ପନ୍ନୁ ହତ୍ୟା ଷଡ଼ଯନ୍ତ୍ର ମାମଲାରେ ଭାରତ ଦେଇଥିବା ଉତ୍ତରରେ ଆମେ ସନ୍ତୁଷ୍ଟ: ଆମେରିକା ରାଷ୍ଟ୍ରଦୂତ

Published By : Prameya-News7 Bureau | May 12, 2024 IST

ନୂଆଦିଲ୍ଲୀ: ପନ୍ନୁ ହତ୍ୟା ଷଡ଼ଯନ୍ତ୍ର ଘଟଣାରେ ଭାରତ ଯାହା କହିଛି ସେଥିରେ ଆମେ ସନ୍ତୁଷ୍ଟ ଅଛୁ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରଦୂତ ଏରିକ ଗାର୍ସେଟି। ଆମେରିକା ରାଷ୍ଟ୍ରଦୂତ କହିଛନ୍ତି “ଆମେରିକା ମାଟିରେ ଶିଖ୍ ବିଚ୍ଛିନ୍ନତବାଦୀ ପନ୍ନୁଙ୍କୁ ହତ୍ୟା କରିବା ପାଇଁ ଭାରତୀୟ ଅଧିକାରୀ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ କରି ଆମେ ଭାରତ ଠାରୁ ଯେଉଁ ଉତ୍ତରଦାୟିତ୍ୱ ଦାବି କରୁଥିଲୁ ଏଥିରେ ଭାରତ ଯେଉଁ ତଥ୍ୟ ଦେଇଛି ସେଥିରେ ଆମେରିକା ସନ୍ତୁଷ୍ଟ ଅଛି।” 

ଆମେରିକାର ଥିଙ୍କ୍ ଟ୍ୟାଙ୍କ୍ ‘କାଉନ୍‌ସିଲ୍ ଅନ୍ ଫେରେନ ରିଲେସନ୍’ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି କଥା କହିଛନ୍ତି ଗାର୍ସେଟି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଓବାମା ପ୍ରଶାସନରେ ଆମେରିକା ବାଣିଜ୍ୟ ପ୍ରତିନିଧି ଥିବା ମାଇକେଲ ଫରମାନଙ୍କ ସହ ଇଣ୍ଟରଭ୍ୟୁ ବେଳେ ଗାର୍ସେଟି ଏହା ସ୍ୱୀକାର କରିଛନ୍ତି। ଏଥିସହିତ ଏହି ଅଭିଯୋଗ ଭାରତ-ଆମେରିକା ସମ୍ପର୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଥଲା ବୋଲି ସେ ସ୍ୱୀକାର କରିଛନ୍ତି।  

ସେହିପରି ଭାରତରେ ମାନବାଧିକାର ଉଲ୍ଲଂଘନ ଅଭିଯୋଗ ନେଇ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି ଏରିକ ଗାର୍ସେଟି। ଭାରତରେ ଏ ଦିଗରେ ସୁଧାର ଆଣିବା ଆମେରିକା ଦାୟିତ୍ୱ ନୁହେଁ। ତେବେ ଆଲୋଚନା ମାଧ୍ୟମରେ ଆମେରିକା ମୂଲ୍ୟବୋଧର ପ୍ରତିଫଳନ କରାଯାଇପାରେ ବୋଲି ସେ କହିଛନ୍ତି। ସେହିପରି ମଣିପୁର ହିଂସା ସମ୍ପର୍କରେ ପ୍ରତିକ୍ରିୟା ଦେଇ ଗାର୍ସେଟି କହିଛନ୍ତି ମଣିପୁରରେ ହିଂସା ଦେଖି ମୁଁ ଦୁଃଖିତ। ତେବେ ଯଦି ଭାରତ ଚାହିଁବ ଆମେରିକା ଏ ଦିଗରେ ସହଯୋଗ କରିପାରିବ।  
 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.