‘ଯେଉଁଠି ବି ଥାଅ, ଟ୍ରମ୍ପଙ୍କ ଶପଥ ଗ୍ରହଣ ପୂର୍ବରୁ ଫେରିଆସ’, ବିଦେଶୀ ଛାତ୍ରଛାତ୍ରୀଙ୍କୁ ଆମେରିକୀୟ ବିଶ୍ୱବିଦ୍ୟାଳୟ ପରାମର୍ଶ

Published By : Prameya-News7 Bureau | November 29, 2024 IST

ନୂଆଦିଲ୍ଲୀ: ଆମେରିକାର ଅନେକ ବିଶ୍ୱବିଦ୍ୟାଳୟ ନିଜ ଅନ୍ତରାଷ୍ଟ୍ରୀୟ ବିଦ୍ୟାର୍ଥୀ ଏବଂ କର୍ମଚାରୀଙ୍କ ପାଇଁ ଏଡଭାଇଜରୀ ଜାରି କରିଛନ୍ତି । ଏଥିରେ ଛାତ୍ରଛାତ୍ରୀ ଏବଂ କର୍ମଚାରୀଙ୍କୁ ୨୦୨୫ ଜାନୁଆରୀରେ ଟ୍ରମ୍ପଙ୍କ ଶପଥ ଗ୍ରହଣ ପୂର୍ବରୁ ଆମେରିକା ଫେରିଆସିବା ପାଇଁ କୁହାଯାଇଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ପରେ ପ୍ରଶାସନ ଦ୍ୱାରା ଯାତ୍ରା ପ୍ରତିବନ୍ଧକ ଲାଗୁ କରାଯିବାର ଆଶଂକା ରହିଛି । ତେଣୁ ବିଶ୍ୱବିଦ୍ୟାଳୟ ନିଜ ଅନ୍ତରାଷ୍ଟ୍ରୀୟ ଛାତ୍ରଛାତ୍ରୀ ଏବଂ କର୍ମଚାରୀଙ୍କୁ ଆମେରିକା ଫେରିବା ପାଇଁ ନିବେଦନ କରିଛନ୍ତି ।

ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାନୁଆରୀ ୨୦ରେ ଶପଥ ନେବେ । ତାଙ୍କ ଘୋଷଣା ଅନୁସାରେ ଆମେରିକା ରାଷ୍ଟ୍ରପତି ପଦ ସମ୍ଭାଳିବାର ପ୍ରଥମ ଦିନରେ ଅର୍ଥବ୍ୟବସ୍ଥା ଏବଂ ପ୍ରବାସୀଙ୍କୁ ନେଇ ଅନେକ ଆଦେଶ ଉପରେ ହସ୍ତାକ୍ଷର କରିବେ । ଆମେରିକା ବିଦେଶ ବିଭାଗ, ଶିକ୍ଷା ଏବଂ ସାଂସ୍କୃତିକ ମାମଲାର ବ୍ୟୁରୋ ଏବଂ ଅନ୍ତରାଷ୍ଟ୍ରୀୟ ଶିକ୍ଷା ସଂସ୍ଥାନର ଡାଟା ଅନୁସାରେ, ଅନ୍ତରାଷ୍ଟ୍ରୀୟ ଛାତ୍ରଙ୍କ ପ୍ରାୟ ୫୪ ପ୍ରତିଶତ ଭାରତ ଏବଂ ଚୀନରୁ ଅଛନ୍ତି ।

ୟୁନିଭର୍ସିଟି ଅଫ୍ ମେସାଚୁସେଟ୍ସ, ଏମହର୍ଷ୍ଟରେ ବୈଶ୍ୱିକ ବ୍ୟାପାର କାର୍ଯ୍ୟାଳୟ ନିଜ ଅନ୍ତରାଷ୍ଟ୍ରୀୟ ଛାତ୍ରଛାତ୍ରୀ, କର୍ମଚାରୀଙ୍କୁ ଆମେରିକା ଫେରିବା ଉପରେ ବିଚାର କରିବାକୁ କହିଛି । ୱେସ୍ଲେୟନ ଆର୍ଗସର ରିପୋର୍ଟରେ କୁହାଯାଇଛି ଯେ ବିଦେଶୀ ଛାତ୍ରଛାତ୍ରୀ ଜାନୁଆରୀ ୨୦ ପୂର୍ବରୁ ଶାରୀରିକ ରୂପେ ଆମେରିକାରେ ରହିବା ଭଲ ବୋଲି କୁହାଯାଇଛି ।

ରାଷ୍ଟ୍ରପତି ଭାବେ ପ୍ରଥମ କାର୍ଯ୍ୟକାଳରେ ଗୋଟିଏ ସପ୍ତାହ ଭିତରେ ସାତ ମୁସଲିମ୍ ଦେଶ-ଇରାକ, ସିରିଆ, ଇରାନ, ଲିବିଆ, ସୋମାଲିଆ, ସୁଡାନ ଏବଂ ୟମନ ନାଗରିକଙ୍କ ଉପରେ କଟକଣା ଲଗାଇଥିଲେ । ଏହି ସବୁ ଦେଶର ନାଗରିକଙ୍କ ପ୍ରବେଶ ଉପରେ ୯୦ ଦିନ ପାଇଁ କଟକଣା ଲାଗୁ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.