କ୍ରିକେଟ୍ ଖେଳିବାକୁ ଇଣ୍ଡିଆ ଆସିବ ଆମେରିକା; ଟି-୨୦ ବିଶ୍ବକପ୍ ୨୦୨୬ ପାଇଁ କ୍ବାଲିଫାଏ

Published By : Prameya-News7 Bureau | June 15, 2024 IST

ନ୍ୟୁୟର୍କ: ଟି-୨୦ କ୍ରିକେଟ୍ ବିଶ୍ବକପରେ ଇତିହାସ ରଚିଲା ଆମେରିକା । ଆଇସିସିର କୌଣସି ଟୁର୍ଣ୍ଣାମେଣ୍ଟରେ ୟୁଏସଏ ଟିମ୍ ପ୍ରଥମ ଥର ପାଇଁ ଗ୍ରୁପ ଷ୍ଟେଜ୍‌ରୁ ସୁପର-୮ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇଛି । ଶୁକ୍ରବାର ଆମେରିକା-ଆୟର୍ଲାଣ୍ଡ ମ୍ୟାଚ୍ ବର୍ଷା ଯୋଗୁ ଧୋଇଯିବା ପରେ ୟୁଏସଏର ଦଳ ୫ ପଏଣ୍ଟ ସହ ସୁପର-୮କୁ ଯୋଗ୍ୟତା ଅର୍ଜନ କରିଛି । ଏହା ସହିତ ଆସନ୍ତା ୨୦୨୬ରେ ଭାରତ ଓ ଶ୍ରୀଲଙ୍କାରେ ହେବାକୁ ଥିବା ଟି-୨୦ ବିଶ୍ବକପ ପାଇଁ କ୍ବାଲିଫାଏ କରିଛି । ଏହାର ଅର୍ଥ ହେଇଛି ଆମେରିକା ଟିମ୍ ଏବେ କ୍ରିକେଟ୍ ଖେଳିବାକୁ ଭାରତ ଆସିବ।

ଆଇସିସି ପୁରୁଷ ଟି-୨୦ ବିଶ୍ବକପ ୨୦୨୪ରେ ଶୁକ୍ରବାର ଆମେରିକା ଓ ଆୟର୍ଲାଣ୍ଡ ମଧ୍ୟରେ ମ୍ୟାଚ୍ ଥିଲା ।  ମାତ୍ର ବର୍ଷା ଯୋଗୁ ଏହି ବାତିଲ୍ ହୋଇଛି । ଉଭୟ ଟିମକୁ ଗୋଟିଏ ଲେଖାଏ ପଏଣ୍ଟ ଦିଆଯାଇଛି । ଫଳରେ ୟୁଏସଏ ଦଳ ୫ ପଏଣ୍ଟ ସହିତ ବିଶ୍ବକପ ସୁପର-୮ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇଛି । ସେପଟେ ଗ୍ରୁପ-ଏରୁ ପାକିସ୍ତାନ, ଆୟର୍ଲାଣ୍ଡ ଓ କାନାଡା ସୁପର-୮ରୁ ରେସ୍‌ରୁ ବାହାର ହୋଇଯାଇଛନ୍ତି ।

ଆସନ୍ତା ୨୦୨୬ରେ ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ଟି-୨୦ କ୍ରିକେଟ୍ ବିଶ୍ବକପ୍ ଆୟୋଜନ କରିବାକୁ ଯାଉଛନ୍ତି । ଉଭୟ ଦଳ ଆୟୋଜକ ଟିମ୍ ହୋଇଥିବାରୁ ସିଧା ସିଧା ଟୁର୍ଣ୍ଣାମେଣ୍ଟକୁ କ୍ବାଲିଫାଏ କରିଛନ୍ତି । ସେହିପରି ସୁପର-୮ ପାଇଁ ଆଉ ୭ଟି ଟିମ୍ ଯୋଗ୍ୟତା ଅର୍ଜନ କରିବେ । ଏହି ଟିମ୍ ଛଡ଼ା ଆସନ୍ତା ଜୁନ୍ ୩୦ ତାରିଖ ସୁଦ୍ଧା ଯେଉଁ ଟିମର ଆଇସିସି ଟି-୨୦ ରାଙ୍କିଂ ସର୍ବାଧିକ ରହିବ କ୍ରମାନ୍ବୟରେ ଆହୁରି ୩ଟି ଟିମ୍ ଟୁର୍ଣ୍ଣାମେଣ୍ଟକୁ କ୍ବାଲିଫାଏ କରିବେ ବୋଲି ଜଣାପଡ଼ିଛି।

ଆଇସିସି ଅନୁଯାୟୀ, ଟପ୍ ୮ଟି ଦଳ ଆସନ୍ତା ବିଶ୍ବକପ ସିଜିନକୁ ସିଧା ସିଧା ଯୋଗ୍ୟତା ଅର୍ଜନ କରିବେ । ଟୁର୍ଣ୍ଣାମେଣ୍ଟରେ ୨୦ଟି ଟିମ୍ ଭାଗ ନେବେ । ଏଥିରୁ ୧୨ଟି ଟିମ୍ କ୍ବାଲିଫିକେସନ ମିଳିବ । ଟି-୨୦ ବିଶ୍ବକପ ୨୦୨୬ ପାଇଁ ଅନ୍ୟ ଟିମ୍ ମାନଙ୍କ ମଧ୍ୟରେ ୟୁରୋପ ସବ୍-ରିଜନାଲ୍ କ୍ବାଲିଫାୟର- ‘ଏ’ସେଟ୍ ମୁକାବିଲା ରୋମରେ ଆସନ୍ତା ରବିବାର ହେବ । ରୋମ୍ କ୍ରିକେଟ୍ ଗ୍ରାଉଣ୍ଡ ଏବଂ ସିମର କ୍ରିକେଟ୍ ଷ୍ଟାଡିୟମରେ ୭ଦିନରେ ମୋଟ୍ ୨୪ଟି ମ୍ୟାଚ୍  । ଏଥିରେ ଇଟାଲୀ, ଅଷ୍ଟ୍ରିଆ, ଫ୍ରାନ୍ସ, ହଙ୍ଗେରୀ, ଆଇଲ ଅଫ୍ ମ୍ୟାନ୍, ଇସ୍ରାଏଲ, ଲକଜମବର୍ଗ, ପର୍ତ୍ତୁଗାଲ୍, ରୋମାନିଆ ଏବଂ ତୁର୍କୀ ଭାଗ ନେବେ । 

  • ICC T20 World cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.