ଫୋନ୍ରୁ ଆରମ୍ଭ କରି ଲ୍ୟାପ୍ଟପ୍ ପର୍ଯ୍ୟନ୍ତ ବ୍ୟବହାର ହେବ ଗୋଟିଏ ପ୍ରକାର ଚାର୍ଜର, ସରକାରଙ୍କ ନୂଆ ନିୟମ
28/12/2022 at 7:10 PM

ନୂଆଦିଲ୍ଲୀ: ଭାରତରେ ବ୍ୟବହାର ହେଉଥିବା ବିଭିନ୍ନ ସ୍ମାର୍ଟଫୋନ୍ ପାଇଁ ଭିନ୍ନ ବିନ୍ନ ଚାର୍ଜର ବ୍ୟବହାର କରାଯାଉଛି। କେଉଁଠି ଟାଇପ୍ ସି ତ ଆଉ କେଉଁଥିରେ ଟାଇପ୍ ବି। ପୁଣି ଆଫୋନ୍ ପାଇଁ ଚାର୍ଜର ସ୍ୱତନ୍ତ୍ର ଅଲଗା। ସାଙ୍ଗରେ ଗଲାବେଳେ ଯଦି ଚାର୍ଜର ନେଇ ନାହାନ୍ତି ତେବେ କଥା ସରିଲା। ମୋବାଇଲ୍ ସ୍ୱିଚ୍ ଅଫ୍ ହେବା ଥୟ। ଯଦି ସବୁ ମୋବାଇଲ୍ରେ ଗୋଟିଏ ପ୍ରକାର ଚାର୍ଜର ରୁହନ୍ତା ତେବେ କେତେ ଭଲ ହୁଅନ୍ତା କହିଲେ?
ବ୍ୟସ୍ତ ହୁଅନ୍ତୁନି ଆଗକୁ ଠିକ୍ ଏମିତି ହିଁ ହେବାକୁ ଯାଉଛି। ସବୁ ସ୍ମାର୍ଟୋଫୋନ୍ ପାଇଁ ଗୋଟିଏ ପ୍ରକାର ଚାର୍ଜର ରହିବ। ଗ୍ରାହକଙ୍କୁ ଲାଭ ଦେବାକୁ ଓ ଇଲେକ୍ଟ୍ରିକ୍ ଅଳିଆକୁ କମ୍ କରିବାକୁ ସରକାର ଗେଜେଟ୍ରେ ଚାର୍ଜିଂ ପୋର୍ଟରେ ବଡ଼ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସବୁପ୍ରକାର ସ୍ମାର୍ଟଫୋନ୍ ପାଇଁ ଗୋଟିଏ ପ୍ରକାର ୟୁଏସ୍ବି ଟାଇପ-ସି ଚାର୍ଜିଂ ପୋର୍ଟ ବ୍ୟବହାର କରିବାକୁ କେନ୍ଦ୍ର ସରକାର ଫୋନ ନିର୍ମାତା କମ୍ପାନୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ତେବେ ପିନ୍ଧିବାଯୋଗ୍ୟ ଇ-ଉପକରଣ ଯଥା ସ୍ମାର୍ଟ ୱାଚ୍, ବ୍ଲୁଟୁଥ୍ ସ୍ପିକର ଆଦିଙ୍କ ପାଇଁ ଅଲଗା ଚାର୍ଜର ବ୍ୟବହାର କରାଯିବ। ଗୋଟିଏ ଅର୍ଥରେ କହିବାକୁ ଗଲେ ସରକାର କେବଳ ଦୁଇ ପ୍ରକାର ଚାର୍ଜରକୁ ମାନ୍ୟତା ଦେବେ। କେବେ ଠାରୁ ଏହି ନିୟମ ଲାଗୁ ହେବ ସେହି ତାରିଖ ବି ଘୋଷଣା କରାଯାଇଛି।
ବିଏସ୍ଆଇ(ଭାରତୀୟ ମାନକ ବ୍ୟୁରୋ) ପକ୍ଷରୁ ଏହି ଘୋଷଣା କରାଯାଇଛି। ବିଏସ୍ଆଇ ୟୁଏସ୍ବି ଟାଇପ୍-ସିକୁ ପୋର୍ଟକୁ କ୍ୱାଲିଟି ଷ୍ଟାଣ୍ଡାର୍ଡ ପୋର୍ଟରେ ମାନ୍ୟତା ଦେଇଛି। ଉପଭୋକ୍ତା ସମ୍ପର୍କିତ ସଚିବ ରୋହିତ କୁମାର ସିଂହ କହିଛନ୍ତି ଯେ ବ୍ୟୁରୋ ଅଫ୍ ଇଣ୍ଡିଆନ ଷ୍ଟାଣ୍ଡାର୍ଡ ପକ୍ଷରୁ ସ୍ମାର୍ଟଫୋନ୍, ଟାବ୍ଲେଟ୍ ଓ ଲ୍ୟାପଟପ୍ ପାଇଁ ଟାଇପ୍ ସି ପୋର୍ଟକୁ ଷ୍ଟାଣ୍ଡାର୍ଡ ଚାର୍ଜର ରୂପରେ ମାନ୍ୟତା ଦେଇଛନ୍ତି।
ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜୀ କାନପୁର ପକ୍ଷରୁ ପିନ୍ଧିବାଯୋଗ୍ୟ ଇ-ଉପକରଣ ପାଇଁ ମଧ୍ୟ ଗୋଟିଏ ପ୍ରକାରର ଚାର୍ଜର ବ୍ୟବହାର କରିବାକୁ ଗବେଷଣା ଜାରି ରହିଛି। ଗବେଷଣା ରିପୋର୍ଟ ପରେ ୨୦୨୪ରେ ଏହି ନିୟମ ସବୁ ଲାଗୁ କରିବେ।
ସୂଚନା ଥାଉକି ଭାରତ ପୂର୍ବରୁ ୟୁରୋପୀୟ ୟୁନିୟନ ଏହି ନିୟମ କରିସାରିଛି। ୨୦୨୪ ଶେଷ ବେଳକୁ ୟୋରୋପିୟନ ୟୁନିୟନରେ ବିକ୍ରି ହେଉଥିବା ସମସ୍ତ ମୋବାଇଲ୍, ଟାବ୍ଲେଟ୍ ଓ କ୍ୟାମେରା ପାଇଁ ୟୁଏସ୍ବି ଟାଇପ-ସି ଚାର୍ଜର ପୋର୍ଟ ବିକ୍ରି କରାଯିବ। ଫଳରେ ଇଲେକ୍ଟ୍ରିକ୍ ଅଳିଆ କମିବା ସହ ଗ୍ରାହକମାନେ ବି ଏଥିରେ ଲାଭବାନ ହେବ। ତେବେ ଆପଲ କିନ୍ତୁ ନିଜ ଚାଲାଖି ଦେଖାଉଛି।
ୟୋରୋପିୟନ ୟୁନିୟନରେ ଏହି ନିୟମକୁ ବିରୋଧ କରି ସେ କହିଛି ଯେ ଏପରି ହେଲେ ନୂଆ ଶୈଳୀରେ ବାଧା ସୃଷ୍ଟି ହେବ। ପ୍ରଦୂଷଣ କମିବା ବଦଳରେ ବଢିବା। ତେବେ ଏହା କେମିତି କମ୍ପାନୀ ତାହା ସ୍ପଷ୍ଟ କରି ନାହିଁ।