ମାନବିକତାର ଉଦାହରଣ ଓ କୂଟନୈତିକ ଶକ୍ତି ବୃଦ୍ଧି : ବିଶ୍ବର ବିଭିନ୍ନ ଦେଶକୁ କୋଭିଡ୍ ଟିକା ପଠାଇବ ଭାରତ

Published By : Prameya-News7 Bureau | January 08, 2021 IST

ନୂଆଦିଲ୍ଲୀ ୦୮/୦୧ : ଭାରତରେ ୨ଟି କୋଭିଡ୍-୧୯ ଭ୍ୟାକସିନକୁ ବ୍ୟବହାର ପାଇଁ ଅନୁମତି ମିଳିବା ପରେ ଡ୍ରାଏ ରନ୍‌ ଆରମ୍ଭ ହୋଇଯାଇଛି । ଯଦି ଦେଖାଯାଏ ତେବେ ସାରା ବିଶ୍ବରେ, ଭାରତ ହିଁ ଏକ ମାତ୍ର ଦେଶ ଯେଉଁଠାରେ ବ୍ୟାପକ ପରିମାଣର ଫାର୍ମା କମ୍ପାନୀ ଔଷଧ ପ୍ରସ୍ତୁତ କରନ୍ତି । ବିଭିନ୍ନ ସମୟରେ ଅନେକ ଦେଶ ଔଷଧ ପାଇଁ ଭାରତ ଉପରେ ନିର୍ଭର କରନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ଦେଶବାସୀଙ୍କୁ ଭ୍ୟାକସିନ୍‌ ପହଞ୍ଚାଇବା ଆମର ଗୁରୁଦାୟିତ୍ବ ।

ତେବେ ଆଉ ଏକ ପାଦ ଆଗକୁ ଯାଇ ଅନ୍ୟ ଦେଶମାନଙ୍କୁ ଭ୍ୟାକସିନ୍‌ ରପ୍ତାନୀ କରିବା ପାଇଁ ଯୋଜନା କରୁଛି ଭାରତ । ଦେଶରେ କୋଭିସିଲ୍ଡ ଏବଂ କୋଭାକ୍ସିନ୍‌କୁ ବ୍ୟବହାର ପାଇଁ ଅନୁମତି ମିଳିବା ପରେ ପଡୋଶୀ ଦେଶ ସମେତ ଅନେକ ଦେଶ ଭ୍ୟାକସିନ୍‌ ପାଇଁ ପ୍ରଥମ ପର୍ଯ୍ୟାୟ ଚୁକ୍ତି କରିବାକୁ ଯୋଜନା ପ୍ରସ୍ତୁତି କରିସାରିଲେଣି । ବିଭିନ୍ନ ସମୟରେ କୂଟନୀତି ରକ୍ଷା କରିବା ସହ ଅନ୍ୟ ଦେଶମାନଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଆସିଛି ଭାରତ ।

ଏହାରି ମଧ୍ୟରେ ଦୁନିଆର ଔଷଧଖାନା କୁହାଯାଉଥିବା ଭାରତ, ନିଜ ମାଟିରେ ପ୍ରସ୍ତୁତ ଭ୍ୟାକସିନକୁ ଅନ୍ୟ ଦେଶମାନଙ୍କୁ ରପ୍ତାନୀ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କହିଛି । ପୂର୍ବରୁ ଭ୍ୟାକସିନ୍ ଉତ୍ପାଦନକାରୀ କମ୍ପାନୀ ସେରମ୍ ଇନଷ୍ଟିଚ୍ୟୁଟ ଏବଂ ଭାରତ ବାୟୋଟେକ୍‌ ଭାରତ ସମେତ ଅନ୍ୟଦେଶମାନଙ୍କୁ ଭ୍ୟାକସିନ ଯୋଗାଇବାକୁ ଗୁରୁ ଦାୟିତ୍ବ ବୋଲି କହିଛନ୍ତି ।

ପୂର୍ବରୁ ମିଆଁମାର ଓ ଦକ୍ଷିଣ ଆଫ୍ରିକା ଭ୍ୟାକସିନ୍ ନେବା ପାଇଁ ପ୍ରାଥମିକ ଭିତ୍ତିରେ ଚୁକ୍ତି ସ୍ବାକ୍ଷର କରିସାରିଛନ୍ତି । ନେପାଳ, ଶ୍ରୀଲଙ୍କା, କାଜାକସ୍ତାନ ଭଳି ପଡୋଶୀ ଦେଶ ଭ୍ୟାକସିନ୍ ନେବା ପାଇଁ ନୂଆଦିଲ୍ଲୀ ସହ ଯୋଗାଯୋଗ ଜାରି ରଖିଛନ୍ତି । ହାଇଡ୍ରୋକ୍ସିକ୍ଲୋରୋକ୍ବିନ ପରେ ଭ୍ୟାକସିନ୍‌ ହେଉଛି ଆଉ ଏକ ଉପଲବ୍ଧି ଯାହାକି ସାରା ବିଶ୍ବରେ ଭାରତ ତାର ଗୁଡଓ୍ବିଲ୍ ବଢାଇବ । ଅନ୍ୟ ଦେଶମାନଙ୍କ ମଧ୍ୟରେ ବାଂଲାଦେଶ, ଭୁଟ୍ଟାନ, ମାଲଦୀପ, ଭିଏତନାମ, କମ୍ବାଡିଆ, କିର୍ଜିସ୍ତାନ, ଉଜବେକିସ୍ତାନ ସମେତ ମଧ୍ୟ-ଏସୀୟ ଦେଶମାନଙ୍କୁ ଭ୍ୟାକସିନ୍ ରପ୍ତାନୀ କରିବା ପାଇଁ ପ୍ରସ୍ତୁତି ଚଳାଇଛି ଭାରତ ।

ସାରା ବିଶ୍ବରେ କରୋନା ଯେତେବେଳେ କାୟା ମେଲାଇ ଚାଲିଥିଲା, ସେତେବେଳେ ପ୍ରାୟ ଆମେରିକା ସମେତ ପ୍ରାୟ ୧୫୦ଟି ଦେଶକୁ ହାଇଡ୍ରୋକ୍ସିକ୍ଲୋରୋକ୍ବିନ ଔଷଧ ପଠାଇ ବିଶ୍ବବାସୀଙ୍କ ମନ ଜିଣିଥିଲା ଭାରତ । ଏହା ବାଦ ଅନେକ ଦେଶକୁ ଭାରତ ଜେନେରିକ ମେଡସିନ୍‌ ମଧ୍ୟ ପଠାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.