ବିଶ୍ୱର ଦ୍ରୁତ ଧାବକ ଉସେନ ବୋଲ୍ଟ ମଧ୍ୟ କରୋନା ପଜିଟିଭ !
24/08/2020 at 8:57 PM

ଜାମାଇକା ୨୪।୮: ବିଶ୍ୱର ଦ୍ରୁତ ଧାବକ ଉସେନ୍ ବୋଲ୍ଚ ମଧ୍ୟ କୋଭିଡ ଆକ୍ରାନ୍ତ ହୋଇଛନ୍ତି। ତାଙ୍କର କୋଭିଡ-୧୯ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ସେ ନିଜକୁ ସେଲଫ ଆଇସୋଲେସନ କରାଇଛନ୍ତି। ନିକଟରେ ସେ ଜାମାଇକାରେ ତାଙ୍କର ୩୪ତମ ଜନ୍ମଦିବସ ପାଳନ କରିଥିଲେ। ଏଥିପାଇଁ ଆୟୋଜିତ ପାର୍ଟିକୁ ଇଂଲଣ୍ଡର ରହୀମ ଷ୍ଟର୍ଲିଂ ସମେତ ଜଣାଶୁଣା ଲୋକଙ୍କୁ ଆମନ୍ତ୍ରିତ କରିଥିଲେ।

ଜାମାଇକା ରେଡିଓ ଷ୍ଟେସନ ନେସନୱାଇଡ୍ ୯୦ ଏଫଏମ୍ ଏହି ରିପୋର୍ଟ ଦେଇଛି। ରିପୋର୍ଟ ଅନୁସାରେ ୩୪ ବର୍ଷ ବୟସ୍କ ବୋଲ୍ଟ କିଛି ଦିନ ପୂର୍ବରୁ ତାଙ୍କର କୋଭିଡ ଟେଷ୍ଟ କରାଇଥିଲେ। ରବିବାର ଏହାର ରିପୋର୍ଟ ଆସିଥିବା ବେଳେ ସେ କୋଭିଡ ପଜିଟିଭ ଥିବା ଜଣାପଡିଥିଲା। କୁହାଯାଉଛି ବୋଲ୍ଟ ଗତ ୨୧ ଅଗଷ୍ଟରେ ଏକ ସରପ୍ରାଇଜ୍ ବାର୍ଥଡେ ପାର୍ଟିରେ ଯୋଗଦେଇଥିଲେ। ସେହି ପାର୍ଟିରେ ଅନେକ ନାମୀଦାମୀ ଲୋକେବି ଥିଲେ।

ସୂଚନା ଯୋଗ୍ୟଯେ କରୋନା ଭାଇରସ ମହାମାରୀର ପ୍ରକୋପ ସାରା ବିଶ୍ୱରେ ଜାରି ରହିଛି। ଜନ୍ସ ହପକିନ୍ସ ୟୁନିଭର୍ସିଟି ତଥ୍ୟ ଅନୁସାରେ ସାରା ବିଶ୍ୱରେ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୩୩ଲକ୍ଷ ୪୨ ହଜାର ୭୯୮ରେ ପହଞ୍ଚିଲାଣି। ସେହିପରି ସାରା ବିଶ୍ୱରେ ଏପର୍ଯ୍ୟନ୍ତ କରୋନା ସଂକ୍ରମଣ ଯୋଗୁ ୮ଲକ୍ଷ ୭ହଜାର ୧୩୪ଜଣଙ୍କର ମୃତ୍ୟୁ ହେଲାଣି।