ନୂଆଦିଲ୍ଲୀ: ହମାସ୍ ନେତା ଇସ୍ମାଇଲ୍ ହାନିୟେଙ୍କ ହତ୍ୟା ପରେ ମଧ୍ୟପୂର୍ବରେ ଉତ୍ତେଜନା ଚରମରେ ରହିଛି । ଯାହାକୁ ନେଇ ଆଲର୍ଟକୁ ଆସିଛି ଆମେରିକା । ୟୁଏସ୍ ସେନା ଇସ୍ରାଏଲ୍ ଉପରେ ଯେକୌଣସି ଆକ୍ରମଣ ସ୍ଥିତିର ମୁକାବିଲା ପାଇଁ ମଧ୍ୟପୂର୍ବରେ ଅତି କମରେ ୧୨ ଯୁଦ୍ଧପୋତ ମୁତୟନ କରିଛି । ୱାଶିଂଟନ ପୋଷ୍ଟ ପେଣ୍ଟାଗନ୍ ଅଧିକାରୀଙ୍କ ବୟାନକୁ ନେଇ ନିଜ ରିପୋର୍ଟରେ ଏହା ଦାବି କରିଛି । ଏଥିରେ ବିମାନବାହାକ ପୋତ ୟୁଏସଏସ ଥିୟୋଡୋର ରୁଜବେଲ୍ଟ, ଭୂପୃଷ୍ଠ ଏବଂ ସମୁଦ୍ରରେ ଆକ୍ରମଣ କରିବାରେ ସକ୍ଷମ ଦଳ ଏବଂ ୪୦୦୦ରୁ ଅଧିକ ମେରାଇନ୍ ଏବଂ ନାଭିକ ଅଛନ୍ତି । ରିପୋର୍ଟ ଅନୁସାରେ ପରାସୀ ସାଗର ଏବଂ ପୂର୍ବ ଭୂମଧ୍ୟ ସାଗରରେ ମୁତୟନ କରାଯାଇଛି । ଏହାସହ ଆମେରିକା ଲୋହିତ ସାଗରରେ ଯୁଦ୍ଧପୋତକୁ ହଟାଇ ଦେଇଛି । ସେଠାରେ ଏହା ବାଣିଜ୍ୟିକ ଜାହାଜଗୁଡ଼ିକୁ ସୁରକ୍ଷା ପାଇଁ ମୁତୟନ କରାଯାଇଥିଲା ।
ଆମେରିକା ଦ୍ୱାରା ଏହି ପଦକ୍ଷେପ ତେହରାନରେ ହମାସ୍ ନେତା ଇସ୍ମାଇଲ୍ ହାନିୟେ ଏବଂ ହିଜବୁଲ୍ଲାହର ସୈନ୍ୟ ମୁଖିଆ ଫୁଆଦଙ୍କ ହତ୍ୟା ପରେ ଅଞ୍ଚଳରେ ବଢୁଥିବା ଉତ୍ତେଜନାର ଜବାବରେ ନିଆଯାଇଛି । ହାନିୟେକୁ ଇସ୍ରାଏଲ ବୁଧବାର ଭୋରରେ ତେହରାନର ଏୟାର ଷ୍ଟ୍ରାଇକରେ ନିହତ କରିଥିଲା । ହାନିୟେ ଇରାନର ନୂଆ ରାଷ୍ଟ୍ରପତି ମସୁଦ ପେଜେସିକୟନଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବା ପାଇଁ ତେହରାନ ପହଞ୍ଚିଥିଲେ । ହାନିୟେଙ୍କ ହତ୍ୟା ପରେ ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲି ଖାମନେ ଇସ୍ରାଏଲଠାରୁ ପ୍ରତିଶୋଧ ନେବେ ବୋଲି ଘୋଷଣା କରିଛନ୍ତି ।
ଏହାରି ଭିତରେ ଆମେରିକାର ବିଦେଶ ମନ୍ତ୍ରୀ ଆଣ୍ଟୋନୀ ବ୍ଲିଙ୍କନ ସବୁ ପକ୍ଷଙ୍କୁ ଆକ୍ରମଣାତ୍ମକ ପଦକ୍ଷେପ ଗ୍ରହଣଠାରୁ ଦୂରେଇ ରହିବା ପାଇଁ ଅପିଲ୍ କରିଛନ୍ତି । ମଙ୍ଗୋଲିଆରେ ବ୍ଲିଙ୍କନ୍ ଜୋର ଦେଇ କହିଛନ୍ତି ଯେ ଯୁଦ୍ଧ ବିରତି ପାଇଁ ସେହି ସମସ୍ତ ପଦକ୍ଷେପରୁ ଦୂରେଇ ରହିବା ଦରକାର ଯାହାଦ୍ୱାରା ଉତ୍ତେଜନା ବଢିପାରେ । ହାନିୟେଙ୍କ ମୃତ୍ୟୁ ପରେ ମଧ୍ୟପୂର୍ବ ଯୁଦ୍ଧ ବଢିବା ସ୍ଥିତିରେ ଏଥିରେ ଆମେରିକାର ଓହ୍ଲାଇବା ସମ୍ଭାବନା ରହିଛି । ଆମେରିକା ରକ୍ଷା ମନ୍ତ୍ରୀ ଲୟଡ ଅଷ୍ଟିନ୍ କହିଛନ୍ତି ଯେ ଯେକୌଣସି ଆକ୍ରମଣରୁ ଆମେରିକା ଇସ୍ରାଏଲକୁ ସୁରକ୍ଷା ଦେବ ।