ଭାରତକୁ ଆମେରିକା ଦେବ ଏହି ଅତ୍ୟାଧୁନିକ ଯୁଦ୍ଧ ହେଲିକପ୍ଟର ଏବଂ ଅନ୍ୟାନ୍ୟ ଉପକରଣ- ହାଇଦ୍ରାବାଦ ହାଉସରେ ମୋଦି ଟ୍ରମ୍ପ ଆଲୋଚନା
25/02/2020 at 8:37 PM

ନୂଆଦିଲ୍ଲୀ ୨୫।୦୨ – ଭାରତ-ଆମେରିକା ମଧ୍ୟରେ ବଡ଼ ଧରଣର ପ୍ରତିରକ୍ଷା ଡିଲ୍ ।ଦୁଇ ଦେଶ ଭିତରେ ୩ ବିଲିୟନ ଡଲାରର ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି ।ଏହାଦ୍ବାରା ଭାରତକୁ ଅତ୍ୟାଧୁନିକ ଯୁଦ୍ଧ ହେଲିକପ୍ଟର ଏବଂ ଅନ୍ୟାନ୍ୟ ଉପକରଣ ମିଳିପାରିବ ।ଏହାସହିତ ଟ୍ରମ୍ପ ଦମ୍ପତି ଆଜି ରାଜଘାଟ ଯାଇ ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।ରାଷ୍ଟ୍ରପତି ଭବନରେ ଟ୍ରମ୍ପଙ୍କୁ ଆଜି ଔପଚାରିକ ସ୍ବାଗତ କରାଯାଇଥିଲା ।ଭାରତୀୟ କମ୍ପାନୀ ଗୁଡ଼ିକର ସିଇଓମାନଙ୍କ ସହିତ ମଧ୍ୟ ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ସିଧାସଳଖ ଆଲୋଚନା କରିଥିଲେ।…

ମୋଟାରାରେ ଦିଲ୍ ମିଳିଲା ଦିଲ୍ଲୀରେ ଡିଲ୍ ହେଲା । ଭାରତ ଆମେରିକା ମଧ୍ୟରେ ପ୍ରତିରକ୍ଷା ଚୁକ୍ତି ପାଇଁ ସହମତି। ୩ ବିଲିୟନ ବା ୩୦୦ କୋଟି ଡଲାରର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଆମେରିକା ଠାରୁ କିଣିବ ଭାରତ ।ଏହାଭିତରେ ରହିଛି ୨୪ଟି MH60 ରୋମିଓ ହେଲିକପ୍ଟର ।ଯାହାର ମୂଲ୍ୟ ୨୬୦ କୋଟି ଡଲାର । ସେହିପରି ଅନ୍ୟ ଏକ ଡିଲ୍ରେ ଭାରତ ୬ଟି AH 64E ଆପାଚେ ହେଲିକପ୍ଟର କିଣିବ, ଯାହାର ମୂଲ୍ୟ ୮୦ କୋଟି ଡଲାର । ଦିଲ୍ଲୀର ହାଇଦ୍ରାବାଦ ହାଉସରେ ମୋଦି ଓ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ଦ୍ବିପାକ୍ଷିକ ଆଲୋଚନା। ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିଥିଲେ ଉଭୟ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ଟ୍ରମ୍ପ।

ଟ୍ରମ୍ପଙ୍କ ଗସ୍ତର ଦ୍ବିତୀୟ ଦିନର ବାଣିଜ୍ୟ କାରବାର ମଧ୍ୟ ଫୋକସ୍ରେ ଥିଲା । ଦେଶର ପ୍ରମୁଖ କମ୍ପାନୀର ସିଇଓ ମାନଙ୍କ ସହିତ ସିଧାସଳଖ ଆଲୋଚନା କରିଥିଲେ ଡୋନାଲ୍ଡ ଟ୍ରମ୍ପ ।ଯେଉଁଥିରେ ସାମିଲ ଥିଲେ ଦେଶର ସବୁଠୁ ଧନୀ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଠାରୁ ଆରମ୍ଭ କରି ଓୟୋ ରୁମ୍ସର ମୁଖ୍ୟ ତଥା ଓଡ଼ିଆ ପୁଅ ରିତେଶ ଅଗ୍ରୱାଲ ।

ସଂଧ୍ୟାରେ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ ରାଷ୍ଟ୍ରପତି ଟ୍ରମ୍ପ। କହିଥିଲେ ଏହି ଗସ୍ତକୁ ସେ କେବେହେଲେ ଭୁଲି ପାରିବେ ନାହିଁ । ଏହି ସମୟରେ ସେ ଭାରତର ଧର୍ମୀୟ ସ୍ବତନ୍ତ୍ରତାକୁ ପ୍ରଶଂସା କରିଥିଲେ।

ତେବେ ଟ୍ରମ୍ପଙ୍କ ଗସ୍ତର ଦ୍ବିତୀୟ ଦିନ ଆରମ୍ଭ ହୋଇଥିଲା ରାଜକୀୟ ସ୍ବାଗତରୁ । ରାଷ୍ଟ୍ରପତି ଭବନରେ ଟ୍ରମ୍ପଙ୍କୁ ଔପଚାରିକ ଭାବେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥିପାଇଁ ରାଷ୍ଟ୍ରପତି ଭବନରେ ବିଶାଳ ଆୟୋଜନ କରାଯାଇଥିଲା । ପରେ ପରେ ଟ୍ରମ୍ପ ଯାଇଥିଲେ ରାଜଘାଟ । ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ନିଜ ଗସ୍ତର ସ୍ମୃତି ଉଦ୍ଦେଶ୍ୟରେ ଏକ ବୃକ୍ଷ ରୋପଣ କରିଥିଲେ ଟ୍ରମ୍ପ ଦମ୍ପତି।