ଡେରାଡୁନ ୦୬।୧୧: ଉତ୍ତରାଖଣ୍ଡରେ ଭୂମିକମ୍ପ ଅନୁଭୂତ। ରବିବାର ସକାଳୁ ସକାଳୁ ଥରି ଉଠିଲା ଉତ୍ତରକାଶୀ ଜିଲ୍ଲା। ସକାଳ ୮ଟା ୩୩ ମିନିଟ୍ରେ ଭୂକମ୍ପର ଝଟକା ଲାଗିଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୫ ରେକର୍ଡ କରାଯାଇଛି। ଉତ୍ତରକାଶୀ ଠାରୁ ୧୭ କିଲୋମିଟର ଦୂରରେ ଭୂମିକମ୍ପର କେନ୍ଦ୍ରସ୍ଥଳୀ ରହିଛି। ଗୋଟିଏ ସପ୍ତାହରେ ଦୁଇ ଥର ଭୂକମ୍ପ ଅନୁଭୂତ ହୋଇଛି।
ଭାରତୀୟ ଭୂକମ୍ପ ବିଜ୍ଞାନର ରିପୋର୍ଟ ଅନୁଯାୟୀ, ଉତ୍ତରାଖଣ୍ଡର ୩ଟି ଜିଲ୍ଲା ତଥା ଉତ୍ତରକାଶୀ, ଡେରାଡୁନ୍ ଓ ଟେହରୀରେ ଭୂମିକମ୍ପ ଅନୁଭୂତ ହୋଇଛି। ଉତ୍ତରକାଶୀ, ଟେହରୀ ଜିଲ୍ଲାରେ ସକାଳ ୮ଟା ୩୩ ମିନିଟରେ ଝଟକା ଲାଗିଥିଲା। ଏହାର କେନ୍ଦ୍ରସ୍ଥଳୀ ଉତ୍ତରକାଶୀ ଠାରୁ ୧୭ କିଲୋମିଟର ଦୂରରେ ରହିଥିବାବେଳେ ସ୍ଥଳଭାଗର ୫ କିଲୋମିଟର ଗଭୀରତା ପର୍ଯ୍ଯନ୍ତ ରହିଛି । ଏଥିରେ କୌଣସି ଧନ ଜୀବନ ନଷ୍ଟ ହୋଇନାହିଁ । କେବଳ ଭାରତ ନୁହେଁ ଚୀନରେ ମଧ୍ୟ ଭୂମିକମ୍ପ ଅନୁଭୁତ ହୋଇଛି।..
ସେହିପରି ଏହା ପୂର୍ବରୁ ୧ ନଭେମ୍ବରରେ ମଧ୍ୟପ୍ରଦେଶର ଜବଲପୁର ସହିତ ଏହାର ଆଖପାଖ ଅଞ୍ଚଳରେ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ତିବ୍ରତା ୪.୩ ରେକର୍ଡ କରାଯାଇଥିଲା । ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ସକାଳ ୮ ଟା ୪୩ ମିନିଟରେ ଥରି ଉଠିଥିଲା ମଧ୍ୟପ୍ରଦେଶର ଜବଲପୁର ଅଞ୍ଚଳ । ଏହାର କେନ୍ଦ୍ରସ୍ଥଳୀ ପଚମଢ଼ୀ ଠାରୁ ୨୧୬ କିଲୋମିଟର ଦୂରରେ ରହିଥିଲା ।
ସେହିପରି ଅକ୍ଟୋବର ମାସରେ ମଧ୍ୟ ଦୁଇ ଦୁଇ ଥର ଭୂମିକମ୍ପ ଅନୁଭୂତ ହୋଇଥିଲା। ୨୩ ଅକ୍ଟୋବରରେ ମଣିପୁରରେ ଓ ୨୫ ଅକ୍ଟୋବରରେ ଅରୁଣାଚଳ ପ୍ରଦେଶରେ ଭୂମିକମ୍ପ ଝଟକା ଲାଗିଥିଲା । ଅନ୍ୟପଟେ ଗତକାଲି ଆଫଗାନିସ୍ଥନରେ ମଧ୍ୟ ଭୂମିକମ୍ପ ହୋଇଥିଲା। ଏହାର ତିବ୍ରତା ରିକ୍ଟର ସ୍କେଲରେ ୪.୩ ରେକର୍ଡ କରାଯାଇଛି। ଭୂମିକମ୍ପ କେନ୍ଦ୍ରସ୍ଥଳୀ ଫୟିଜାବାଦ ଠାରୁ ୧୩୪ କିଲୋମିଟର ଦୂରରେ ରହିଥିଲା।