ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପୁଅ ହଣ୍ଟର ଦୋଷୀ, ଡ୍ରଗ୍ସ ଏବଂ ବେଆଇନ ବନ୍ଧୁକ ରଖିବା ମାମଲା

Published By : Prameya-News7 Bureau | June 11, 2024 IST

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପୁଅ ହଣ୍ଟର ବାଇଡେନ୍‌ ଦୋଷୀ । ଜୁରୀ ମଙ୍ଗଳବାର ତାଙ୍କୁ ଦୋଷୀ ଘୋଷଣା କରିଛନ୍ତି । ବେଆଇନ ଭାବେ ବନ୍ଧୁକ କିଣିବା ଏବଂ ଡ୍ରଗ୍ସ ବ୍ୟବହାର ମାମଲାରେ ମିଛ କହିବା ଘଟଣାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ୨୦୧୮ ଅକ୍ଟୋବରରେ ହଣ୍ଟର ବାଇଡେନ କୋଲ୍ଟ କୋବରା ହ୍ୟାଣ୍ଡଗନ କିଣିଥିଲେ । କିନ୍ତୁ ଏହାକୁ ନେଇ ସେ ସଠିକ୍ ସୂଚନା ଦେଇନଥିଲେ ବୋଲି ହଣ୍ଟର ବାଇଡେନଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ଏହା ମଧ୍ୟ ଅଭିଯୋଗ ହୋଇଥିଲା ଯେ ସେହି ସମୟରେ ସେ ଡ୍ରଗ୍ସ ଏବଂ ନିଶା ଦ୍ରବ୍ୟ ନିୟମିତ ସେବନ କରୁଥିଲେ ।

ଉଲ୍ଲେଖଯୋଗ୍ୟ ଯେ ଆମେରିକାର ଆଇନ ଅନୁସାରେ ନିଶା ଦ୍ରବ୍ୟ ସେବନ କରୁଥିବା ବ୍ୟକ୍ତି ନିଜ ପାଖରେ ବନ୍ଧୁକ କିମ୍ୱା ଅନ୍ୟ କୌଣସି ମାରାତ୍ମକ ହତିଆର ରଖିପାରିବେ ନାହିଁ । ସୂଚନା ଥାଉ କି ହଣ୍ଟର ବାଇଡେନ୍ କୌଣସି ଆମେରିକା ରାଷ୍ଟ୍ରପତିଙ୍କ ପ୍ରଥମ ସନ୍ତାନ, ଯିଏ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଛି । ଏହି ମାମଲାରେ ସର୍ବାଧିକ ୨୫ ବର୍ଷ ଯାଏ ଜେଲ୍ ଦଣ୍ଡର ପ୍ରାବଧାନ ରହିଛି । ତେବେ ପ୍ରଥମ ଦୋଷ ପାଇଁ ସର୍ବାଧିକ ଦଣ୍ଡ ମିଳିନଥାଏ । ରାୟ ଉପରେ ପ୍ରତିକ୍ରିୟା ଦେଇ ହଣ୍ଟର ବାଇଡେନ କହିଛନ୍ତି, 'ଏହି ପରିସ୍ଥିତିରେ ମୋ ସହ ଠିଆ ହୋଇଥିବା ପରିବାର ଏବଂ ବନ୍ଧୁଙ୍କୁ ଧନ୍ୟବାଦ ଜଣାଉଛି । ତେବେ ରାୟକୁ ନେଇ ଅସନ୍ତୁଷ୍ଟ ଅଛି ।'

କୋର୍ଟର ଜୁରୀଙ୍କ ଏହି ନିଷ୍ପତ୍ତି ଏପରି ସମୟରେ ଆସିଛି, ଯେତେବେଳେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନ୍ୟାୟ ପ୍ରଣାଳୀ ଉପରେ ପ୍ରଶ୍ନ ଉଠାଉଛନ୍ତି । କିନ୍ତୁ ଏହି ରାୟ ପରେ ଡେମୋକ୍ରେଟ୍ ନେତାମାନେ ଟ୍ରମ୍ପଙ୍କ ଦାବିର ଜବାବ ଦେଇପାରନ୍ତି । ଡୋନାଲ୍ଡ ଟ୍ରମ୍ପ ନିଜ ଅପରାଧିକ ମୋକଦ୍ଦମାରେ ଜଷ୍ଟିସ୍ ଏବଂ ନ୍ୟୁୟର୍କର ଅପରାଧିକ ନ୍ୟାୟ ପ୍ରଣଳୀ ଉପରେ ପ୍ରଶ୍ନ ଉଠାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.