ତାଲିବାନକୁ ରୋକିବା ମୁସ୍କିଲ୍‌, ୩ ମାସରେ କାବୁଲ୍‌କୁ କରିପାରେ କବଜା: ଆମେରିକା

Published By : Prameya-News7 Bureau | August 11, 2021 IST

ଓ୍ବାସିଂଟନ୍‌ ୧୧/୦୮: ଆଫଗାନିସ୍ତାନରେ ତାଲିବାନ କାୟାବିସ୍ତାର କରିଚାଲିଥିବା ବେଳେ ଆମେରିକା ମଧ୍ୟ ଆଶଙ୍କା ପ୍ରକାଶ କରିଛି । ତାଲିବାନକୁ ରୋକିବା ମୁସକିଲ୍‌ ଏବଂ ଏହି ଆତଙ୍କବାଦୀ ସଂଗଠନ ୧-୩ ମାସରେ ରାଜଧାନୀ କାବୁଲ୍‌କୁ କବ୍‌ଜା କରିପାରେ ବୋଲି ଆମେରିକା ପକ୍ଷରୁ ଦାବି କରାଯାଇଛି । କିନ୍ତୁ ପୂର୍ବରୁ ଆକଳନ କରାଯାଇଥିବା ସମୟ ପୂର୍ବରୁ ତାଲିବାନ ଆହୁରି ଶୀଘ୍ର କାବୁଲ କବଜା କରିପାରେ ବୋଲି ସୂଚନା ମିଳିଛି । ଏନେଇ ଆମେରିକା ଅଧିକାରୀଙ୍କ ନାଁ ନେଇ ଓ୍ବାସିଂଟନ୍‌ ପୋଷ୍ଟରେ ଏହି ଖବର ପ୍ରକାଶ ପାଇଛି।

ଏହା ସହ  ଆଫଗାନିସ୍ତାନରେ ଜୁନ୍‌ ତୁଳନାରେ ସ୍ଥିତି ଗମ୍ଭୀର ରହିଛି। ଜୁନ୍‌ରେ ଆମେରିକା ଇଣ୍ଟେଲିଜେନ୍ସ ଅନୁମାନ କରିଥିଲା ଯେ, ଆମେରିକା ସେନା ପ୍ରତ୍ୟାବର୍ତ୍ତନ କରିବାର ୬-୧୨ ମାସ ପରେ କାବୁଲ ଉପରେ ତାଲିବାନ ନିୟନ୍ତ୍ରଣ ଆଣିପାରେ। ସବୁ କିଛି ଭୁଲ ରାସ୍ତାରେ ଯାଉଥିବା ନେଇ ମଧ୍ୟ ଜଣେ ଅଧିକାରୀ କହିଥିବା ଜଣାପଡ଼ିଛି । ବିଦେଶୀ ସେନା ଫେରିବା ପରେ ଆଫଗାନିସ୍ତାନ ଏବଂ ତାଲିବାନ ମଧ୍ୟରେ ଯୁଦ୍ଧ ଉଗ୍ର ରୂପ ଧାରଣ କରିଛି।

ବହୁ ଗ୍ରାମାଞ୍ଚଳ କବଜା କରିବା ପରେ ଏବେ ତାଲିବାନ ସହର ଉପରେ ଆକ୍ରମଣ ବୃଦ୍ଧି କରିଛି। ଉତ୍ତରପୂର୍ବ ଆଫଗାନିସ୍ତାନରେ ଅବସ୍ଥିତ ବଦଖାସନ୍‌ ପ୍ରାନ୍ତରେ ତାଲିବାନ କବଜା କରିଥିବା ଦାବି ହେଉଛି। ଏନେଇ ଖୋଦ ତାଲିବାନ ବିଜ୍ଞପ୍ତି ଜାରି କରି ଦାବି କରିଛି ଯେ, ସଂଗଠନ ବଦଖାଶନର ରାଜଧାନୀ ଫାଇଜାବାଦ ନିଜ କବଜାରେ ଆଣିଛି। ସହରରେ ଥିବା ପୋଲିସ ମୁଖ୍ୟାଳୟ, ପ୍ରଶାସନିକ ବିଲ୍ଡିଂ, ଗୁଇନ୍ଦା ବିଭାଗ ଆଦି ନିଜ ନିୟନ୍ତ୍ରଣକୁ ଆଣିଥିବା ନେଇ କହିଛି ତାଲିବାନ। ବଦଖାଶନ ଆଫଗାନିସ୍ତାନର ନବମ ପ୍ରାନ୍ତ ଯେଉଁଠି ଗୋଟିଏ ସପ୍ତାହରୁ କମ୍‌ ସମୟରେ ତାଲିବାନ କବଜା ଜମାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.