ୟୁପି ଏବଂ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍ ଡି ତିଓ୍ବାରୀଙ୍କ ପରଲୋକ

Published By : Prameya-News7 Bureau | October 18, 2018 IST

ନୂଆ ଦିଲ୍ଲୀ ୧୮/୧୦: ଉତ୍ତର ପ୍ରଦେଶ ଏବଂ ଉତ୍ତରାଞ୍ଚଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ରାଜ୍ୟପାଳ ଏନ୍ ଡି ତିଓ୍ବାରୀଙ୍କ ଆଜି ଦ୍ବିପ୍ରହରେ ପରଲୋକ ହୋଇଯାଇଛି। ସେ ଦିଲ୍ଲୀର ସାକେତ ସ୍ଥିତ ମ୍ୟାକ୍ସ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୯୨ବର୍ଷ ବୟସ ହୋଇଥିଲା। ସୋସିଆଲିଷ୍ଟ ପାର୍ଟିରୁ ରାଜନୈତିକ ଜୀବନ ଆରମ୍ଭ କରିଥିବା ସ୍ବର୍ଗତ ତିୱାରୀ ପରବର୍ତ୍ତୀ ସମୟରେ କଂଗ୍ରେସ ଦଳ ସହ ରହିଥିଲେ । ଉତ୍ତରାଞ୍ଚଳ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୫ ବର୍ଷ କାର୍ଯ୍ୟକାଳ ପୂର୍ଣ୍ଣ କରିଥିବା କ୍ଷେତ୍ରରେ ଏନ୍ ଡି ତିଓ୍ବାରୀ ଏକମାତ୍ର ମୁଖ୍ୟମନ୍ତ୍ରୀ  ଥିଲେ । ନୂତନ ରାଜ୍ୟ ଉତ୍ତରାଞ୍ଚଳର ଔଦ୍ୟୋଗିକ ବିକାଶ ପାଇଁ ଏନ୍ ଡି ତିଓ୍ବାରୀଙ୍କ ଯୋଗଦାନକୁ ସବୁବେଳେ ସ୍ମରଣ କରାଯିବ। ସେ କିଛି ଦିନ ହେବ ଅସୁସ୍ଥ ଥିଲେ। ଗତ ସେପ୍ଟେମ୍ବର ୨୦ତାରିଖରେ  ବ୍ରେନ୍ ଷ୍ଟ୍ରୋକ୍ ହେବାରୁ ତାଙ୍କୁ ସାକେତର ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମୃତ୍ୟୁବେଳକୁ ତାଙ୍କ ପାଖରେ ତାଙ୍କ ସ୍ତ୍ରୀ ଉଜ୍ଜ୍ବଳା ଶର୍ମା ଏବଂ ପୁଅ ରୋହିତ ଶେଖର ଉପସ୍ଥିତ ଥିଲେ। ସ୍ବର୍ଗତ ତିୱାରୀ ୧୯୨୫ ମସିହା ଅକ୍ଟୋବର ୧୮ତାରିଖରେ ତତ୍କାଳୀନ ୟୁନାଇଟେଡ ପ୍ରୋଭିନ୍ସର ନୈନିତାଲ ନିକଟ ବାଲୁଟି ଗାଁରେ ଜନ୍ମଗ୍ରହଣ କରିଥିଲେ। ଏବେ ଏହି ଗାଁ ଉତ୍ତରାଞ୍ଚଳର ନୈନିତାଲ ଜିଲ୍ଲାରେ ଅବସ୍ଥିତ। ତାଙ୍କ ପୂରା ନାମ ନାରାୟଣ ଦତ୍ତ ତିଓ୍ବାରୀ। ତାଙ୍କ ପିତା ପୂର୍ଣ୍ଣାନନ୍ଦ ତିଓ୍ବାରୀ ବନ ବିଭାଗର ଅଧିକାରୀ ଥିଲେ। ସ୍ବର୍ଗତ ତିଓ୍ବାରୀ ଆଲାହାବାଦ ବିଶ୍ବବିଦ୍ୟାଳୟରେ ଏମଏ,ଏଲଏଲବି ପଢ଼ିଛନ୍ତି। ସର୍ବପ୍ରଥମେ ୧୯୫୨ମସିହାରେ ସେ ପ୍ରଜା ସୋଶିଆଲିଷ୍ଟ ପାର୍ଟିରୁ  ଉତ୍ତରପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହା ପରେ ୧୯୫୭,୧୯୬୯,୧୯୭୪,୧୯୭୭,୧୯୮୫,୧୯୮୯,୧୯୯୧ ମସିହାରେ ଉତ୍ତର ପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥଲେ। ଉତ୍ତରପ୍ରଦେଶର ସେ ୪ଥର ମୁଖ୍ୟମନ୍ତ୍ରୀ ଥିଲେ । ପ୍ରଥମ ଥର ୧୯୭୬ ଅପ୍ରେଲ୍ ରୁ ୧୯୭୭, ଦ୍ବିତୀୟ ଥର ୧୯୮୪ମସିହା ଅଗଷ୍ଟ ୩ରୁ ୧୯୮୫ମାର୍ଚ୍ଚ ୧୦, ତୃତୀୟ ଥର ୧୯୮୫ମସିହା ମାର୍ଚ୍ଚ ୧୧ରୁ ସେପ୍ଟେମ୍ବର ୨୪ । ସେହିଭଳି ସେ ୧୯୮୮ ଜୁନ୍ ୨୫ରୁ ୧୯୮୯ ଡିସେମ୍ବର ପର୍ଯ୍ୟନ୍ତ ମଧ୍ୟ ମୁଖ୍ୟମନ୍ତ୍ରୀ ଥିଲେ । ୨୦୦୨ରୁ ୨୦୦୭ମସିହା ପର୍ଯ୍ୟନ୍ତ ଉତ୍ତରାଞ୍ଚଳର ମୁଖ୍ୟମନ୍ତ୍ରୀ ଥିଲେ। ୨୦୦୭ ଅଗଷ୍ଟରୁ ୨୦୦୯ଡିସେମ୍ବର ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଥିଲେ।
  • ସ୍ବର୍ଗତ ତିୱାରୀ ୧୯୮୫ମସିହା ଡିସେମ୍ବରରୁ ୧୯୮୮ମସିହା ପର୍ଯ୍ୟନ୍ତ ରାଜ୍ୟସଭା ସଦସ୍ୟ ଥିଲେ।
  • ୧୯୬୯,୧୯୭୦,୧୯୭୧-୧୯୭୫ରେ ରାଜ୍ୟମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଥିଲେ।
  • ୧୯୭୭-୭୯ ଏବଂ ୧୯୮୯-୯୧ପର୍ଯ୍ୟନ୍ତ ଉତ୍ତରପ୍ରଦେଶ ବିଧାନସଭାର ବିରୋଧୀ ଦଳ ନେତା ଥିଲେ।
  • ୧୯୮୦ ଜୁନରୁ ୧୯୮୪ଅଗଷ୍ଟ ପର୍ଯ୍ୟନ୍ତ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଥିଲେ। ୧୯୮୫ସେପ୍ଟେମ୍ବରରୁ ୧୯୮୮ଜୁନ୍ ପର୍ଯ୍ୟନ୍ତ ସେ କେନ୍ଦ୍ର ଶିଳ୍ପ,ବାଣିଜ୍ୟ,ବିଦେଶ ଏବଂ ଅର୍ଥ ମନ୍ତ୍ରୀ ଥିଲେ।
  • ୧୯୮୫ଜାନୁୟାରୀରୁ ୧୯୮୫ମାର୍ଚ୍ଚ ଯାଏଁ ବିଧାନ ପରିଷଦ ସଦସ୍ୟ ଥିଲେ।
  • ୧୯୮୮ନଭେମ୍ବରରୁ ୧୯୯୦ଜାନୁୟାରୀ ପର୍ଯ୍ୟନ୍ତ ବିଧାନପରିଷଦ ସଦସ୍ୟ ଥିଲେ।
  • ୧୯୯୪ ମସିହାରେ ସେ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ଥିଲେ।
  • ୧୯୯୫-୯୬ ରେ ଅଲ୍ ଇଣ୍ଡିଆ କଂଗ୍ରେସ୍ ତିଓ୍ବାରୀର ଅଧ୍ୟକ୍ଷ ଥିଲେ।
ସ୍ବାଧୀନତା ସଂଗ୍ରାମୀ ଏନ୍ ଡି ତିଓ୍ବାରୀ ଜେଲବରଣ ମଧ୍ୟ କରିଥିଲେ । ସ୍ବାଧୀନତା ସଂଗ୍ରାମ ବେଳେ ତାଙ୍କୁ ବରେଲିର କେନ୍ଦ୍ରୀୟ କାରାଗାରରେ ବନ୍ଦୀ କରାଯାଇଥିଲା।        

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.