି । ଆଗାମୀ କିଛି ସପ୍ତାହ ମଧ୍ୟରେ ଭାକସିନ୍ ଆସିଯିବ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କରୋନା ମୁକାବିଲାରେ ବୈଜ୍ଞାନିକଙ୍କୁ ବଡ ସଫଳତା ମିଳିଛି । ଭାକସିନର ଦାମ୍ କେତେ ରହିବ ସେନେଇ ରାଜ୍ୟ ସହ ଆଲୋଚନା ପରେ ସୂଚନା ଦିଆଯିବ । ଭାକସିନର ବିତରଣ ପାଇଁ ରାଜ୍ୟ ସହ ସମନ୍ୱୟ ରଖାଯିବ । ସର୍ବଦଳୀୟ ବୈଠକରେ ପ୍ରାୟ ୧୨ରୁ ଅଧିର ରାଜନୈତିକ ଦଳର ପ୍ରତିନିଧି ସାମିଲ ଥିଲେ ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ,  ୮ଟି ଭାକସିନର ଟ୍ରାଏଲ ଚାଲିଛି । ଦେଶରେ ତିନୋଟି ଭାକସିନ ପ୍ରସ୍ତୁତ ହୋଇଛି । ଦେଶରେ ଏକ ସ୍ୱତନ୍ତ୍ର ସଫ୍ଟଓୟାର ତିଆରି କରାଯାଇଛି । ଏଥିରେ ଭାକସିନ୍ ବାବଦରେ ତଥ୍ୟ ରହିବ । ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଛି ।

ମୋଦୀ ଆହୁରି କହିଛନ୍ତି ଯେ, ଭାକସିନ୍ ପ୍ରଥମେ ବୃଦ୍ଧ, କରୋନା ଯୋଦ୍ଧା, ଅଧିକ ଗୁରୁତର ରୋଗୀଙ୍କୁ ଦିଆଯିବ । ବିତରଣ ପାଇଁ ଏକ ନୀତି ନିର୍ଧାରଣ ହୋଇଛି । ଯାହାର ବିଭିନ୍ନ ପର୍ଯ୍ୟାୟ ରହିଛି । ଟିକାକରଣରେ କେନ୍ଦ୍ର ଓ ରାଜ୍ୟର ଟିମ୍ ମିଳିତ ଭାବେ କାମ କରିବେ । ଦେଶର ସବୁ ସ୍ଥାନରେ କିପରି ଭାକସିନ୍ ପହଁଚିବ ସେନେଇ ବ୍ୟବସ୍ଥା କରାଯିବ । ରାଜ୍ୟ ସହ ମିଳିତ ଭାବେ ଏଦିଗରେ କାମ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.