ମାର୍ଚ୍ଚରେ ଭାରତ ଆସିବେ ଆମେରିକା ବିଦେଶ ମନ୍ତ୍ରୀ ଆଣ୍ଟେନୀ ବ୍ଲିଙ୍କେନ୍, ଏହି ପ୍ରସଙ୍ଗ ଉପରେ ଆଲୋଚନା
24/02/2023 at 11:08 AM

ନୂଆଦିଲ୍ଲୀ, ୨୪/୦୨: ଆମେରିକା ବିଦେଶ ମନ୍ତ୍ରୀ ଆଣ୍ଟେନୀ ବ୍ଲିଙ୍କେନ୍ ମାର୍ଚ୍ଚ ୧ ରେ ଭାରତ ଆସିବେ। ବ୍ଲିଙ୍କେନ୍ ଜି-୨୦ ବିଦେଶ ମନ୍ତ୍ରୀଙ୍କ ସହ ବୈଠକରେ ସାମିଲ ହେବେ। ଏହି ବୈଠକ ବହୁପକ୍ଷବାଦକୁ ମଜବୁତ କରିବା, ଖାଦ୍ୟ, ଶକ୍ତି ସୁରକ୍ଷା, ସ୍ଥାୟୀ ବିକାଶ ଉପରେ ସହଯୋଗକୁ ଦୃଢ଼ କରିବା ଉପରେ ଚର୍ଚ୍ଚା ହେବ। ଏହା ବ୍ୟତୀତ ଭାରତ ଏବଂ ଆମେରିକାର ସଂପର୍କକୁ ମଜବୁତ କରିବା ଦିଗରେ କାମ କରିବା ପାଇଁ ଭାରତୀୟ ରାଜନେତା, ଅଧିକାରୀ ସହ ମଧ୍ୟ ସାକ୍ଷାତ କରିବେ। ଆମେରିକା ବିଦେଶ ବିଭାଗ ତରଫରୁ ଏନେଇ ସୂଚନା ଦିଆଯାଇଛି।
ତେବେ ଆମେରିକା ବିଦେଶ ମନ୍ତ୍ରୀ ଆଣ୍ଟୋନୀ ବ୍ଲିଙ୍କେନ୍ଙ୍କ ଯାତ୍ରା ୨୮ ଫେବୃଆରୀ ୨୮ ରୁ ଆରମ୍ଭ ହେବ। ପ୍ରଥମେ ସେ ୨୮ ଫେବୃଆରୀରେ କାଜାକିସ୍ତାନ ଯାତ୍ରା କରିବେ। ଏଠାରେ ଦ୍ବିପାକ୍ଷିକ ଆଲୋଚନା ପରେ ଉଜବେକିସ୍ତାନ ଗସ୍ତ କରିବେ। ଏହାପରେ ଆଣ୍ଟୋନୀ ୧ ମାର୍ଚ୍ଚରେ ଭାରତ ଆସି ଜି-୨୦ ବିଦେଶ ମନ୍ତ୍ରୀଙ୍କ ବୈଠକରେ ସାମିଲ୍ ହେବେ।
ସୂଚନାଯୋଗ୍ୟ, ଚଳିତ ଥର ଭାରତ ଜି-୨୦ର ଅଧ୍ୟକ୍ଷତା କରୁଛି। ଜି-୨୦ ସମୂହରେ ବିଶ୍ବରେ ସବୁ ବିକଶିତ ଦେଶ ସାମିଲ୍ ରହିଛନ୍ତି। ଏହି ଦେଶମାନଙ୍କର ବିଶ୍ବ ଜିଡିପିରେ ପ୍ରାୟ ୮୫ ପ୍ରତିଶତର ଅଂଶ ରହିଛି।
ଜି-୨୦ ଗ୍ରୁପ୍ର ଗଠନ ୧୯୯୯ ରେ ହୋଇଥିଲା। ଏହାର ଉଦ୍ଦେଶ୍ୟ ମଧ୍ୟମ ଆୟ ଦେଶକୁ ସାମିଲ କରି ବୈଶ୍ବିକ ସ୍ଥିରତାକୁ ସୁନିଶ୍ଚିତ କରିବା ଥିଲା। ଜି-୨୦ ଦେଶରେ ଦୁନିଆର ୬୦ % ଜନସଂଖ୍ୟା, ବୈଶ୍ବିକ ଜିଡିପିର ୮୫ % ଏବଂ ବୈଶ୍ବିକ ବ୍ୟବସାୟର ୭୫ % ସାମିଲ ରହିଛି।
ଜି-୨୦ ଗ୍ରୁପ୍ରେ ଆର୍ଜେଣ୍ଟିନା, ଅଷ୍ଟେ୍ରଲିଆ, ବ୍ରାଜିଲ୍, କାନାଡା, ଚୀନ, ୟୁରୋପିଆନ୍ ୟୁନିଅନ, ଫ୍ରାନ୍ସ, ଜର୍ମାନୀ, ଭାରତ, ଇଣ୍ଡୋନେସିଆ, ଇଟାଲୀ, ଜାପାନ, ମେକ୍ସିକୋ, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ଦକ୍ଷିଣ କୋରିଆ, ତୁର୍କୀ, ୟୁକେ, ଏବଂ ଯୁକ୍ତରାଷ୍ଟ୍ର ଆମେରିକା ରହିଛନ୍ତି। ଜି ୨୦ ସମ୍ମିଳନୀରେ ସ୍ପେନ୍କୁ ସ୍ଥାୟୀ ଅତିଥି ଭାବରେ ଆମନ୍ତ୍ରିତ କରାଯାଇଛି।