ଭ୍ୟାକସିନକୁ ବିରୋଧ କରୁଛନ୍ତି ଏହି ଅଭିନେତା : କହିଲେ, ‘ଟିକା ହେଉଛି ତୁଚ୍ଛା ରାଜନୀତି, ସବୁଠାରୁ ବଡ ଘୋଟାଲା’

Published By : Prameya-News7 Bureau | September 20, 2021 IST

ମୁମ୍ବାଇ ୨୦/୦୯ : ସମଗ୍ର ଦେଶରେ ଟିକାକରଣ ଏବେ ଦ୍ରୁତ ଗତିରେ ଜାରି ରହିଛି । ଅନେକ ଅଭିନେତା, ଅଭିନେତ୍ରୀ ତଥା ଲୋକପ୍ରିୟତା ପାଇଥିବା ବ୍ୟକ୍ତିମାନେ ଭ୍ୟାକସିନ ନେବା ପାଇଁ ଲୋକମାନଙ୍କୁ ଉତ୍ସାହିତ କରୁଛନ୍ତି । ବର୍ତ୍ତମାନ ସୁନ୍ଧା ଦେଶରେ ପ୍ରାୟ ୮୦ କୋଟିରୁ ଉର୍ଦ୍ଧ୍ବ ଲୋକଙ୍କୁ କୋଭିଡ୍‌ ଟିକା ଦିଆସରିଲାଣି । କିନ୍ତୁ ଏହାରି ମଧ୍ୟରେ ଅଭିନେତା ବିଜୟ ଆନନ୍ଦ ବିବାଦୀୟ ବୟାନ ଦେଇଛନ୍ତି ।

ଅଭିନେତା ବିଜୟ ଆନନ୍ଦ କହିଛନ୍ତି, ‘ମୁଁ ଭ୍ୟାକସିନ୍ ନେବି ନାହିଁ । ଟିକା ହେଉଛି ଗୋଟେ ତୁଚ୍ଛା ରାଜନୀତି ଏବଂ ସବୁଠାରୁ ବଡ ଘୋଟାଲା । ଇତିହାସ​‌ରେ ଯଦି ସବୁଠାରୁ ବଡ କିଛି ସ୍କାମ୍‌ ହୋଇଥାଏ ତେବେ ତାହା ହେଉଛି ଭ୍ୟାକସିନ୍‌ ସ୍କାମ୍ । ଟିକା ନେଇ ନଥିବାରୁ ଲଣ୍ଡନରେ ସୁଟିଂ ହେବାକୁ ଥିବା ମୋର ୨ଟି ଫିଲ୍ମ ହରାଇବାକୁ ପଡିଥିଲା । ଏହା ବ୍ୟତିତ ସର୍ବିଆରେ ସୁଟ୍‌ ହେବାକୁ ଥିବା ଏକ ବଡ ଓ୍ବେବ୍‌ ସିରିଜ ମଧ୍ୟ ଛାଡିବାକୁ ପଡିଥିଲା । କେବଳ ସେତିକି ନୁହେଁ ଦୁବାଇରେ ଏକ ଆଓ୍ବାର୍ଡ ସୋ ରେ ଯୋଗଦେବାକୁ ମଧ୍ୟ ଯାଇପାରିନଥିଲି । ଫିଲ୍ମ ପାଇଁ କାମ ମିଳିଥିଲେ ସୁଦ୍ଧା ତାହା ହାତଛଡା ହୋଇଥିଲା ।’

ତେବେ ଭ୍ୟାକସିନ୍‌ କାହିଁକି ନେବାକୁ ଚାହୁଁ ନାହାନ୍ତି ପ୍ରଶ୍ନରେ ଅଭିନେତା ବିଜୟ ଆନନ୍ଦ କହିଛନ୍ତି, ମୁଁ ମୋ ଶରୀର ମଧ୍ୟରେ କୌଣସି କେମିକାଲ ପୂରାଇବାକୁ ଚାହୁଁନି । ତେଣୁ ମୁଁ ଭ୍ୟାକସିନକୁ ସମ୍ପୂର୍ଣ୍ଣ ଭାବେ ବିରୋଧ କରୁଛି । ଟିକା ଉପରେ ଆହୁରି ରିସର୍ଚ୍ଚ ହେବାପରେ ଯାଇ ଭ୍ୟାକସିନ୍‌ ନେବେ ବୋଲି କହିଛନ୍ତି ସେ । ବର୍ତ୍ତମାନ ପାଇଁ ମାସ୍କ ପିନ୍ଧୁଛି ଏବଂ ସାମାଜିକ ଦୂରତା ପାଳନ କରୁଛି ତାହା ହିଁ ଯଥେଷ୍ଟ ।

ଅଭିନେତା ବିଜୟ ଆନନ୍ଦ, ଭ୍ୟାକସିନ୍‌କୁ ସବୁଠାରୁ ବଡ ଘୋଟାଲା ବୋଲି କହିଛନ୍ତି । ସେ କହିଛନ୍ତି, ଟିକାକୁ ନେଇ ସମ୍ପୂର୍ଣ୍ଣ ଭାବେ ରାଜନୀତି ହେଉଛି ଏବଂ ଏହା ହେଉଛି ବଡ ବଡ ଘୋଟାଲମାନଙ୍କ ମଧ୍ୟରେ ସବୁଠୁ ବଡ ଘୋଟାଲା । ଭ୍ୟାକସିନ ନେଇନଥିବାରୁ ନିଜ ଝିଅ ସହିତ ଲଣ୍ଡନ ମଧ୍ୟ ଯାଇପାରିନଥିଲେ ବିଜୟ । କେବଳ ସେ ନୁହଁନ୍ତି ତାଙ୍କ ପତ୍ନୀ ମଧ୍ୟ ଭ୍ୟାକସିନ୍‌ ନେଇନଥିବାରୁ ବିଦେଶ ଯାତ୍ରା କରିପାରୁ ନାହାନ୍ତି । ଏବେ ବି ଟିକା ନେବିନାହିଁ ବୋଲି କହୁଛନ୍ତି ଅଭିନେତା ବିଜୟ ଆନନ୍ଦ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.