ମାସୁଦ ଆଜାହାରକୁ ବ୍ଲାକ୍ ଲିଷ୍ଟ୍ କରିବାକୁ ୟୁଏନ୍ ସୁରକ୍ଷା ପରିଷଦକୁ ପ୍ରସ୍ତାବ ଦେଲେ ୩ ରାଷ୍ଟ୍ର

Published By : Prameya-News7 Bureau | February 28, 2019 IST

ନୂଆଦିଲ୍ଲୀ ୨୮|୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ସୀମାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗିରହିଛି । ଜମ୍ମୁକାଶ୍ମୀର ପୁଲଓ୍ବାମାରେ ହୋଇଥିବା ଆତଙ୍କୀ ଆକ୍ରମଣ ଘଟଣା ପରେ ପରେ ଏଭଳି ପରିସ୍ଥିତ ସୃଷ୍ଟି ହୋଇଛି । ଏହି ଆକ୍ରମଣ ପାଇଁ ଆତଙ୍କୀ ସଂଗଠନ ଜୈସ୍-ଏ-ମହମ୍ମଦ ନିଜକୁ ଦାୟୀ କରିଥିଲା । ଆତଙ୍କୀ ସଂଗଠନ ଜୈସ୍-ଏ-ମହମ୍ମଦର ମୁଖ୍ୟ ହେଉଛି ଆତଙ୍କବାଦୀ ମାସୁଦ୍ ଆଜାହାର ।

ମାସୁଦ ଆଜାହାରକୁ ବ୍ଲାକ୍ ଲିଷ୍ଟ୍ କରିବାକୁ ୟୁଏନ୍ ସୁରକ୍ଷା ପରିଷଦକୁ ପ୍ରସ୍ତାବ ଦିଆଯାଇଛି । ଆମେରିକା, ବ୍ରିଟେନ୍ ଏବଂ ଫ୍ରାନ୍ସ ଏହି ପ୍ରସ୍ତାବ ଦେଇଛନ୍ତି । ନ୍ୟୁଜ୍ ଏଜେନସୀ ରଏଟର ଅନୁସାରେ ପୁଲୱାମା ଆତଙ୍କୀ ହମଲା ପରେ ଆତଙ୍କବାଦ ବିରୋଧରେ ଭାରତକୁ ସମର୍ଥନ ଦେଉଥିବା ଆମେରିକା, ବ୍ରିଟେନ୍ ଏବଂ ଫ୍ରାନ୍ସ ୟୁଏନ୍ ସୁରକ୍ଷା ପରିଷଦ ପାଖରେ ଏହି ପ୍ରସ୍ତାବ ରଖିଛନ୍ତି ।

ତେବେ ଏହି ପଦକ୍ଷେପକୁ ଚୀନ ଦ୍ବାରା ବିରୋଧ କରାଯିବାର ସମ୍ଭାବନା ରହିଛି । ମାସୁଦ ବ୍ଲାକ୍ ଲିଷ୍ଟ୍ ହେଲେ ଆଜାହାରର ଯାତ୍ରା ଉପରେ ପ୍ରତିବନ୍ଧକ ଲାଗିବା ସହ ତାର ସମ୍ପତ୍ତି ମଧ୍ୟ ଜବତ ହୋଇପାରେ । ତେବେ ପରିଷଦର ଏହି ପ୍ରସ୍ତାବ ଉପରେ ଆପତ୍ତି ଦରଜ କରିବାକୁ ୧୩ ମାର୍ଚ୍ଚ ପର୍ଯ୍ୟନ୍ତ ସମୟ ରହିଛି । ୨୦୦୯ରେ ମଧ୍ୟ ଭାରତ ମାସୁଦ ଆଜାହାର ବିରୋଧରେ ପଦକ୍ଷେପ ନେବାକୁ ୟୁଏନ୍ ପାଖରେ ପ୍ରସ୍ତାବ ରଖିଥିଲା । ୨୦୧୬ ଓ ୧୭ରେ ବି ତାକୁ ଆତଙ୍କୀ ଘୋଷିତ କରିବାକୁ ପ୍ରସ୍ତାବ ରହିଥିଲା । ହେଲେ ପ୍ରତିଥର ଚୀନ୍ ଏହି ପ୍ରସ୍ତାବକୁ ସମର୍ଥନ କରିନଥିଲା । ୟୁଏନ୍ ସୁରକ୍ଷା ପରିଷଦରେ ୧୫ ରାଷ୍ଟ୍ର ଅଛନ୍ତି ।

ଏ ଭିତରେ ଇମ୍ରାନ ଖାନଙ୍କ ସରକାର ଆତଙ୍କୀ ସଂଗଠନ ଜୈସ୍-ଏ-ମହମ୍ମଦ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଥିବା ଖବର ପାକିସ୍ତାନ ପ୍ରଚାର କରୁଛି । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବୁଧବାର ରାତିରେ ପାକିସ୍ତାନ ଜୈସ୍-ଏ-ମହମ୍ମଦର କ୍ୟାମ୍ପ୍ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହାସହ ଏହି ଖବର ମଧ୍ୟ ପ୍ରଚାର ହେଉଛି ଯେ, ପାକିସ୍ତାନ ଖୁବ୍ ଶୀଘ୍ର ଭାରତୀୟ ବାୟୁସେନାର ପାଇଲଟ ଅଭିନନ୍ଦନଙ୍କୁ ପ୍ରତ୍ୟାର୍ପଣ କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.