୨୪ ଘଣ୍ଟା ଭିତରେ ସରକାରୀ ଘର ଖାଲି କରନ୍ତୁ, ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଫତିଙ୍କୁ ପ୍ରଶାସନର ନୋଟିସ୍

Published By : Prameya-News7 Bureau | November 28, 2022 IST

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ ଘର ଖାଲି କରିବାକୁ ୨୪ ଘଣ୍ଟାର ସମୟ ଦିଆଯାଇଛି। ଶନିବାର ଅନନ୍ତନାଗର କାର୍ଯ୍ୟକାରୀ ଜିଲ୍ଲାପାଳଙ୍କ ପକ୍ଷରୁ ଏହି ନୋଟିସ୍ ଜାରି କରାଯାଇଛି। ମୁଫତିଙ୍କ ବ୍ୟତୀତ ରାଜ୍ୟର ଅନେକ ବିଧାୟକଙ୍କୁ ମଧ୍ୟ ନିଜର ବାସଭବନ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ରବିବାର ଅଧିକାରୀ କହିଛନ୍ତି, ମୁଫତିଙ୍କୁ ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ମିଳିଥିବା କ୍ଵାର୍ଟର ନମ୍ବର ୭କୁ ଖାଲି କରିବାକୁ ପଡିବ। ଏହି ବାସଭବନ କଲୋନୀ ଖାନବଲରେ ଅବସ୍ଥିତ। ନୋଟିସ୍ ମୁତାବକ ମୁଫତିଙ୍କୁ ୨୪ ଘଣ୍ଟା ଭିତରେ ଘର ଖାଲି କରିବାକୁ କୁହାଯାଇଛି। ନିର୍ଦ୍ଧାରିତ ସମୟ ଭିତରେ ଘର ଖାଲି ନକଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନୋଟିସରେ ଉଲ୍ଲେଖ ରହିଛି।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଅଲତାଫ ଓ୍ଵାନି, ଅବଦୁଲ ରହିମ ରାଥେର, ଅବଦୁଲ ମାଜିଦ ଭଟ୍ଟ, ଅଲତାଫ ଶାହ ଓରଫ କାଲୋ, ବସିର ଶାହ ଓରଫ ଭିରୋ, ଚୌଧୁରୀ ନିଜାମୁଦ୍ଦୀନ ଏବଂ ଅବଦୁଲ କବୀର ପଠାନଙ୍କୁ ମଧ୍ୟ ସରକାରୀ ଭବନ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

୨୦୧୯ରେ ରାଜ୍ୟ କେନ୍ଦ୍ର ଶାସିତ ଅଞ୍ଚଳ ହେବା ରପେ ତୁରନ୍ତ ଜାମ୍ମୁ-କାଶ୍ମୀରର ସମସ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ମିଳୁଥିବା ଅନେକ ସୁବିଧା ପ୍ରତ୍ୟାହାର  କରି ନିଆଯାଇଥିଲା। ଏପରିକି ମିଳୁଥିବା ଆଜୀବନ ଭତ୍ତାକୁ ବନ୍ଦ କରି ଦିଆଯାଇଥିଲା। ୨୦୨୦ରେ ଜାମ୍ମୁ-କାଶ୍ମୀରର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଏବଂ ଗୁଲାମ ନବି ଆଜାଦ ନିଜ ସରକାରୀ ବାସଭବନ ପୂର୍ବରୁ ଛାଡି ସାରିଛନ୍ତି।

ପିଡିପିର ମୁଖପାତ୍ର ସୁହେଲ ବୁଖାରୀ ଅଭିଯୋଗ କରିଛନ୍ତି ଯେ, ମୁଫତିଙ୍କୁ ଶ୍ରୀନଗରର ତୁଳସୀ ବାଗରେ ଏକ ପୁରୁଣା ଘର ଆବଣ୍ଟନ କରାଯାଇଥିଲା। ତେବେ ମୁଫତିଙ୍କୁ ଉକ୍ତ ଘର ପସନ୍ଦ ଆସିନଥିଲା। ବର୍ତ୍ତମାନ ସେ ଯେଉଁ ଘରେ ରହୁଛନ୍ତି ତାହା ୨୦୦୫ରେ ତାଙ୍କ ପିତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଫତି ମହମ୍ମଦ ସଇଦଙ୍କୁ ଆବଣ୍ଟିତ କରାଯାଇଥିଲା।  ପୂର୍ବର ଏହି ଘରକୁ ପାପା-୨ କୁହାଯାଉଥିଲା। ୧୯୮୯ରେ ଏହା ଏକ ବିଶ୍ରାମ ଗୃହ ଥିଲା। ପରେ ୧୯୯୦ରେ ସୀମା ସୁରକ୍ଷା ବଳ ଅର୍ଥାତ ବିଏସଏଫ ଗୃହକୁ ନିଜ ନିୟନ୍ତ୍ରଣକୁ ନେଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.